୨୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :->ଓଡ଼ିଶା ମିଲେଟ୍ସ ମିଶନ (ଓ.ଏମ୍.ଏମ୍) ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଓଡ଼ିଶା ର ମିଳିତ ପ୍ରୟାସରେ ସେପ୍ଟେମ୍ବର ୨୪ ତାରିଖରେ ଭୁବନେଶ୍ୱରସ୍ଥିତ କଳାଭୂମିଠାରେ ଏକ ଦିନିକିଆ ମିଲେଟ୍ ଫୁଡ୍ ଫେଷ୍ଟିଭାଲ ଆୟୋଜିତ ହୋଇଯାଇଛି, ଯେଉଁଠି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବହୁ ଅତ୍ୟାଧୁନିକ ରେଷ୍ଟୁରାଣ୍ଟ ବିଭିନ୍ନ ପ୍ରକାରର ମିଲେଟ୍କୁ ବ୍ୟବହାର କରାଯାଇ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ପରିଦର୍ଶକମାନଙ୍କ ସାମ୍ନାରେ ପରିବେଷଣ କରିଛନ୍ତି । ମିଲେଟ୍ସକୁ ଲୋକଲୋଚନକୁ ଆଣିବା ପାଇଁ ଓଡ଼ିଶା ସରକାର ଯେଉଁ ଲକ୍ଷ୍ୟ ରଖିଥିଲେ ତାହାର ଏକ ସୁମହତ ପଦକ୍ଷେପ ହେଉଛି ଓଡ଼ିଶା ମିଲେଟ୍ସ ମିଶନ ।
ମିଲେଟ୍ସକୁ ଚାଷଜମିରୁ ଆଣି ଖାଦ୍ୟଥାଳିରେ ପହଞ୍ଚାଇବା ଲାଗି ଓଡ଼ିଶା ମିଲେଟ୍ସ ମିଶନ୍ ଖୁବ୍ ସକ୍ରିୟ ଭାବରେ ସମଗ୍ର ରାଜ୍ୟରେ ମିଲେଟ୍ସକୁ ପ୍ରୋତ୍ସାହିତ କରୁଛି ଏବଂ ଏଥିରେ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଓଡ଼ିଶା ର ସହଯୋଗକୁ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ବିବେଚନା କରାଯାଉଛି । ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟ ର ସେଫ୍ମାନଙ୍କ ଲାଗି ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ କିପରି ମିଲେଟ୍ ଡିସ୍ ପ୍ରସ୍ତୁତ କରାଯିବ ତାହାକୁ ନେଇ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । କୃଷି ବିଭାଗର ମୁଖ୍ୟ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରି କହିଥିଲେ, ମିଲେଟ୍ସରୁ ନୂଆନୂଆ ଡିସ୍ ପ୍ରସ୍ତୁତ କରିବା ତଥା ଏହାକୁ ଅଧିକରୁ ଅଧିକ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ୍ ସବୁବେଳେ ରେଷ୍ଟୁରାଣ୍ଟ ଆସୋସିଏସନ୍ର ସହଯୋଗ ଲୋଡୁଛି ।