ଓଡିଶା ତାଜା ନ୍ୟୁଜ୍ (୦୧ ଜୁଲାଇ ବୁଧବାର ) ଚନ୍ଦାହାଣ୍ଡି :- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ ଏବେବି ଅନ୍ଧବିଶ୍ୱାସର ଶିକାର ହୋଇ ନିଜ ଜୀବନକୁ ମୃତ୍ୟୁ ମୁଖକୁ ଠେଲି ଦେଉଥିବା ଦେଖିବାକୁ ମିଳିଛି । ଖବର ମୁତାବକ ଆଜି ଚନ୍ଦାହାଣ୍ଡି ବ୍ଲକ ମୋହରା ଗ୍ରାମର ଚନ୍ଦ୍ରଧ୍ୱଜ ମଶ୍ରା ( ୬୫ ) ନିଜ ଜମିରେ ହଳ କରୁଥିବା ସମୟରେ ଏକ ବିଷାକ୍ତ କଲାଟି ସାପ ତାଙ୍କ ଗୋଡ଼ରେ ଚୋବେଇ ଦେଇଥିଲା । ଆହାତଙ୍କୁ ଘରକୁ ଆଣି ପ୍ରଥମେ ଦେଶୀ ଔଷଧପତ୍ର ସହ ଝଡାଫୁଙ୍କା କରିଥିଲେ । ଆହାତ ଙ୍କ ଅବସ୍ଥା ଗୁରୁତର ହେବାରୁ ପରିଶେଷରେ ଚେତାଶୂନ୍ୟ ଅବସ୍ଥାରେ ସ୍ତ୍ରୀ ଦମନ୍ତି ମଶ୍ରା ଓ ଦୁଇପୁଅ ପ୍ରିତମ ମଶ୍ରା, ମେଘନାଥ ମଶ୍ରା ୧୦୮ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ ରେ ଭର୍ତିକରାଇ ଚିକିତ୍ସା କରାଉଛନ୍ତି ।
ଡାକ୍ତର ମନୀଷ ପୁରୋହିତ ଓ ଡାକ୍ତର ସଂଗ୍ରାମ ସାହୁ ଆହତଙ୍କ ଚିକିତ୍ସା ଜାରି ରଖିଥିବା ବେଳେ ବର୍ତ୍ତମାନ ସେ ସ୍ୱାଭାବିକ ଅବସ୍ଥାକୁ ଫେରି ଥିବା ଜଣାପଡିଛି । ଆହତଙ୍କ ଚିକିତ୍ସା ରେ ରଞ୍ଜିତ ମାଝୀ, ଅନୁସାୟା ପାଇକ ଓ ତୁଳସୀ ଓରାମ ନିୟୋଜିତ ହୋଇ ଆହତଙ୍କ ଚିକିତ୍ସା ଜାରି ରଖିଛନ୍ତି। ଗ୍ରାମାଞ୍ଚଳରେ ସଚେତନତା ର ଅଭାବ ଯୋଗୁଁ ସରକାରଙ୍କ ସମସ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗରିବ ଜନସାଧାରଣ । ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ସାପ କାମୁଡ଼ା ନିମନ୍ତେ ସ୍ୱତନ୍ତ୍ର ଧରଣର ଔଷଧ ଉପଲବ୍ଧ ରହୁଛି କମ ସମୟ ମଧରେ ବିଷଧର ସାପର ବିଷ ନଷ୍ଟହେବା ସହ ଆହତ ଶୀଘ୍ର ସୁସ୍ଥ ହୋଇପାରିବେ । ଏଥି ପ୍ରତି ଜନପ୍ରତିନିଧି, ଆଶା, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟକର୍ମୀ ଦୃଷ୍ଟି ଦେବା ସହ ଗ୍ରାମାଞ୍ଚଳରେ ସଚେତନତା ର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ( ରିପୋର୍ଟ- ଯୁବରାଜ ଜଗତ/ବଳରାମ ପଟ୍ଟନାୟକ )













