ଓଡିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶୁକ୍ରବାର) ନୟାଗଡ଼ :- ନୟାଗଡ଼ ସହର ଉପକଣ୍ଠ ପିଟିଏସ୍ ରୋଡ୍ ରେ ଅବସ୍ଥିତ ଭାରତ ବିକାଶ ପରିଷଦ ଭବନରେ ପରିଷଦର ପ୍ରତିଷ୍ଠା ଦିବସ ଓ ନୟାଗଡ଼ ଶାଖାର ସ୍ଥାପନାଦିବସ ସାମାଜିକ ଦୂରତା ରକ୍ଷା କରି ବୃକ୍ଷ ରୋପଣ ମାଧ୍ୟମରେ ପାଳିତ ହୋଇଯାଇଛି । ଶାଖା ଅଧ୍ଯକ୍ଷ ବିଦ୍ଯାଧର ଆଚାର୍ଯ୍ୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ପ୍ରାକ୍ତନ ରାଜ୍ଯସଭା ସାଂସଦ ତଥା ରଣପୁର ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡି, ଏସିଏଫ୍ ଶ୍ବେତାଲିନା ସାହୁ ଓ ଭାରତ ବିକାଶ ପରିଷଦର ରିଜିଓନାଲ ସେକ୍ରେଟାରୀ ଶ୍ରୀଧର ସାହୁ ଯୋଗଦେଇ ଥିଲେ । ଶାଖା ସଚିବ ପ୍ରଦୀପ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ପରିଷଦର ରିଜିଓନାଲ ସେକ୍ରେଟାରୀ ଶ୍ରୀଯୁକ୍ତ ସାହୁ ପରିଷଦର ଉତ୍ପତ୍ତି, ଲକ୍ଷ୍ଯ ଓ କାର୍ଯ୍ୟ ସହିତ ପ୍ରତିଷ୍ଠା ଦିବସର ମହତ୍ତ୍ବ ବିଷୟରେ ନିଜସ୍ବ ବକ୍ତବ୍ଯ ରଖିଥିଲେ । ୧୯୬୨ ମସିହାରେ ଭାରତ ଓ ଚୀନ୍ ଯୁଦ୍ଧ ସମୟରେ ଭାରତୀୟ ସୈନିକ ମାନଙ୍କୁ ସରକାରଙ୍କ ଜରିଆରେ ସହାୟତା ପ୍ରଦାନ କରିବା ପାଇଁ ଡାକ୍ତର ସୂରଜ ପ୍ରକାଶ ନୂଆ ଦିଲ୍ଲୀ ରେ ଗଠନ କରିଥିଲେ ନାଗରିକ ଫୋରମ୍ । ସେହି ଫୋରମ୍ ସ୍ବାମୀ ବିବେକାନନ୍ଦଙ୍କ ୧୦୦ ବର୍ଷ ଜନ୍ମ ବାର୍ଷିକ ଉପଲକ୍ଷେ ୧୯୬୩ ମସିହା ଜୁଲାଇ ୧୦ ତାରିଖରେ ଭାରତ ବିକାଶ ପରିଷଦ ନାମରେ ନାମିତ ହେବା ସହିତ ପଞୀକରଣ ହୋଇଥିଲା ।
ସେହି ଦିନ ଠାରୁ ପ୍ରତିବର୍ଷ ଜୁଲାଇ ୧୦ ତାରିଖକୁ ପରିଷଦର ପ୍ରତିଷ୍ଠା ଦିବସ ଭାବରେ ପାଳନ କରାଯାଉଛି । ବର୍ତ୍ତମାନ ଭାରତ ବର୍ଷ ରେ ୨୦୦୦ ଶାଖା କୁ ନେଇ ଏହି ପରିଷଦ ସମାଜ ସେବାରେ ନିଜକୁୁ ନିୟୋଜିତ କରିଛି । ଏହି ଅବସରରେ ପରିଷଦ ଭବନ ସାମନାରେ ଥିବା ରାସ୍ତାର ଉଭୟ ପାର୍ଶ୍ୱରେ ବଉଳ, ଦେବଦାରୁ ଓ କଦମ୍ବ ଆଦି ଗଛ ରୋପଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଶାଖାର ବରିଷ୍ଠ ସଦସ୍ଯ ପ୍ରାଧ୍ୟାପକ ଶ୍ରୀଧର ମିଶ୍ର, ଅନାଦି ଚରଣ ମହାନ୍ତି, ପ୍ରଫୁଲ୍ଲ କୁମାର ନାୟକ, ଶରତ ଚନ୍ଦ୍ର ଆଚାର୍ଯ୍ୟ, ସୂର୍ଯ୍ୟମଣି ସାହୁ, କାମାକ୍ଷା ପ୍ରସାଦ ଦାଶ ଉପସ୍ଥିତ ରହି ଗଛଲଗା କାମରେ ସହଯୋଗ କରିଥିଲେ । ପରିଶେଷରେ ଶାଖାର ବରିଷ୍ଠ ସଦସ୍ଯ ତଥା ବରିଷ୍ଠ ନାଗରିକ ମଂଚର ସଂପାଦକ ଦୁର୍ଯ୍ୟୋଧନ ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ । (ରିପୋର୍ଟ – ରାମ କୃଷ୍ଣ ରଥ)