No Result
View All Result
୨୯ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )ରାୟପୁର :-> ଛତିଶଗଡ଼ସ୍ଥିତ ବୃହତ ଓଡ଼ିଆ ସମାଜର ସଭାପତି ରୂପେ ବିଶିଷ୍ଟ ସମାଜସେବୀ ପୁରନ୍ଦର ମିଶ୍ର ନିର୍ବାଚିତ ହୋଇଛନ୍ତି। ଏହି ବୃହତ ସମାଜ ଅଧୀନରେ ପ୍ରଦେଶର ୩୫ ଲକ୍ଷ ଓଡ଼ିଆ ନିବାସୀଙ୍କୁ ପ୍ରତିନିଧିତ୍ଵ କରୁଥିବା ୨୪ଟି ସମାଜକୁ ସାମିଲ କରାଯାଇଛି। ଏମାନେ ହେଲେ ବ୍ରାହ୍ମଣ, କୋଲତା, ସୌରାଂ, ଗୌଡ଼, ମହାକୂଳ, ଗାଡା, ଘାସି, ଯାଦବ, ଧୋବା, କୈବର୍ତ୍ତ, ମେହେର, ତେଲି, ବଣିଆ, ଶୋଢ଼ି, ମାଳି, ଭଣ୍ଡାରି, ଖଡ଼ିୟ, ବିଂଝାଭର, ଖରରା, କୁମ୍ଭାର, କଂସାଇ, କୋଡ଼ା, ଭୂୟାଁ ଓ ମହାନ୍ତି ଆଦି ସମାଜ। ନିକଟରେ ରାୟପୁରର ଗାୟତ୍ରୀ ନଗରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସମଗ୍ର ଛତିଶଗଡ଼ରେ ବସବାସ କରୁଥିବା ଓଡ଼ିଆ ଅଧିବାସୀମାନଙ୍କର ଏକ ମହାସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ପ୍ରଦେଶର ଓଡ଼ିଆ ବାସୀନ୍ଦାମାନଙ୍କର ଗର୍ବ ଏବଂ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା, ସେମାନଙ୍କର ବୃହତ୍ତର ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ତଥା ଓଡ଼ିଆ ସମ୍ପ୍ରଦାୟର ସର୍ବାଙ୍ଗୀନ ଉନ୍ନୟନ ସାଧନକୁ ସମ୍ଭବପର କରିବା ଲକ୍ଷ୍ୟରେ ଏଠାକାର ସମସ୍ତ ଓଡ଼ିଆ ସମାଜକୁ ଗୋଟିଏ ଛାମୁଆ ସଂଗଠନର ଅଧୀନରେ ଏକଜୁଟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୃହତ ଓଡ଼ିଆ ସମାଜର ମୁଖିଆ ରୂପେ ଛତିଶଗଡ଼ ବ୍ରାହ୍ମଣ ସମାଜର ସଭାପତି ଏବଂ ରାୟପୁରଠାରେ ରାଜ୍ୟର ସବୁଠୁ ବଡ଼ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ଏହି ସମାବେଶରେ ନିର୍ବିରୋଧ ନିର୍ବାଚିତ ହୋଇଥିବା ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଉପସଭାପତି ଭାବେ ବିନୋଦ କୁମାର ନାୟକ ଏବଂ ଓକିଲ ତାଣ୍ଡି,

ସାଧାରଣ ସମ୍ପାଦକ ରୂପେ ରାଜକୁମାର ଗୁପ୍ତା, ସଂଗଠନ ସମ୍ପାଦକ ଭାବେ ସତ୍ୟଦେବ ଶର୍ମା ଓ ଲଳିତ ପ୍ରଧାନ, ସମ୍ପାଦକ ରୂପେ ଈଶ୍ୱର ଖମାରୀ ଏବଂ ଋଷବ ବଗର୍ତ୍ତି, କୋଷାଧ୍ୟକ୍ଷ ରୂପେ କମଳାକାନ୍ତ ଭୋଇ ଓ ସହ କୋଷାଧ୍ୟକ୍ଷ ପଦବୀରେ ଶଶିକାନ୍ତ ଖୁଣ୍ଟିଆ ପ୍ରମୁଖ ଅନ୍ୟତମ। ଏହା ବ୍ୟତୀତ ସଂଗଠନର ସଂରକ୍ଷକ ଭାବେ ନାରାୟଣ ପ୍ରସାଦ ନାରୋଜୀ, ସନ୍ତୋଷ ସାହୁ ଓ ଗୁଣନିଧି ଶତପଥୀ, ମୁଖପାତ୍ର ରୂପେ ଡଃ ଅଶୋକ ପ୍ରଧାନ, ମିଡ଼ିଆ ପ୍ରଭାରୀ ଦାୟିତ୍ୱରେ ବ୍ୟାସଦେବ ଭୋଇ ଏବଂ ଆଇନ ପରାମର୍ଶଦାତା ଭାବେ ଟିକେନ୍ଦ୍ର ପ୍ରଧାନ ଓ ଭଗଵାନୁ ନାୟକ ପ୍ରମୁଖ ନିଯୁକ୍ତି ପାଇଛନ୍ତି। ଏହାସହିତ ବସ୍ତର ଇଲାକାର ପ୍ରଭାରୀ ଭାବେ ନିତ୍ୟାନନ୍ଦ ମିଶ୍ର,

ଦୁର୍ଗର ପ୍ରଭାରୀ ଭାବେ ଡଃ ପ୍ରଦୀପ ପାତ୍ର, ରାୟପୁର ଅଞ୍ଚଳର ପ୍ରଭାରୀ ରୂପେ ଅଶୋକ ଭାରତୀ, ବିଳାସପୁରର ପ୍ରଭାରୀ ରୂପେ ଗିରିଧାରୀ ସାହୁ ଏବଂ ସର୍ଗୁଜାର ପ୍ରଭାରୀ ରୂପେ ଶ୍ୟାମ ସାହୁଙ୍କୁ ମନୋନୀତ କରାଯାଇଥିବା ଜଣାଯାଇଛି। ସଭାପତି ଆସନ ଗ୍ରହଣ କରିବା ପରେ ପୁରନ୍ଦର ମିଶ୍ର, ସଭାକୁ ସମ୍ବୋଧନ କରି ଛତିଶଗଡ଼ର ମୂଳ ବାସିନ୍ଦା ଭାବେ ପ୍ରାୟ ୩୫ ଲକ୍ଷ ଓଡ଼ିଆ ଭୋଟଦାତାଙ୍କର ୧୦ଟି ଜିଲ୍ଲାର ୩୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଶେଷ ପ୍ରଭାବ ରହିଥିବା ପ୍ରକାଶ କରିଥିଲେ। ଏହି ଦୃଷ୍ଟିରୁ ଛତିଶଗଡ଼ ରାଜନୀତିରେ ଓଡ଼ିଆ ସମ୍ପ୍ରଦାୟର ନିର୍ଣ୍ଣାୟକ ଭୂମିକା ରହି ଆସିଥିଲେ ହେଁ,

ଏମାନଙ୍କୁ ସବୁ ଦିଗରେ ଅବହେଳା ଓ ଅଣଦେଖା ପ୍ରଦର୍ଶନ କରାଯାଉଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ଛତିଶଗଡ଼ର ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ସମୃଦ୍ଧି କ୍ଷେତ୍ରରେ ଓଡ଼ିଆ ସମାଜର ବଳିଷ୍ଠ ଯୋଗଦାନ ରହିଥିବା ବେଳେ, ସେମାନଙ୍କୁ ଉଚିତ ମାନ୍ୟତା ମିଳୁନଥିବାରୁ ଶ୍ରୀ ମିଶ୍ର ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ନବଗଠିତ ବୃହତ ଓଡ଼ିଆ ସମାଜ ଛତିଶଗଡ଼ସ୍ଥିତ ସମସ୍ତ ଓଡ଼ିଆ ଅଧିବାସୀମାନଙ୍କର ନାଯ୍ୟ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସଂଗ୍ରାମ କରିବ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ। ସତ୍ୟଦେବ ଶର୍ମା ବୈଠକକୁ ସୁଚାରୁ ରୂପେ ସଂଚାଳନା କରିଥିଲେ।


No Result
View All Result