୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କେନ୍ଦୁଝର :-> ବିଜେଡି ଦଖଲରେ ରହିଥିବା କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଚୟନକୁ ନେଇ ଛକାପଞ୍ଝା ଲାଗି ରହିଛି । ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିର ଏଠାରେ ସମାନ ସମସ୍ୟା ଦେଖିବାକୁ ମିଳିଛି । ତେଣୁ ଉଭୟ ଦଳ ଏଥର ନୂଆ ମୁହଁକୁ ପ୍ରାର୍ଥୀ କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି । ୧୯୯୦ରେ ଜନତା ଦଳ ପ୍ରାର୍ଥୀ ଭାବେ ନୀଳାଦ୍ରି ନାୟକ ଏଠାରୁ ବିଜୟୀ ହୋଇଥିଲେ । ୧୯୯୫ରେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରସେନ ନାୟକ, ୨୦୦୦ ଓ ୨୦୦୪ରେ ବିଜେଡିରୁ ନୀଳାଦ୍ରି ନାୟକ ବିଜୟୀ ହୋଇ ବିଧାୟକ ହୋଇଥିଲେ ।
୨୦୦୯ରେ ବିଜେଡି ପ୍ରାର୍ଥୀ ଇଂ ପ୍ରେମାନନ୍ଦ ନାଏକ, ୨୦୧୪ରେ ବିଜେଡିର ବେଦବ୍ୟାସ ନାୟକ ଏବଂ ୨୦୧୯ରେ ବିଜେଡି ପ୍ରାର୍ଥୀ ଇଂ ପ୍ରେମାନନ୍ଦ ନାଏକ ବିଜୟୀ ହୋଇଛନ୍ତି । ବହୁବର୍ଷ ଧରି ବିଜେଡି ଅକ୍ତିଆରରେ ଥିବା ଏହି ଆସନରେ ଚଳିତ ଥର ଦଳ ପ୍ରାର୍ଥୀ ଚୟନକୁ ନେଇ ଅସୁବିଧାରେ ପଡିବାର ଆଶଙ୍କା କରାଯାଉଛି । ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ବିଜେଡି ବିରୋଧରେ ଲଢ଼ ୁଥିବା ଧନୁର୍ଜୟ ସିଦୁ ଏବେ ବିଜେଡିକୁ ଆସିଛନ୍ତି । ଯାହା ବିଜେଡି ପାଇଁ ପ୍ରାର୍ଥୀ ଚୟନବେଳେ ଅଡୁଆ ବଢ଼ାଇବ ।
ପୂର୍ବରୁ କଂଗ୍ରେସ, ପରେ ବିଜେପି ଓ ଏବେ ବିଜେଡିରେ ଥିବା ସିଦୁଙ୍କୁ ତେଲକୋଇ ନିର୍ବାଚନମଣ୍ଡଳୀରେ ତୃଣମୂଳ ସ୍ତରରେ କାମ କରୁଥିବା ମୂଳ ବିଜେଡି କର୍ମୀମାନେ ଗ୍ରହଣ କରିବା ଅବସ୍ଥାରେ ନାହାନ୍ତି । ବିଜେଡିର ଏକ ଗୋଷ୍ଠୀ ସିଦୁଙ୍କ ବିଜେଡିରେ ମିଶିବାକୁ ଗ୍ରହଣ କରିପାରୁ ନାହାନ୍ତି । ସେହିପରି ବର୍ତ୍ତମାନର ବିଧାୟକ ପ୍ରେମାନନ୍ଦ ନାଏକଙ୍କ ବଦଳରେ ଏବେ ବିଜେଡି ନୂଆ ମୁହଁକୁ ଗୁରୁତ୍ୱ ଦେବ ବୋଲି କୁହାଯାଉଛି । ଦଳର ଏହି ଟାଣୁଆ ଗୋଷ୍ଠୀ ମଧ୍ୟ ନୂଆ ମୁହଁ ସପକ୍ଷରେ ହାଇକମାଣ୍ଡଙ୍କୁ ପ୍ରବର୍ତ୍ତାଉଥିବା ଆଲୋଚନା ହେଉଛି ।