No Result
View All Result
୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ :-> ହିନ୍ଦୀ ଭାଷା କେବେ ଅନ୍ୟ କୌଣସି ଭାରତୀୟ ଭାଷା ସହିତ ପ୍ରତିଯୋଗିତା କରିନାହିଁ କିମ୍ବା କରିବ ନାହିଁ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି । ହିନ୍ଦୀ ଦିବସ ପାଳନ ଅବସରରେ ଶ୍ରୀ ଶାହ ଭାଷାଗତ ବିବିଧା ପାଇଁ ପରିଚିତ ଏକ ରାଷ୍ଟ୍ରରେ ହିନ୍ଦୀ ଭାଷାର ଏକଜୁଟ କରିବା ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଦେଶବାସୀଙ୍କୁ ବାର୍ତ୍ତାଦେଇ ସେ କହିଛନ୍ତି ଯେ ହିନ୍ଦୀ ଭାଷା ଦେଶରେ ଏକତା ଏବଂ ପ୍ରଗତିକୁ ଆଗେଇନେବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି ।ଭାରତ ବହୁ ଭାଷା ଓ ସଂସ୍କୃତିର ଏକ ଭୂମି ହୋଇଥିବାବେଳେ ଏହା ସର୍ବଦା ନିଜର ଭାଷାଗତ ସମୃଦ୍ଧିକୁ ନେଇ ଗର୍ବ କରିଆସିଛି । ହିନ୍ଦୀ ଅତ୍ୟନ୍ତ ବ୍ୟାପକ ଭାବରେ କଥିତ ଭାଷା ଭାବରେ ଦେଶବ୍ୟାପୀ ଜନସାଧାରଣଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ଏକ ସେତୁ ଭଳି କାମ କରିଛି ।
ସ୍ୱାଧୀନତା ସଂଗ୍ରାମ ସମୟରେ ହିନ୍ଦୀ ଭାଷାର ପ୍ରମୁଖ ଭୂମିକା ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଆଲୋକପାତ କରିଥିଲେ । ବିବିଧ ଭାଷା ଏବଂ ଉପଭାଷା ପ୍ରଚଳିତ ଥିବା ଆମ ରାଷ୍ଟ୍ରରେ ହିନ୍ଦୀ ଏକତା ସୃଷ୍ଟିକାରୀ ଶକ୍ତି ଭାବରେ ଉଭା ହୋଇଛି ଏବଂ ଏହା ସମଗ୍ର ଦେଶରେ ସ୍ୱାଧୀନତା ଆନ୍ଦୋଳନକୁ ସଂଯୁକ୍ତ କରି ରଖିବାରେ ସହାୟତା କରିଥିଲା । ସମାନ ସମୟରେ ‘ସ୍ୱରାଜ’ ଏବଂ ‘ସ୍ୱଭାଷା’ ପାଇଁ ଚାଲିଥିବା ଆନ୍ଦୋଳନ ସ୍ୱାଧୀନତା ହାସଲ ସକାଶେ ଲଢେଇରେ ହିନ୍ଦୀର ଗୁରୁତ୍ୱକୁ ପ୍ରଦର୍ଶିତ କରିଥିଲା । ସାଂସ୍କୃତିକ ଅଭିବ୍ୟକ୍ତିରେ ହିନ୍ଦୀ ଭାଷାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରି ଶ୍ରୀ ଅମିତ ଶାହ ବିଶିଷ୍ଟ ସାହିତ୍ୟକାର ହରିଶ୍ଚନ୍ଦ୍ରଙ୍କ ପ୍ରସିଦ୍ଧ କବିତା ‘ନିଜ୍ ଭାଷା ଉନ୍ନତିଆହେ’ର ଅବତାରଣା କରିଥିଲେ । ସେ ପ୍ରାଧାନ୍ୟ ଦେଇ କହିଥିଲେ ଯେ, ସମସ୍ତ ଭାରତୀୟ ଭାଷା ଓ ଉପଭାଷାର ବିକାଶ ଆମ ରାଷ୍ଟ୍ରର ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଛି ।
ଭାରତୀୟ ଭାଷା ସମୂହକୁ ପ୍ରୋତ୍ସାହିତ କରିବା ଦିଗରେ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ବ୍ୟାପାର ବିଭାଗର ସରକାରୀ ଭାଷା ବିଭାଗର ପ୍ରୟାସକୁ ଶ୍ରୀ ଶାହ ପ୍ରଶଂସା କରିଥିଲେ । ଆଧୁନିକ ପ୍ରଯୁକ୍ତିକୁ ଉପଯୋଗ କରି ଏହି ବିଭାଗ ଭାରତୀୟ ଭାଷା ସମୂହକୁ ସାଧାରଣ ପ୍ରଶାସନ, ଶିକ୍ଷା ଏବଂ ବୈଜ୍ଞାନିକ କ୍ଷେତ୍ରରେ ପ୍ରତିଷ୍ଠିତ କରିବା ଲକ୍ଷ୍ୟ ରଖିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଅଧୀନରେ ଜନ କଲ୍ୟାଣ ଯୋଜନାଗୁଡିକ ସଫଳତାର ସହିତ ଭାରତୀୟ ଭାଷାରେ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ଦିଗରେ ପଦକ୍ଷେପ ନିଆଯାଇଛି ।
ସରକାରୀ ଭାଷା କ୍ଷେତ୍ରରେ ଥିବା ସଂସଦୀୟ କମିଟି ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ବ୍ୟବହାରିତା ସମ୍ପର୍କରେ ସମୀକ୍ଷା ଦାୟିତ୍ୱ ନେଇଥିବାବେଳେ ଏହା ସମ୍ମାନନୀୟ ରାଷ୍ଟ୍ରପତିଙ୍କ ନିକଟରେ ନିଜର ଦ୍ୱାଦଶ ରିପୋର୍ଟ ଦାଖଲ କରିଛି, ଯାହା ଭାଷାକୁ ପ୍ରୋତ୍ସାହନ ଦେବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାର ଏକ ନିଦର୍ଶନ ହୋଇଛି । ଏଥିସହିତ ଉଭୟ ଭାରତ ଓ ବିଦେଶରେ ସହରାଞ୍ଚଳ ସରକାରୀ ଭାଷା କାର୍ଯ୍ୟକାରିତା କମିଟି ସମୂହ (ଟିଓଏଲ୍ଆଇସି) ସ୍ଥାପନ କରାଯାଇଛି ।
ଶ୍ରୀ ଅମିତ ଶାହ କହିଥିଲେ ଯେ, ସରକାରୀ ଭାଷା ବିଭାଗ ‘କଣ୍ଠସ୍ଥ’ ସ୍ମୃତି ଭିତ୍ତିକ ଅନୁବାଦ ବ୍ୟବସ୍ଥା ଏବଂ ଭାରତୀୟ ଭାଷାଗୁଡିକର ଶବ୍ଦକୁ ନେଇ ସମୃଦ୍ଧ ‘ହିନ୍ଦୀ ଶବ୍ଦ ସିନ୍ଧୁ’ ଅଭିଧାନ ଜରିଆରେ ସରକାରୀ ଭାଷାରେ ଆଧୁନିକୀକରଣ କରିବା ଲକ୍ଷ୍ୟରେ ‘ସର୍ବଭାରତୀୟ ସରକାରୀ ଭାଷା ସମ୍ମିଳନୀ’ ଆୟୋଜନର ଏକ ନୂଆ ପରମ୍ପରା ଆରମ୍ଭ କରିଛି । ଏସବୁ ସହିତ ଭାଷା ଶିକ୍ଷାକୁ ସୁଗମ କରିବା ନିମନ୍ତେ ‘ଇ-ମହାଶବ୍ଦକୋଷା’ ଏବଂ ‘ଇ-ସରଳ’ ଅଭିଧାନ ଭଳି ମୋବାଇଲ ଆପ୍ଗୁଡିକର ବିକାଶ କରାଯାଇଛି । ପରିଶେଷରେ ଶ୍ରୀ ଅମିତ ଶାହ ବିଶ୍ୱାସ ପ୍ରକଟ କରି କହିଥିଲେ ଯେ, ଜନସାଧାରଣଙ୍କ ଗ୍ରହଣୀୟତା ଦ୍ୱାରା ହିନ୍ଦୀ ଭାଷାର ଉତ୍ଥାନ ଜାରି ରହିବ, ଏହା ବୈଜ୍ଞାନିକ ଏବଂ ପ୍ରଯୁକ୍ତିଗତ ପାରଦର୍ଶିତା ଲାଭ କରିବା ସହିତ ଏକ ସମୃଦ୍ଧ ସରକାରୀ ଭାଷା ଭାବରେ ଉଭା ହୋଇ ଭାରତୀୟ ଐକ୍ୟତା ଏବଂ ସାଂସ୍କୃତିକ ବିବିଧତା ପ୍ରତି ଉଲ୍ଲେଖନୀୟ ଅବଦାନ ରଖିବ ।

No Result
View All Result