୨୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ, ଓଡ଼ିଶା ଫାର୍ମାସୀ କଲେଜ ଆସୋସିଏସନ, ମାଇକ୍ରୋ ଲାବ ଆନୁକୂଲ୍ୟରେ ସୋମବାର ଦିନ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୨୦୦ରୁ ଉର୍ଦ୍ଧ୍ୱ ଫାର୍ମାସିଷ୍ଟ ୟୁସିଡିଏ ଅଫିସ୍ ଅଟଳ ଭବନରୁ ଏକ ବିଶାଳ ପଦଯାତ୍ରାରେ ବାହାରି ରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ସମାଜ ପ୍ରତି ଫାର୍ମାସିଷ୍ଟ ମାନଙ୍କ କର୍ତ୍ତବ୍ୟ ପରାୟଣ ଓ ଅବଦାନକୁ ସର୍ବସମ୍ମୁଖରେ ଅବଗତ କରାଇବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ୟୁସିଡ଼ିଏର ସଭାପତି ତଥା ଓପିସିଏର ଚେୟାରମ୍ୟାନ ଶ୍ରୀଯୁକ୍ତ ପି. ସତ୍ୟନାରାୟଣ ବକ୍ତବ୍ୟ ରଖିଥିଲେ ।
ଏହି ପଦଯାତ୍ରାକୁ ଭେଷଜ ନିୟନ୍ତ୍ରକ ଓଡ଼ିଶା ଶ୍ରୀଯୁକ୍ତ ଅଶୋକ କୁମାର ପାତ୍ର ଶୁଭାରମ୍ଭ କରି କହିଥିଲେ ଯେ, ଫାର୍ମାସିଷ୍ଟ ବିନା ଚିକିତ୍ସା ପ୍ରଣାଳୀ ପକ୍ଷପାତ ସଦୃଶ । ଔଷଧ ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ବିତରଣ ପର୍ଯ୍ୟନ୍ତ ଫାର୍ମାସିଷ୍ଟ ମାନଙ୍କ ଅବଦାନ ଅତୁଳନୀୟ । ଏହି ଦିବସଟିକୁ ବିଶ୍ୱର ସମସ୍ତ ଫାର୍ମାସିଷ୍ଟ ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବା ସହିତ ସମାଜ ପ୍ରତି ଫାର୍ମାସିଷ୍ଟ ମାନଙ୍କ ସେବାମୂଳକ ମନୋଭାବ ଏବଂ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ଅଦ୍ୱିତୀୟ ବୋଲି ୟୁସିଡ଼ିଏର ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଥିଲେ ।
ଓପିସିଏର ସମ୍ପାଦକ ଡ. ମନୋଜ କୁମାର ଦାସ କହିଲେ ଯେ, ଫାର୍ମାସିଷ୍ଟ ମାନଙ୍କର ଅବଦାନ ଚିକିତ୍ସା ଏବଂ ସମାଜ କ୍ଷେତ୍ରରେ ଅତୁଳନୀୟ । ମାଇକ୍ରୋ ଲାବର ଉପସଭାପତି ଶ୍ରୀ ସନ୍ତୋଷ କୁମାର ସଢଙ୍ଗୀଙ୍କ କହିବା ଅନୁଯାୟୀ ଫାର୍ମାସିଷ୍ଟ ମାନଙ୍କୁ ଚିକିତ୍ସା ଏବଂ ସାମାଜିକ କ୍ଷେତ୍ରରେ ଅଗ୍ରାଧିକାର ଦେବା ଦରକାର । ଏହା ଆମ ତରଫରୁ ଏକ କ୍ଷୁଦ୍ର ପ୍ରୟାସ ମାତ୍ର । ଏହି କାର୍ଯ୍ୟକ୍ରମରେ ପାଖାପାଖି ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଡ଼ାଇବେଟିସ, ଲିପିଡ଼ ପ୍ରୋଫାଇଲ, ଏଚ୍ବିଏୱାନସି ରକ୍ତ ପରୀକ୍ଷା କରାଯାଇଥିଲା ।