୧୨ଅଗଷ୍ଟ ଶୁକ୍ରବାର 2023 (ଓଡ଼ିଶା ତାଜା ନ୍ୟୁଜ) ବାଣପୁର :-> ଶୁକ୍ରବାର ସନ୍ଧ୍ୟାରେ ବାଣପୁର ଥାନା ଅନ୍ତର୍ଗତ ଅଲାଇଡ଼ିହ ବାଇପାସ ନିକଟରେ ଥିବା ଏକ ଭଡାଘରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ନୟାଗଡ଼ ଜିଲା ଚାନ୍ଦପୁର ଥାନା ଗୋପାଳପୁର ଅଞ୍ଚଳର ଲକ୍ଷ୍ମୀଧର ପରିଡା (୨୫) ନାମକ ଜଣେ ଯୁବକ ଭୁବନେଶ୍ୱର ଅଞ୍ଚଳର ଜନୈକ ଡାକ୍ତରଙ୍କ ନିକଟରେ କାର୍ଯ୍ୟ କରୁଥିବା ବେଳେ ବାଣପୁର ଅଲାଇଡ଼ିହ ବାଇପାସ ନିକଟସ୍ଥ ଏକ ଭଡା ଘରେ ରହୁଥିଲେ । ସେଠାରେ ଜନୈକ ମହିଳାଙ୍କୁ ପରିବାର ଲୋକଙ୍କ ଅଜାଣତରେ ଭଲପାଇ ପ୍ରେମ ବିବାହ କରିଥିଲେ ।
କିଛି ଦିନ ପୂର୍ବେ ଲକ୍ଷ୍ମୀଧରଙ୍କ ସ୍ତ୍ରୀ ଗର୍ଭବତୀ ଥିବାବେଳେ ଶରୀର ଅସୁସ୍ଥ ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ନେଇଥିଲେ । ସେଠାରେ ଲକ୍ଷ୍ମୀଧରଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯିବାରୁ ତାଙ୍କୁ ପୁରୀ ନେଇ ସ୍ୱର୍ଗଦ୍ୱାରରେ ଦାହ କରିଥିଲେ । ତେଣୁ ଲକ୍ଷ୍ମୀଧର ଅବସାଦରେ ଥିବାରୁ ପରିବାର ଲୋକ ବୁଝାସୁଝା କରି ଗତକାଲି ଘରକୁ ନେଇଯାଇଥିଲେ । କିନ୍ତୁ ଆଜି ସକାଳୁ କାହାକୁ ନ ଜଣାଇ ଘରୁ ପଳାଇ ଆସିଥିବା ବେଳେ ଉକ୍ତ ଭଡାଘରେ ଭିତରପଟୁ କବାଟ କିଳି ରଶିରେ ଝୁଲି ଆତ୍ମହତ୍ୟା କରିଥିବା ଜଣାଯାଇଛି ।
ପରିବାର ଲୋକ ଖବର ପାଇଁ ତାଙ୍କୁ ବାଣପୁର ଡାକ୍ତରଖାନାକୁ ନେଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିବା ସହ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ବାଣପୁର ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାରେ ମହଜୁଦ ରଖିଛି । ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି ।