No Result
View All Result
ଫୁଲବାଣୀ-କଟକ ନୂଆ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ ପାଇଁ ଦାବୀ
୨୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଫୁଲବାଣୀ :- ଜିଲ୍ଲା ସଦରମହକୁମାଠାରୁ ରାଜ୍ୟର ରାଜଧାନୀକୁ ଗମନାଗମନ ପାଇଁ ଗତ ୨୦୧୯ ମସିହା ଜାନୁଆରୀ ୧୮ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଡ଼କ ପରିବହନ ନିଗମର ଶୀତତାପ ନିୟନ୍ତ୍ରିତ ରାଜଧାନୀ ଏକ୍ସପ୍ରେସ ବସ୍ର ଶୁଭାରମ୍ଭ କରିଥିଲେ । ସେହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରୁ କଟକକୁ ଏକ ସରକାରୀ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରୁଛି । କିନ୍ତୁ ଉକ୍ତ ବସ୍ର ଯାନ୍ତ୍ରିକ ତ୍ରୁଟିକୁ ସଠିକ୍ ଭାବେ ମରାମତି କରାନଯିବାରୁ ଏହା ପ୍ରାୟ ସମୟରେ ଅଚଳ ହେବା ସହିତ ଗମନାଗମନ ସମୟରେ ଅଧା ବାଟରେ ଖରାପ ହୋଇ ରହିଯାଉଛି । ଯଦ୍ଵାରା ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ।
ଏହା ଏକ ଲାଭଜନକ ରୁଟ୍ ହୋଇଥିବା ବେଳେ ଜିଲ୍ଲାବାସୀ ପ୍ରତ୍ୟେକ ଦିନ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଏବଂ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ନିମନ୍ତେ ରେଭେନ୍ସା ବିଶ୍ଵବିଦ୍ୟାଳୟ ସହ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ଯିବାଆସିବା କରିଥାନ୍ତି । କିନ୍ତୁ ଜିଲ୍ଲାବାସୀ ଉକ୍ତ ରୁଟ୍ରେ ଚଳାଚଳ କରୁଥିବା ପୁରୁଣା ବସ୍ ବଦଳରେ ଏକ ସବୁଜ ରଙ୍ଗର ନୂତନ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଚିଠି ପତ୍ର ଲେଖି ଅବଗତ କରାଇଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି । ଏହି ବିଷୟରେ ଫୁଲବାଣୀ ଓ.ଏସ୍.ଆର୍.ଟି.ସି, ୟୁନିଟ୍ ଦାୟିତ୍ଵରେ ଥିବା ଅଧିକାରୀ ଅଭିଷେକ ସାମନ୍ତରାୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସେ ଏଥିପ୍ରତି ସଚେତନ ନାହାନ୍ତି ।
ବରଂ ସେ କହୁଛନ୍ତି କି ଯାତ୍ରୀଙ୍କ ଅସୁବିଧା ହେଲେ ମୁଁ କ’ଣ କରିବି । କିଛି ମାସ ତଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତରଫରୁ ରାଜ୍ୟର ବିଭିନ୍ନ ସଦରମହକୁମାକୁ ଚଳାଚଳ କରୁଥିବା ପୁରୁଣା ସରକାରୀ ଶୀତତାପ ନିୟନ୍ତ୍ରିତ ବସ୍କୁ ବଦଳାଇ ତାହା ବଦଳରେ ନୂତନ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଫୁଲବାଣୀ ସହରବାସୀଙ୍କୁ ଓ.ଏସ୍.ଆର୍.ଟି.ସି କର୍ତ୍ତୃପକ୍ଷଙ୍କ ତରଫରୁ ବାରମ୍ବାର ବୈମାତୃକ ମନୋଭାବ ପୋଷଣ କରାଯାଉଛି ।
ତେଣୁ କନ୍ଧମାଳ ଜିଲ୍ଲାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିକୋଣରୁ ଆଗାମୀ ଏକ ମାସ ମଧ୍ୟରେ ଫୁଲବାଣୀଠାରୁ କଟକକୁ ଚଳାଚଳ କରୁଥିବା ପୁରୁଣା ସରକାରୀ ଶୀତତାପ ନିୟନ୍ତ୍ରିତ ବସ୍କୁ ବଦଳାଇ ତାହା ବଦଳରେ ଏକ ସବୁଜ ରଙ୍ଗର ଅତ୍ୟାଧୁନିକ ନୂତନ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବାର ବ୍ୟବସ୍ଥା କରିବା ପାଇଁ କନ୍ଧମାଳ ଜିଲ୍ଲାର ଯୁବ ଗବେଷକ ତଥା ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ଏବଂ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ମୋ-ସରକାର ୫-ଟି ସଚିବ, ବିଭାଗୀୟ ପ୍ରମୁଖ ଶାସନ ସଚିବ, ଓ.ଏସ୍.ଆର୍.ଟି.ସି ପରିଚାଳନା ନିର୍ଦେଶକ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

No Result
View All Result