ଓଡିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ୨୦୨୦ ରବିବାର) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ଅଞ୍ଚଳରେ ବେଶ ସକ୍ରିୟ ଓ ପରିଚିତ ଥିବା ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ଶନିବାର ଅପରାହ୍ନ ସମୟରେ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଅକାଳ ବିୟୋଗ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଦୈନିକ ଖବରକାଗଜ ସମାଜର ହିଞ୍ଜିଳି କାଟୁ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ (୪୭) ଗତ ପ୍ରାୟ ୧୫ ଦିନ ଧର ଅସୁସ୍ଥତା ହୋଇ ପଡ଼ିଥିଲେ । ତାଙ୍କ ସ୍ୱାବ ନମୁନାରୁ ସେ ପଜିଟିଭ ଥିବା ଜଣାପଡିଥିଲା । ପ୍ରଥମେ ତାଙ୍କୁ ସ୍ଥାନୀୟ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ପରେ ଶିତଳାପଲ୍ଲୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ନ ହେବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
କିମ୍ସ ହସ୍ପିଟାଲରେ ଗତ ୭ ଦିନ ଧରି ସେ ଭେଣ୍ଟିଲେଟର ରହି ଚିକିତ୍ସିତ ହେଉଥିଲେ । କିନ୍ତୁ ସେଠାରେ ଚିକିତ୍ସା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହୋଇନଥିଲା । ଚିକିତ୍ସିତ ହେଉଥିବା ଅବସ୍ଥାରେ ଶନିବାର ସେଠାରେ ତାଙ୍କ ଅକାଳ ବିୟୋଗ ଘଟିଛି।ତାଙ୍କ ବିୟୋଗ ଖବର ପାଇ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି ହୋଇଛି । କରୋନା ମହାମାରୀ ସମୟରେ ଆଗଧାଡ଼ିର ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ବିୟୋଗ ଅଞ୍ଚଳବାସୀଙ୍କ ମନରେ ଗଭୀର ଆଘାତ ଦେଇଛି । ଗତ ଦୀର୍ଘ ବର୍ଷ ଧରି ସେ ସାମ୍ବାଦିକ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ବେଳେ ସ୍ଥାନୀୟ ସହରର ବିଭିନ୍ନ ଅନୁଷ୍ଠାନ ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ । ଜଣେ ସମାଜସେବୀ, ପରୋପକାରୀ, ମିଷ୍ଟଭାଷୀ ଭାବେ ସେ ସମସ୍ତଙ୍କ ପାଇଁ ଅତି ପ୍ରିୟ ଥିଲେ ।
ନିଜ ସାଙ୍ଗଠନିକ ଦକ୍ଷତା ଯୋଗୁଁ ସେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ଜଡିତ ହୋଇ ଅଞ୍ଚଳର ହିତ ସାଧନ ଦିଗରେ ନିଜକୁ ସଦାସର୍ବଦା ନିୟୋଜିତ କରିଥିଲେ । ତାଙ୍କ ନିଧନ ଖବର ଅଞ୍ଚଳ ପାଇଁ ଏକ ଅପୁରଣୀୟ କ୍ଷତି ଘଟିଲା ବୋଲି ବିଭିନ୍ନ ମହଲରେ ଦୁଃଖ ପ୍ରକାଶ ପାଇଛି । ତାଙ୍କ ଅକାଳ ବିୟୋଗ ପାଇ ଅଞ୍ଚଳ ବାସୀ,ସାମ୍ବାଦିକ,ଶୁଭେଚ୍ଛୁ,ପରିଜନ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ପ୍ରିୟଜନ ମର୍ମାହତ ହୋଇଛନ୍ତି । ତାଙ୍କ ପରଲୋକ ଗମନ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନାଯୋଗ୍ୟ ସ୍ବର୍ଗତ ପଟ୍ଟନାୟକ ପ୍ରେସ କ୍ଲବ ସଭାପତି ଭାବେ ପରିଚିତ ଥିଲେ ବୋଲି ତାଙ୍କ ନିକଟତମ ମହଲ ପ୍ରକାଶ କରିଛନ୍ତି ।