ଓଡିଶା ତାଜା ନ୍ୟୁଜ୍ ( ୦୪ ଜୁଲାଇ ଶନିବାର ) ଭୁବନେଶ୍ୱର :- ଶକ୍ତି କ୍ଷେତ୍ରରେ ବିନିଯୋଗ ପୁଞ୍ଜିର ସୁଧ ହାରକୁ ହ୍ରାସ କରିବାକୁ ଦେଶର ସମସ୍ତ ରାଜ୍ୟର ଶକ୍ତି ମନ୍ତ୍ରୀମାନଙ୍କୁ ନେଇ ଆୟୋଜିତ ଭିଡ଼ିଓ କନ୍ଫରେନ୍ସରେ ଓଡ଼ିଶା ତା’ର ଦାବି ଉ ପସ୍ଥା ପିତ କରିଛି । ଗତକାଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍.କେ. ସିଂ ଙ୍କ ଅଧ୍ୟକ୍ଷତାରେ ଏହି ଭିଡ଼ିଓ କନ୍ଫରେନ୍ସରେ ଶକ୍ତି କ୍ଷେତ୍ରରେ ରହିଥିବା ଅନେକ ସମସ୍ୟା ଉପରେ ଏଥିରେ ଆଲୋଚନା କରାଯାଇଥିଲା । ରାଜ୍ୟ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ସଂପ୍ରତି କୋଭିଡ୍- ୧୯ଜନିତ ଅଚଳାବସ୍ଥା ଯୋଗୁଁ ବହୁ ମାତ୍ରାରେ କଳକାରଖାନା ବନ୍ଦ ହୋଇଯାଇଥିବା ପରିପ୍ରେକ୍ଷୀରେ ବିଦ୍ୟୁତ ବ୍ୟବହାର ମଧ୍ୟ ପର୍ଯ୍ୟାପ୍ତ ମାତ୍ରାରେ ହ୍ରାସ ପାଇଥିବା ଦର୍ଶାଇ ଏଥି ପାଇଁ ବିଦ୍ୟୁତ ବିତରଣକାରୀ ସଂସ୍ଥାଗୁଡ଼ିକ ବିଦ୍ୟୁତ ଦେୟ ଆଦାୟ କରି ପାରୁ ନଥିବା ପ୍ରସଙ୍ଗ ଉଠାଇଥିଲେ । ଏ ପରି କ୍ଷେତ୍ରରେ ସେମାନଙ୍କ ସୁଧ ହାରରେ କୋହଳ ନ କରାଗଲେ ତାହାର ବିଶେଷ ପ୍ରଭାବ ଶକ୍ତି କ୍ଷେତ୍ରରେ ଅନୁଭୂତ ହେବ ବୋଲି ସେ କହିଥିଲେ ।
ତେଣୁ ଏହାର ପରିମାଣକୁ ୯.୫%ରୁ ୬%କୁ ହ୍ରାସ କରିବାକୁ ସେ ଦାବି କରିଥିଲେ । ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାଗୁଡ଼ିକର ବିଦ୍ୟୁତ ଉପଯୋଗ ଓ ଚାହିଦା ପ୍ରାୟତଃ ୨୫ ଶତକଡ଼ା କମିଯାଇଛି ଏବଂ ଏହାର ପ୍ରଭାବ ଆସନ୍ତା ୨୦୨୦-୨୧ ଆର୍ଥିକ ବର୍ଷ ଯାଏଁ ରହିବ, ତେଣୁ ଏହି ଆର୍ଥିକ କ୍ଷତିର ଭରଣା ପାଇଁ ରିହାତି ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ବିଦ୍ୟୁତ ଆକଫ-୨୦୦୩ର ସଂଶୋଧନ ବେଳେ ସରକାରଙ୍କ ସଂଘୀୟ ବ୍ୟବସ୍ଥା ମୁତାବକ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟି ଦେବାକୁ ସେ ମତ ରଖିଥିଲେ । ତେବେ କୋଣାର୍କ ଐତିହ୍ୟ ସହରରେ କରାଯାଇଥିବା ସୌରଶକ୍ତି ପ୍ରକଳ୍ପ ଯାହା କେନ୍ଦ୍ର ଓ ରାଜ୍ୟର ୫୦:୫୦ ଭାଗୀଦାରିତାରେ କାର୍ଯ୍ୟକାରୀ କରାଯାଇଛି ତାହା ଏକ ମଡେଲ୍ ଭାବେ ସମଗ୍ର ଦେଶ ପାଇଁ ଏକ ଉଦାହରଣ ବୋଲି ସେ ଖୁସି ବ୍ୟକ୍ତ କରିଥିଲେ ।
ଜଳ ବିଦ୍ୟୁତ ଯୋଜନା ଗୁଡ଼ିକ ପାଇଁ କେନ୍ଦ୍ର ତରଫରୁ ପରିବେଶ ମଞ୍ଜୁରି ବ୍ୟବସ୍ଥାର ସରଳୀକରଣ ପ୍ରକ୍ରିୟା ପାଇଁ ସେ ଉଚ୍ଚ ପ୍ରଶଂସା କରିଥିଲେ । ଏଥି ପାଇଁ ସେ କେନ୍ଦ୍ର ପରିବେଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜଭେଦକରଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥି ସହିତ ଶକ୍ତି କ୍ଷେତ୍ରରେ ଅଣାଯାଉଥିବା ସଂସ୍କାରର ସୁଫଳ ଯେପରି ଶିକ୍ଷା, ସୂଚନା, ଟେଲିମେଡିସିନ୍ ପରି ବ୍ୟବସ୍ଥାକୁ ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ମଧ୍ୟ ଉପଲବ୍ଧ କରିବାରେ ସହାୟକ ହୋଇ ପାରିବ ସେଥିପ୍ରତି ଦୃଷ୍ଟିଦେବାକୁ ସେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହା କେବଳ ଗୁଣାତ୍ମକ ଓ ସ୍ଥିର ବିଦ୍ୟୁତ ବଣ୍ଟନ ଦ୍ୱାରା ସମ୍ଭବ ପର ହୋଇ ପାରିବ ବୋଲି ସେ ମତ ରଖିଥିଲେ । ଏହି କନ୍ଫରେନ୍ସରେ ଶକ୍ତି କ୍ଷେତ୍ରରେ ସଂସ୍କାର ସମେତ ବିଦ୍ୟୁତ ବଣ୍ଟନ, ବିଦ୍ୟୁତ ନିୟମ ସଂଶୋଧନ, ଅକ୍ଷୟ ଶକ୍ତି, ସୋଲାର ବିଦ୍ୟୁତ ଆଦି ବିଷୟରେ ଆଲୋଚନା ହୋଇଥିଲା ।