ରାୟଗଡ଼ା ଜିଲ୍ଲା କାଶିପୁର ଖଣି ଅଂଚଳରେ ବ୍ରିଟିଶ ରାଜ ଭଳି ଗୁଣ୍ଡା ରାଜ କରୁଛି ମୈତ୍ରୀ କମ୍ପାନୀ  : କମ୍ପାନୀକୁ ବିରୋଧ କଲେ ହେଉଛି ପୋଲିସ କାର୍ଯ୍ୟାନୁଷ୍ଠାନ

୧୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ଼ା :-> ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ର ଖଣି ଖନନ ପାଇଁ ବ୍ରିଟିଶ ରାଜ କରୁଛି ମୈତ୍ରୀ କମ୍ପାନୀ । ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ବଦଳରେ ଜୋର ଜବରଦସ୍ତି ପଶି ଲୋକଙ୍କୁ ଧମକଚମକ ଦେଉଛି । ଏହିଭଳି ଅଭିଯୋଗ କରିଛନ୍ତି ସୁଙ୍ଗେର ପଞ୍ଚାୟତ ର ବନ୍ତେଜି, କଣ୍ଟାମାଳ ଓ ସରାମବାଇ ଅଞ୍ଚଳ ର ନିରୀହ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକେ । ମୈତ୍ରୀ କମ୍ପାନୀ କତୃପକ୍ଷଙ୍କ ଗୁଣ୍ଡାଗର୍ଦ୍ଦି ଓ ପୋଲିସ ପ୍ରଶାସନର ଜୁଲମକୁ ବିରୋଧ କରି ସୁଙ୍ଗେର ପଞ୍ଚାୟତ ର ବନ୍ତେଜି, ସରାମବାଇ, କଣ୍ଟାମାଳ ଆଦି ଗ୍ରାମର ୩୦ରୁ ଉଧ୍ୱର୍ ମହିଳା ଜିଲାପାଳଙ୍କୁ ଅଭିଯୋଗ ପାଇଁ ବୁଧବାର ରାୟଗଡ଼ା ଆସିଥିଲେ । ତେବେ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ନୂତନ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଏନେଇ ସେ ଜିଲାପାଳଙ୍କୁ ଅବଗତ କରାଇବା ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଅପରପକ୍ଷେ ଆସିଥିବା ନିରୀହ ମହିଳାମାନେ ଆମ ସ୍ୱାମୀ, ପୁଅମାନଙ୍କୁ ନଫେରାଇବା ପର୍ଯ୍ୟନ୍ତ ଯିବୁ ନାହିଁ ବୋଲି କହିଛନ୍ତି । ଅଂଚଳବାସୀ କହିଛନ୍ତି ଯେ, ମୈତ୍ରୀ କମ୍ପାନୀ ଅଂଚଳବାସୀଙ୍କ ସହ ଆଲୋଚନା ବା ଗ୍ରାମସଭା ନକରି ସିଧାସଳଖ ଅଂଚଳରେ ପଶି ଅଂଚଳବାସୀଙ୍କୁ ଭୟଭୀତ କରୁଛନ୍ତି । ସିଜିମାଳି ଖଣି ଖନନ ନେଇ ସରପଂଚ ମଧ୍ୟ ଅଂଚଳବାସୀଙ୍କୁ କିଛି ଅବଗତ କରିନାହାଁନ୍ତି । ଅପରପକ୍ଷେ ଅଞ୍ଚଳବାସୀ ବିରୋଧ କରିବାରୁ ଅଞ୍ଚଳର କିଛି ଯୁବକଙ୍କୁ ପୋଲିସ ଉଠାଇ ନେଇଥିବା ସେମାନେ ଦେଖିଛନ୍ତି ବୋଲି କହିଛନ୍ତି । ପୋଲିସ ରାତି ସମୟରେ ଆସି ଘର କବାଟ ଜୋରଜବରଦସ୍ତି କାଡ଼ି ଆମ ଘରର ପୁରୁଷମାନଙ୍କୁ ଉଠାଇ ନେଇଛି ବୋଲି ଅଭିଯୋଗ କରିଛନ୍ତି । ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ଜନସାଧାରଣଙ୍କ ପାଇଁ ନା କମ୍ପାନୀ ପାଇଁ । ଆମ ଦୁଃଖ କେହି ବୁଝୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ଏଭଳିକି ଜଣେ ମହିଳାଙ୍କ ୧୦ ମାସର ଛୁଆ ରୋଗାକ୍ରାନ୍ତ ରହିଥିବା ବେଳେ ତାଙ୍କ ସ୍ୱାମୀ ଉମାକାନ୍ତ ନାଏକଙ୍କୁ ପୋଲିସ ଉଠାଇ ନେଇଛି ବୋଲି ଅଭିଯୋଗ କରିଛନ୍ତି । ଯାହା ଫଳରେ ସେ ନିଜ ଛୁଆର ଅଧିକ ଚିକିତ୍ସା ପାଇଁ ହସ୍ପିଟାଲ ଯାଇପାରୁନଥିବା ଅଭିଯୋଗ କରିଛନ୍ତି ।

ସିଜିମାଳି ଅଞ୍ଚଳରୁ ଖଣି ଖନନ ହେଲେ ଅଞ୍ଚଳବାସୀଙ୍କ ଜୀବନଜୀବିକା ମଧ୍ୟ ପ୍ରଭାବିତ ହେବ ବୋଲି କହିଛନ୍ତି ଅଞ୍ଚଳବାସୀ । ଯଦି ଆମ ଅଞ୍ଚଳରେ କମ୍ପାନୀ ହେବ ନାହିଁ ଏବଂ ଖଣି ଖନନ ହେବ ତେବେ ଅଂଚଳର କିଛି ବିକାଶ ହେବ ନାହିଁ ବୋଲି କହିଛନ୍ତି ଅଞ୍ଚଳବାସୀ । ପ୍ରକାଶ ଥାଉକି, ଗତ ଦିନରେ ମୈତ୍ରୀ କମ୍ପାନୀ ଖଣି ଅଂଚଳକୁ ବହୁ ଥର ଗସ୍ତ କରିଥିବା ବେଳେ ଅଂଚଳବାସୀ ଏହାକୁ ବିରୋଧ କରିଥିଲେ । ହେଲେ ସୋମବାର ଅଂଚଳବାସୀ ବିରୋଧ କରିଥିବା ବେଳେ କମ୍ପାନୀ କତୃପକ୍ଷ ଅଂଚଳକୁ ଆଉ ଯିବେ ନାହିଁ । ଅଂଚଳବାସୀ ଯେଉଁଦିନ ଆଲୋଚନା ପାଇଁ ଡାକିବେ ସେହିଦିନ ଯିବେ ବୋଲି ଏକ ଧଳା କାଗଜରେ ଲିଖିତ ଆକାରରେ ଦେଇଥିଲେ । ତେବେ ଏହାପରେ ପୋଲିସ ଉକ୍ତ ଅଂଚଳରେ ଛାଉଣୀ ମାରିବା ସହିତ ଅଂଚଳରୁ ବହୁ ଯୁବକଙ୍କୁ ଉଠାଇ ଆଣିଥିବା ଅଭିଯୋଗ କରିଛନ୍ତି ଅଂଚଳବାସୀ । ପୂର୍ବରୁ ପରମାନନ୍ଦ ନାଏକ ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟମାନେ କେଉଁଠାରେ ଅଛନ୍ତି ପଚାରିଲେ ପୋଲିସ କହୁନାହିଁ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି ।

ଯାହା ଫଳରେ ସେମାନଙ୍କ ପରିବାରବର୍ଗ, ସ୍ତ୍ରୀ, ପିଲାଛୁଆ ସମସ୍ତେ ଏକପ୍ରକାର ଭୟଭୀତ ଅବସ୍ଥାରେ ରହିଛନ୍ତି । ଅଂଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ବନ୍ତେଜି ଗ୍ରାମର ଉମାକାନ୍ତ ନାଏକ, ଜିତେନ୍ଦ୍ର ନାଏକ ଓ ନିରଞ୍ଜନ ନାଏକ, ସରାମବାଇ ଗ୍ରାମର ବାମନୁ ମାଝି ଓ କଂଟାମାଳ ଗ୍ରାମର ନିଧନ ନାଏକ ପ୍ରମୁଖଙ୍କୁ ପୋଲିସ ଉଠାଇ ନେଇଛି । କାହାକୁ ରାସ୍ତାରୁ ଉଠାଇ ନେଇଛି ତ ଆଉ କାହାକୁ ରାତିରେ ଘରୁ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ଅଂଚଳବାସୀ । ବନ୍ତେଜି ଗ୍ରାମର ଉମାକାନ୍ତ ନାଏକଙ୍କ ପତ୍ନୀ କହିଛନ୍ତି ଇନ୍ଦୁ ନାଏକ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ପୋଲିସ ଘରୁ ଉଠାଇନେଇଥିଲା । ପୋଲିସ ଉକ୍ତ ଦିନ ଇନ୍ଦୁଙ୍କ ପିନ୍ଧା ବସ୍ତ୍ରରେ ବାଡ଼ି ଲଗାଇଥିବା ମଧ୍ୟ ଅଭିଯୋଗରେ ଉଲେଖ କରିଛନ୍ତି । ଉଠାଇ ନେବା ପରେ କେଉଁଠି ରଖିଛି ତାହା ଜଣାପଡ଼ୁନାହିଁ । ଏନେଇ ସେ କାଶୀପୁର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ପୋଲିସ କହୁଛି ଆମେ କିଛି ଜାଣିନାହୁଁ । ତେବେ ତାଙ୍କ ଛୋଟ ନବଜାତ ଶିଶୁ କନ୍ୟାର ରକ୍ତ ପରିଶ୍ରା ହେଉଛି । ଡାକ୍ତର ଉଚ୍ଚ ଚିକିତ୍ସା କରିବାକୁ କହିଛନ୍ତି । ହେଲେ ମୋ ସ୍ୱାମୀଙ୍କୁ ପୋଲିସ ଗିରଫ କରିନେଇଥିବାରୁ ବର୍ତମାନ ମୋ ଝିଅର ଅବସ୍ଥା ଶଙ୍କଟାପନ୍ନ ।

ମୈତ୍ରୀ କମ୍ପାନୀ ଅଂଚଳବାସୀ ନଡାକିବା ପର୍ଯ୍ୟନ୍ତ ଆଲୋଚନା ପାଇଁ ଆସିବେ ନାହିଁ ବୋଲି ଲିଖିତ ଦେଇଥିବା ବେଳେ ପୋଲିସ କାହିଁକି ମୋ ସ୍ୱାମୀ ଓ ଅନ୍ୟମାନଙ୍କୁ ଉଠାଇ ନେଇଛି ବୋଲି ପ୍ରଶ୍ନ କରିଛନ୍ତି ଇନ୍ଦୁ ନାଏକ । ସେହିଭଳି ବନ୍ତେଜି ଗ୍ରାମର ନିରଞ୍ଜନ ନାଏକଙ୍କ ପତ୍ନୀ କ୍ରିଷ୍ଣା ନାଏକ ମଧ୍ୟ ଅଭିଯୋଗ କରିଛନ୍ତି ଯେ, କ୍ରିଷ୍ଣା ଓ ତାଙ୍କ ଝିଅ ଆଖିଧରା ରୋଗରେ ଆକ୍ରାନ୍ତ । ରାତିରେ ଘରେ ଶୋଇଥିବା ସମୟରେ ପ୍ରାୟ ୨୦ରୁ ୩୦ଜଣ ପୋଲିସ ଘର ତାଲା ଭାଙ୍ଗି ଭିତରେ ପଶି କ୍ରିଷ୍ଣା ଓ ତାଙ୍କ ଝିଅକୁ ଠେଲି ଦେଇ ନିରଞ୍ଜନକୁ ଘୋଷାଡ଼ି ଘୋଷାଡ଼ି ଟାଣି ନେଇଥିବା ଅଭିଯୋଗ କରିଛନ୍ତି କ୍ରିଷ୍ଣା । ସେହିଭଳି ଜିଲାପାଳଙ୍କୁ ଭେଟିବାକୁ ଆସିଥିବା ଅନ୍ୟ ମହିଳାମାନେ ମଧ୍ୟ ମୈତ୍ରୀ କତୃପକ୍ଷ ଓ ପୋଲିସ ମିଳିତ ଭାବେ ଅଂଚଳବାସୀଙ୍କୁ ଧମକ ଦେଉଥିବା, ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ପୋଲିସ ଓ କମ୍ପାନୀ ଗୁଣ୍ଡାଙ୍କ ଭୟରେ ଅଂଚଳର ଯୁବକମାନେ ଭୟଭୀତ ହୋଇ ଗାଁ ଛାଡ଼ି ବଣଜଙ୍ଗଲରେ ଲୁଚି ବୁଲୁଛନ୍ତି । ଯାହା ଫଳରେ ଘରେ ରହିଥିବା ମହିଳା ଓ ଛୋଟ ଛୋଟ ଶିଶୁମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମହିଳାମାନେ କହିଛନ୍ତି ଯେ, ପୋଲିସ ଜନସାଧାରଣଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ହେଲେ ଏହାର ସମାଧାନ କରିବା ସହିତ ସୁରକ୍ଷା ଯୋଗାଇଥାଏ । ହେଲେ ବର୍ତମାନ ପରିସ୍ଥିତିରେ ପୋଲିସ ଜନସାଧାରଣଙ୍କ ଉପରେ ଜୁଲମ କରୁଛି ବୋଲି କହିଛନ୍ତି ଅଂଚଳର ମହିଳାମାନେ । ତେଣୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମିଥ୍ୟା ମାମଲାରେ ପୋଲିସ ଉଠାଇନେଇଥିବା ଯୁବକମାନଙ୍କୁ ନିର୍ଦ୍ଦୋଷ ଓ ନିଃସର୍ତରେ ଖଲାସ କରିବା ପାଇଁ ଅନୁରୋଧ କରିଛନ୍ତି । ଅପରପକ୍ଷେ ଆମେ ଏନେଇ ସୁଙ୍ଗେର ପଂଚାୟତ ସରପଂଚ ଶର୍ମିଳା ମାଝିଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ସ୍ୱାମୀ ଗୁନାସିଂ ମାଝି ଫୋନ ଉଠାଇଥିଲେ । ସେ କହିଛନ୍ତି ଯେ, ସିଜିମାଳି ଖଣି ବେଦାନ୍ତକୁ ମିଳିଛି ଏବଂ ଏହି କାମ ମୈତ୍ରୀକୁ ଦିଆଯାଇଛି ବୋଲି ମୈତ୍ରୀ କତୃପକ୍ଷ କହିଛନ୍ତି । ତେବେ ମୈତ୍ରୀ କମ୍ପାନୀ ଏନେଇ କୌଣସି ନଥିପତ୍ର ସରପଂଚଙ୍କୁ ଦେଖାଇନାହାଁନ୍ତି କି ସରପଂଚ କୌଣସି ଅନୁମତି ଦେଇନାହାଁନ୍ତି କମ୍ପାନୀକୁ । ଅପରପକ୍ଷେ ପୋଲିସ ଏହିଭଳି ଉଠାଇ ନେବା ଉଚିତ ନୁହେଁ ବୋଲି କହିଛନ୍ତି ।