ବାଣପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଙ୍କ ସମେତ ଅନ୍ୟ ଜଣେ ଯୁବକ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି ।
ସନ୍ଦେହ ହେବାରୁ କବାଟ ଭଙ୍ଗାଯାଇଥିଲା ଏବଂ ସ୍ୱାମୀ ଘର ପଙ୍ଖାରେ ଝୁଲୁଥିବାର ପତ୍ନୀ ଦେଖିବାକୁ ପାଇଥିଲେ ।
୨୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :-> ଗତ ୨୪ ଘଣ୍ଟା ମଧ୍ୟରେ ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବାଣପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଙ୍କ ସମେତ ଅନ୍ୟ ଜଣେ ଯୁବକ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଯନ୍ତ୍ରୀ ତପନ କୁମାର ନାୟକ (୫୩) ପଲଟନ ପଡିଆ ନିକଟସ୍ଥ ଭଡ଼ା ଘରେ ଆତ୍ମହତ୍ୟା କରିଥିବା ବେଳେ ଧର୍ମେନ୍ଦ୍ର ସାହୁ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଯନ୍ତ୍ରୀ ନାୟକଙ୍କ ନିଜ ଘର ଖୋର୍ଦ୍ଧା ମଳିପଡ଼ା ହୋଇଥିବା ବେଳେ ବ୍ଳକ ନିକଟରେ ଏକ ଘର ଭଡା ନେଇ ରହୁଥିଲେ । ରବିବାରେ ବାଣପୁର ଭଡ଼ାଘରେ କେହି ନଥିବା ବେଳେ ସେ’ ବେକରେ ଲୁଗା ଲଗାଇ ଝୁଲିପଡ଼ିଥିଲେ ।
ତେବେ ଅପରାହ୍ଣରେ ଯନ୍ତ୍ରୀଙ୍କ ଧର୍ମପତ୍ନୀ ଘରକୁ ଫେରି କବାଟ ବାଡେଇଥିବା ବେଳେ କେହି କବାଟ ଖୋଲିନଥିଲେ । ସନ୍ଦେହ ହେବାରୁ କବାଟ ଭଙ୍ଗାଯାଇଥିଲା ଏବଂ ସ୍ୱାମୀ ଘର ପଙ୍ଖାରେ ଝୁଲୁଥିବାର ପତ୍ନୀ ଦେଖିବାକୁ ପାଇଥିଲେ । ତପନଙ୍କ ପତ୍ନୀଙ୍କ ଠାରୁ ସୂଚନା ପାଇ ଥାନାଧିକାରୀ ରମେଶ ଚନ୍ଦ୍ର ଦେବତା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଯନ୍ତ୍ରୀ ତପନ ଦୀର୍ଘ ଦିନ ଧରି ମାନସିକ ସ୍ତରରେ ଅସୁସ୍ଥ ହୋଇପଡିଥିବାରୁ ଚିକିତ୍ସିତ ହେଉଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଖବର ପାଇ ଉପ ଜିଲାପାଳ ଦୀପ୍ତିରଞ୍ଜନ ସେଠୀ ଓ ମଣ୍ଡଳ ଉନ୍ନୟନ ଅଧିକାରୀ ଶୀତଲ ଅଗ୍ରୱାଲା, ବ୍ଳକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚଛନ୍ତି ।

ପ୍ରାୟ ଦୁଇ ବର୍ଷ ହେବ ଯନ୍ତ୍ରୀ ତପନ ନାୟକ ବାଣପୁର ବ୍ଲକରେ ନିଯୁକ୍ତି ପାଇଥିବା ବେଳେ ସେ’ କଣ ପାଇଁ ଆତ୍ମହତ୍ୟା କରିଲେ ତାହା ଜଣାପଡିନାହିଁ । ତଦନ୍ତ ପରେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଅନ୍ୟ ପକ୍ଷରେ ଗତ ରାତିରେ ବାଣପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ବ୍ରଜ ସାହୁଙ୍କ ପୁତ୍ର ଧର୍ମେନ୍ଦ୍ର ସାହୁ (୪୦) ବେକରେ ଲୁଗା ଗୁଡ଼ାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକ ଏହା ଦେଖି ପୁଲିସକୁ ଖବର ଦେବାରୁ ପୁଲିସ ୧୮/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।
ସୂଚନା ଥାଉକି ଧର୍ମେନ୍ଦ୍ରଙ୍କ ବଡଭାଇ ଗତ କିଛି ବର୍ଷ ପୂର୍ବେ ସମାନ ଢଙ୍ଗରେ ସେହି ଗୋଟିଏ କୋଠରୀରେ ଆତ୍ମହତ୍ୟା କରିଥିଲେ । ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଧର୍ମେନ୍ଦ୍ର ଅନଲାଇନ ଗେମରେ ବହୁ ଟଙ୍କାର କ୍ଷତି ସହିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବାର ସାଧାରଣରେ ଚର୍ଚ୍ଚା ହେଉଛି ।














