୨୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ସିଆଇଟିୟୁ ନେତୃତ୍ୱରେ ‘ଓଡ଼ିଶା ଆଶାକର୍ମୀ ଆସୋସିଏସନ’ ତରଫରୁ ସୋମବାର ଦିନ ବିଧାନସଭା ସମ୍ମୁଖରେ ଆଶାକର୍ମୀଙ୍କ ଗଣବିକ୍ଷୋଭ ସଂଗଠିତ ହୋଇଯାଇଛି । ମାଷ୍ଟର କ୍ୟାଣ୍ଟିନ ଛକରୁ ଆଶାକର୍ମୀଙ୍କ ଏକ ବିଶାଳ ଶୋଭାଯାତ୍ରା ବାହାରି ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସଭାପତି ସାଥୀ ଲୋଭାକାନ୍ତ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିଆଇଟିୟୁର ରାଜ୍ୟ ସାଧାରଣ ସମ୍ପାଦକ ସମେତ ଅନ୍ୟ ବକ୍ତାମାନେ କେନ୍ଦ୍ର ମୋଦୀ ଓ ରାଜ୍ୟ ନବୀନ ସରକାରଙ୍କ ଶ୍ରମିକ ବିରୋଧୀ ନୀତକୁ ତୀବ୍ର ସମାଲୋଚନା କରିଥିଲେ । ଦୀର୍ଘ ୧୭ ବର୍ଷ ହେଲା ଦମକଳ ବାହିନୀ ଭଳି କାର୍ଯ୍ୟ କରି ଓ ମହାମାରୀ କରୋନା ସମୟରେ ନିଜ ଜୀବନକୁ ଜଳାଞ୍ଜଳି ଦେଇ କୋଭିଡ ଯୋଦ୍ଧାର ଭୂମିକା ନିର୍ବାହ କରିଥିବା ଆଶାକର୍ମୀଙ୍କୁ ଉଭୟ ସରକାର ଅଣଦେଖା କରୁଛନ୍ତି ।

ମାସିକ ୧୦ ହଜାରରୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ କେରଳ ଓ ଆନ୍ଧ୍ର ସରକାର ମାସିକ ପାଉଣା ଦେଲାବେଳେ ଓଡ଼ିଶା ସରକାର ମାତ୍ର ୩୫୦୦ ଟଙ୍କାରେ ସୀମିତ ଅଛନ୍ତି । ଭାରତ ଶ୍ରମ କମିଶନଙ୍କ ୪୫ ଓ ୪୬ତମ ଶ୍ରମ ସମ୍ମିଳନୀର ନିଷ୍ପତ୍ତିକ୍ରମେ ଆଶାକର୍ମୀଙ୍କୁ ତୁରନ୍ତ ସ୍ଥାୟୀ କର୍ମଚାରୀର ମାନ୍ୟତା, ମାସିକ ପ୍ରୋତ୍ସାହନ ରାଶି ନୁହେଁ, ମାସିକ ୨୬ ହଜାର ଟଙ୍କା ଦରମା, ମାସିକ ୧୦ ହଜାର ଟଙ୍କା ପେନସନ, ମୃତ୍ୟୁକାଳୀନ ଓ ଅବସରକାଳୀନ ସହାୟତା ୮ ଲକ୍ଷ ଟଙ୍କା ସମେତ ସାମାଜିକ ସୁରକ୍ଷାମାନ ଯୋଗାଇ ଦେବା ସହ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ଼ ବାତିଲ୍ ଏବଂ ଏନ୍ଏଚ୍ଏମ୍କୁ ଅଧିକ ଅନୁଦାନ ଦେବାକୁ ବକ୍ତାମାନେ ଦୃଢ ଦାବୀ କରିଥିଲେ । ପରିଶେଷରେ ସିଟୁର ସାଧାରଣ ସମ୍ପାଦକ ସାଥୀ ବିଷ୍ଣୁ ମହାନ୍ତିଙ୍କ ନେତୃତ୍ୱରେ ଏକ ୯ ଜଣିଆ ପ୍ରତିନିଧି ମଣ୍ଡଳୀ ସ୍ୱାସ୍ଥ୍ୟ ସଚୀବ ଶାଳିନୀ ପଣ୍ଡିତଙ୍କୁ ଭେଟି ୨୦ ଦଫା ଦାବୀ ପତ୍ର ଉପରେ ଆଲୋଚନା କରିଥିଲେ ।

ଆସନ୍ତା ଏକମାସ ମଧ୍ୟରେ ମାସିକ ପାଉଣା ଆଶାତୀତ ବୃଦ୍ଧି ସହ ଦାବୀ ଗୁଡ଼ିକ କିଛି ପରିମାଣରେ ପୂରଣ କରାଯିବ ବୋଲି ସଚୀବ ଦୃଢ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଥିଲା । ଏହି ବିକ୍ଷୋଭ ସମାବେଶରେ ସିଆଇଟିୟୁର ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜ୍ୟ ସଭାପତି ଲୋଭାକାନ୍ତ ସ୍ୱାଇଁ, ରାଜ୍ୟ ସାଧାରଣ ସମ୍ପାଦିକା ଶକୁନ୍ତଳା ମହାକୁଡ଼, ହୃଦାନନ୍ଦ ଯାଦବ, ସୁରେଶ ସ୍ୱାଇଁ, ପ୍ରଭାତ ପାଣିଗ୍ରାହୀ, ରମେଶ ଜେନା, ପୂର୍ଣ୍ଣଚନ୍ଦ୍ର ପାଢୀ, ନଳିନୀ ଦାସ, ସୁଲୋଚନା ପରିଡ଼ା, ଲକ୍ଷ୍ମୀପ୍ରିୟା ମହାପାତ୍ର, ରୀନା ନାୟକ, ସନ୍ତୋଷ ଦାସ, ଶାନ୍ତିଲତା ମହାନ୍ତ, ମିନା ବେହେରା, ସଂଯୁକ୍ତା ସେଠୀ, ପୀତବାସ ବେହେରା, ଡଲି ଭୋଇ, ରଞ୍ଜିତା ଦାସ, ସୁନିତା ସିଂ, ନମିତା ଖମାରୀ, ପଦ୍ମିନୀ ପଣ୍ଡା, ଉମାରାଣୀ ଦାସ, ବିକାଶ ନାଥ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।















