ଓଡିଶା ତାଜା ନ୍ୟୁଜ୍ (୨୮ ଜୁନ୍ ରବିବାର ) ନୟାଗଡ଼ :- ଅସହାୟଙ୍କ ସହାୟ,ନିରାଶ୍ରୟଙ୍କ ଆଶ୍ରୟ, ଯାହାର କେହି ନାହାଁନ୍ତି ତାର ପଣ ହେଉଛି “ସମର୍ପଣ”(ବୃଦ୍ଧାଶ୍ରମ) । ମାନ୍ଯବର ନୟାଗଡ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ନୟାଗଡ଼ ଲେଖନପୁରଠାରେ ଗଢ଼ି ଉଠିଥିବା ବୃଦ୍ଧାଶ୍ରମର ନାଁ ହେଉଛି “ସମର୍ପଣ”।
ଏହି ‘ସମର୍ପଣ’ ପରିଚାଳନା କମିଟିର କାର୍ଯ୍ୟନିର୍ବାହୀ ସଦସ୍ଯ ଶ୍ରୀଯୁକ୍ତ ଶ୍ରୀଧର ସାହୁଙ୍କ ପ୍ରତ୍ଯେକ୍ଷ ସଂଯୋଜନା ଓ କାର୍ଯ୍ୟକାରୀ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଉପସ୍ଥିତିରେ ଇଟାମାଟି ପ୍ରାଥମିକ ସ୍ବାସ୍ଥ୍ଯକେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ରାଜେଶ କୁମାର ମିଶ୍ର ଓ ଶଙ୍ଖେଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ବିଭୁତି ଭୂଷଣ ଦଳେଇଙ୍କ ଦ୍ବାରା ଆଶ୍ରମ ଅନ୍ତେବାସୀ ମାନଙ୍କର ମାସିକ ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଓ ପରାମର୍ଶ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।
ସମଗ୍ର ବିଶ୍ବକୁ କବଳିତ କରିଥିବା ମହାମାରୀ କରୋନା କୁ କିଭଳି ଦୂରେଇବା ସେ ବିଷୟରେ ସଚେତନ ହେବା ପାଇଁ ଆବଶ୍ଯକ ପରାମର୍ଶ ପ୍ରଦାନ କରିବା ସହିତ ଦୁଇ ଡାକ୍ତର ମହାଶୟ ପ୍ରତ୍ଯେକ ମାସରେ ଗୋଟିଏ ଦିନ ‘ସମର୍ପଣ’ ଆଶ୍ରମକୁ ଆସି ଅନ୍ତେବାସୀ ମାନଙ୍କୁ ମାଗଣା ସେବା ଯୋଗାଇ ଦେବାପାଇଁ ଘୋଷଣା କରିଥିଲେ । ଆଶ୍ରମର ମ୍ଯାନେଜର ସୀତାରାମ ପ୍ରଧାନ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । (ରିପୋର୍ଟ-ରାମ କୃଷ୍ଣ ରଥ)