ରାୟଗଡ଼ା ଆଦିବାସୀ ନେତା ମୃତ୍ୟୁ ର ୧୩ ବର୍ଷ ବିତିଗଲା : ସିବିଆଇ ତଦନ୍ତ ଦାବି : ଜିଲ୍ଲା ଆଦିବାସୀ ମହାସଂଘ

ହତ୍ୟାକାଣ୍ଡ ର ରହସ୍ୟ ଉନ୍ମୋଚନ କରିପାରିଲା ନାହିଁ ରାଜ୍ୟ ପୋଲିସ ଓ କ୍ରାଇମବ୍ରାଞ୍ଚ୍ 

୨୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ଼ା :-> ରାୟଗଡ଼ା ର ବିଜେଡ଼ି ନେତା ତଥା ଆଦିବାସୀ ଯୁବ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟାକାଣ୍ଡ ଘଟଣାକୁ ୧୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିପାରିଲା ନାହିଁ ରାଜ୍ୟ ପୋଲିସ ଓ କ୍ରାଇମବ୍ରାଞ୍ଚ୍ । ଏନେଇ ରାୟଗଡ଼ା ସ୍ଥିତ ତେଜସ୍ୱୀ ହୋଟେଲ ଠାରେ ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ ସହ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଦିବାସୀ ମହାସଂଘ ର ସଭାପତି ଶ୍ରୀ ଆପଲା ସ୍ଵାମୀ କାଡ୍ରାକାଙ୍କ ସଭାପତିତ୍ବରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲ୍ଲା ଆଦିବାସୀ ମହାସଂଘର ଆବାହକ ଶ୍ରୀ ବସନ୍ତ ଉଲ୍ଲାକା , ସମ୍ପାଦକ ଜଗନ୍ନାଥ ମାଣ୍ଡାଙ୍ଗି , ସାନ୍ଧୁ ମାଝୀ , ନରସିଂହ ମାଣ୍ଡାଗିଂ , ମାଦା ରାଓ ସାରାକା, ସତ୍ୟବାନ୍ ମାଣ୍ଡାଗିଂ , ଶକଂର ଜିଲାକାରା , ତିମାନା ପୁଆଲା ଓ ଜିଲ୍ଲା ର ବିଭିନ୍ନ କ୍ଷେତ୍ରର ଆଦିବାସୀ ଯୁବକ ଉପସ୍ଥିତ ରହିଥିଲେ ।

ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟାକାଣ୍ଡକୁ ନେଇ ଜିଲ୍ଲାପାଳ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ମନ୍ତ୍ରୀ , ପୋଲିସ ମୁଖ୍ୟଙ୍କୁ , ରାଜ୍ୟ ସରକାରଙ୍କୁ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ସାକ୍ଷାତ କରି ବାରମ୍ବାର ଅଭିଯୋଗ କରିଆସୁଥିବା ସତ୍ୱେ ଘଟଣାକୁ ୧୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର କୈାଣସି ନ୍ୟାୟ ନ ମିଳିବା ଯୋଗୁଁ ଆଜିଏହି ପ୍ରସ୍ତୁତି ବୈଠକ କରିଛନ୍ତି ବୋଲି ଉପସ୍ଥିତ ଆଦିବାସୀ ମହାସଂଘ ର ନେତୃବୃନ୍ଦ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଆଦିବାସୀ ମାନଙ୍କ ସ୍ଵାର୍ଥ ଏବଂ ନ୍ୟାୟ ପାଇଁ ସଂଘର୍ଷ ଜାରି ରହିବ ବୋଲି ପ୍ରକାଶ କରିଥିଲେ । ହତ୍ୟାକାଣ୍ଡ ଘଟଣାର ପ୍ରକୃତ ହତ୍ୟା କାରୀ ଧରା ପଡ଼ି ନ୍ୟାୟ ନମିଳିବା ଯାଏଁ ଆମେ ସଂଘର୍ଷ କରିବା ପାଇଁ ବାଧ୍ୟ ହେବୁ ।

୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ଭାଗିରଥୀ ନିଖୋଜ ହେବାର କିଛିଦିନ ପରେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ର ତୋଟାପଲୀ ଠାରେ ଭାଗିରଥୀଙ୍କ ଶବ ଉଦ୍ଧାର ହୋଇଥିଲା । ଏଥିରେ ଶାସକ ଦଳରେ ଜଣେ ନେତାଙ୍କ ହାତ ରହିଛି । ଏହି ଘଟଣାରେ ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଥିଲା । ହେଲେ ରାଜ୍ୟ ସରକାରଙ୍କ ଚାପରେ ତଦନ୍ତକୁ ଚାପି ଦିଆଯାଇଛି ବୋଲି ବସନ୍ତ ଉଲାକା , ଆପଲା ସ୍ଵାମୀ କାଡ୍ରାକା ଓ ଜଗନ୍ନାଥ ମାଣ୍ଡାଙ୍ଗି ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ଏହି ଘଟଣା ପରେ ଜିଲ୍ଲାରେ ସାମ୍ପ୍ରଦାୟିକ ଆଦିବାସୀଙ୍କ କୂଳକୁ ଭାଗ ଭାଗ କରାଯାଇଛି ଏବଂ ଆଦିବାସୀଙ୍କ ସୁରକ୍ଷା ପାଇଁ ସରକାର କିଛି କରୁନଥିବା ଅଭିଯୋଗ କରିଛି ଆଦିବାସୀ ମହାସଂଘ । ତେଣୁ ଏହାର ପ୍ରତିବାଦରେ ଆଗାମୀ ଦିନରେ ପୁଣିଥରେ ଜିଲ୍ଲାପାଳ, ଏସପି ଏବଂ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସିବିଆଇ କୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରିବୁ ଏଥିରେ କୈାଣସି ସମାଧାନ ନ ବାହାରେ ତାହା ହେଲେ ଜିଲ୍ଲା ଆଦିବାସୀ ମହାସଂଘ ରାଜ ରାସ୍ତାକୁ ଓହ୍ଲାଇବ ଏବଂ ଜିଲ୍ଲାରେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବ ବୋଲି ଜିଲ୍ଲା ଆଦିବାସୀ ମହାସଂଘ ପ୍ରକାଶ କରିଛି ।