ରଣପୁର ରାଜନୀତିରେ ଲେଉଟା ବେଳ… !!
ଅସନ୍ତୋଷ ଭାବ ପ୍ରକାଶ କରି ଅଭିମାନରେ ଦୂରେଇ ଗଲେ ଦଳଠାରୁ ପୂର୍ବତନ ବିଧାୟକ ସ୍ୱର୍ଗତ ରମେଶ ଚନ୍ଦ୍ର ପଣ୍ଡାଙ୍କ ସୁପୁତ୍ର ସିଦ୍ଧାର୍ଥ ପଣ୍ଡା ।
ଅଭିମାନରେ ସେ ନିରବ ରହିଲେ କିମ୍ବା ଅନ୍ୟ ଦଳକୁ ଚାଲିଗଲେ ମଧ୍ୟ ମନ କିନ୍ତୁ ତାଙ୍କର ବିଜୁ ଜନତା ଦଳରେ ।

୨୫ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ରଣପୁର ନିର୍ବାଚନ ମଣ୍ଡଳୀରେ ଏବେ ଆଉ ସେ ସମୟର ରାଜନୀତି ନାହିଁ । କେତେ ରାଜନୈତିକ ଆକ୍ରୋଶ ଓ ଚକ୍ରବ୍ୟୁହରେ ପେଶି ହୋଇ ଆଜି ଏ ବିଧାନସଭା କ୍ଷେତ୍ର ସମଗ୍ର ରାଜ୍ୟରେ ଅବହେଳିତ । ବିଚାର କଲେ ଜଣା ପଡେ ଏହି କ୍ଷେତ୍ରକୁ ପ୍ରତିନିଧିତ୍ୱ କରିବାର ସିଂହ ଭାଗ ସୁଯୋଗ ଯାଇଛି କଂଗ୍ରେସ ଓ ବିଜୁ ଜନତା ଦଳକୁ । ସେ ସମୟରୁ ଆଜି ପର୍ଯ୍ୟନ୍ତ କିନ୍ତୁ ଯେତିକି ବିକାଶ ମୂଳକ କାର୍ଯ୍ୟ ରଣପୁରରେ ହେବାକଥା ତାହା ଆଖି ଦୃଶିଆ କିମ୍ବା ଉତ୍ସାହ ଜନକ ନୁହେଁ । ତଥାପି ସତୁରୀ ଦଶକ ରାଜନୀତିକୁ ଅବଲୋକନ କଲେ ଜଣାଯାଏ ଯେ ଯିଏ ଅଣ କଂଗ୍ରେସ ରାଜନୀତିରେ ନିଜକୁ ସମର୍ପି ଗରିବ,ଖଟିଖିଆ ଓ ମେହନତି ମଣିଷର ଅନ୍ତର୍ବେଦନାକୁ ଉପଲବ୍ଧି କରି ଆଖିରେ ଆଖିଏ ସ୍ୱପ୍ନ ନେଇ ରଣପୁର ବିଧାନସଭା କ୍ଷେତ୍ରର ସାମୁହିକ ଉନ୍ନତି/ବିକାଶ କରିବା ପାଇଁ ଆଗେଇ ଯାଆନ୍ତି ସିଏ ହେଉଛନ୍ତି ସ୍ୱର୍ଗତ ରମେଶ ଚନ୍ଦ୍ର ପଣ୍ଡା । ସାମୁହିକ ଉନ୍ନତିକୁ ନଜରରେ ରଖି ଗରିବ ଖଟିଖିଆ ମେହନତି ମଣିଷର କାନ୍ଧରେ କାନ୍ଧ ମିଳେଇ କୃଷି ଓ କୃଷକ ଉନ୍ନତି କରିବା ପାଇଁ ଅଣ୍ଟା ଭିଡିଥିଲେ ।

କୃଷିକ୍ଷେତ୍ରରେ ଜଳ ସେଚନର ସୁବିଧା ନିମନ୍ତେ ତାଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାରଙ୍କ ସହାୟତାରେ ନିର୍ମିତ ହୋଇଥିଲା ଭେଟବର ଡ୍ୟାମ୍ । ରଣପୁର ଅଞ୍ଚଳର ହଜାର ହଜାର ହେକ୍ଟର ଜମିରେ ଜଳସେଚିତ ହେଲା । କୃଷକର ଦୁଃଖ ଲାଘବ ହୋଇଥିଲା । ରାସ୍ତାଘାଟ,ଶିକ୍ଷା,ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯଦିଓ କିଛିଟା ସୁଧାରିବା ପୂର୍ବରୁ ଅସମ୍ଭବ ଥିଲା, ତାଙ୍କ ପ୍ରତିନିଧତ୍ୱ ସମୟରେ ତାଙ୍କର ଅଦମ୍ୟ ଉଦ୍ୟମ ବଳରେ ସେ କ୍ଷେତ୍ରରେ ବ୍ୟାପକ ଉନ୍ନତି ସମ୍ଭବ ହୋଇ ପାରିଥିଲା । ସ୍ୱତନ୍ତ୍ର କ୍ଷେତ୍ର ପ୍ରସ୍ତୁତ କରିଥିଲେ ରାଜ୍ୟ ରାଜନୀତିରେ । ସେଇଥିପାଇଁ ତ ସେ ବିଧାନସଭା ସଭାକୁ ତିନି ତିନି ଥର ପ୍ରତିନିଧତ୍ୱ କରିବା ପାଇଁ ସୁଯୋଗ ପାଇଛନ୍ତି ସତୁରୀ ରୁ ଅଶୀ ଦଶକ ପର୍ଯ୍ୟନ୍ତ ରାଜ୍ୟ ରାଜନୀତିରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସହଯୋଗୀ ଭାବେ ତାଙ୍କର ସ୍ୱତନ୍ତ୍ର ଦବଦବା ଥିଲା ରାଜ୍ୟ ରାଜନୀତିରେ । ଏପରିକି ଜାତୀୟ ରାଜନୀତିରେ ମଧ୍ୟ ପରିଚୟ ତିଆରି କରିବାରେ ସେ ଥିଲେ ସିଦ୍ଧହସ୍ତ । ରାଜ୍ୟ ବାହାରେ ପଶ୍ଚିମ ବଙ୍ଗ,ତାମିଲନାଡୁ,ଆନ୍ଧ୍ର ପ୍ରଦେଶ,ମଧ୍ୟ ପ୍ରଦେଶ,ମହାରାଷ୍ଟ୍ର ରାଜ୍ୟରେ ତାଙ୍କର ଥିଲା ଲୋକ ପ୍ରିୟତା । ଜାରି ରଖିଥିଲେ ସମାଜ ସେବା । ସମୟର ସାୟାହ୍ନରେ ଥକ୍କି ପଡିନଥିଲେ ସେ । ନୂଆ ରଣପୁର ପାଇଁ ସ୍ୱପ୍ନ ଦେଖୁଥିଲେ ସଦା ସର୍ବଦା ।

ସମୟ ତାଙ୍କୁ ସୁଯୋଗ ଦିଏ ଶେଷ ସମୟରେ ରାଜ୍ୟ ବିଜୁ ଜନତା ଦଳର ଜଣେ ସକ୍ରିୟ ନେତା ହିସାବରେ ଦଳର ନୟାଗଡ଼ ଜିଲ୍ଲା ସଭାପତି ପଦବୀ ଦେଇ । ନୟାଗଡ଼ ବିଜୁ ଜନତା ଦଳର ସଭାପତି ପଦରେ ଅଭିସିକ୍ତ ହୁଅନ୍ତି ୧୯୯୮ମସିହାରେ ସ୍ୱର୍ଗତ ରମେଶ ପଣ୍ଡା । ସ୍ୱର୍ଗତ ଭାଗବତ ବେହେରାଙ୍କୁ ସାଥିରେ ନେଇ ଜିଲ୍ଲା ବିଜେଡ଼ିର ସଙ୍ଗଠନକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଜିଲ୍ଲା ସଙ୍ଗଠନ ପହଞ୍ଚିଥିଲା ଶୀର୍ଷ ସ୍ଥାନରେ । କିନ୍ତୁ ବିଡ଼ମ୍ବନାର ବିଷୟ ଦଳର ବିଶାଳ ସଫଳତା ପୂର୍ବରୁ ତାଙ୍କର ଦେହାନ୍ତ ହେଇଗଲା ୨୦୦୩ ମସିହା ଡିସେମ୍ବର ମାସରେ । ତା’ପରେ ବିପର୍ଯ୍ୟୟର ସୂର୍ଯ୍ୟୋଦୟରେ ଉପନୀତ ହେଲା ରଣପୁର ବିଧାନସଭା । ସିଂହର ବଳ ସବୁଦିନ ପାଇଁ ନରମି ଗଲା । ରାଜନୈତିକ ଛନ୍ଦ କପଟ,ଚକ୍ରବ୍ୟୁହ୍ୟର ଶିକାର ହେଲା ରଣପୁର ବିଧାନସଭା କ୍ଷେତ୍ର । ଅବହେଳିତ ହେଲେ ରଣପୁର ବାସୀ । ଉତ୍ତମ ଓ ସାହାସୀ ନେତୃତ୍ୱ ପାଇବାରେ ବିଫଳ ହେଲେ . ଦୃଢ଼ ନେତୃତ୍ୱ ଦେଇଥିବା ସ୍ୱର୍ଗତ ରମେଶ ଚନ୍ଦ୍ର ପଣ୍ଡାଙ୍କ ପରେ ଏକଦା ରଣପୁରକୁ ଶ୍ରେଷ୍ଠ ଓ ସଫଳ ନେତୃତ୍ୱ ତାଙ୍କ ସୁପୁତ୍ର ସିଦ୍ଧାର୍ଥ ପଣ୍ଡା ଦେଇ ପାରିବା ଆଶାରେ ରଣପୁର ବାସୀ ଆଶା କରିଥିଲେ ୨୦୦୯ ମସିହା ସାଧାରଣ ନିର୍ବାଚନରେ ।

କାରଣ ସେତେବେଳକୁ ଜିଲ୍ଲା ରାଜନୀତିରେ ଜଣେ ଦୃଢ ଯୁବ ସଙ୍ଗଠକ ତଥା ଯୁବ ରାଜନେତାର ପରିଚୟ ମିଳି ସାରିଥିଲା । ରଣପୁର ଅଞ୍ଚଳବାସୀଙ୍କ ହୃଦୟରେ ସିଦ୍ଧାର୍ଥ ପଣ୍ଡା ସ୍ଥାନ ଅକ୍ତିଆର କରି ସାରିଥିଲେ । ସିଦ୍ଧାର୍ଥ ପଣ୍ଡାଙ୍କ ଚୁଡାନ୍ତ ପ୍ରସ୍ତୁତି ବି ସରିଥିଲା, ଲୋକ ପ୍ରିୟତା ମଧ୍ୟ ବଢିଥିଲା । ରଣପୁର ବିଜୁ ଜନତା ଦଳର ତୃଣମୂଳ ସ୍ତରରେ ମଧ୍ୟ ନୂତନ ଆଶାର କିରଣ ଉଦୟ ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ରାଜନୈତିକ ଚକ୍ରବ୍ୟୁହ୍ୟରେ ତାଙ୍କ ଟିକେଟ୍ କଟି ଯାଇଥିଲା । ତଥାପି ସେ ଭାଙ୍ଗି ପଡିନଥିଲେ । ବିଜୁବାବୁ,ନବୀନ ବାବୁ ଓ ତାଙ୍କ ପିତାଙ୍କ ଆଦର୍ଶକୁ ପାଥେୟ କରି ନିଜର ସାଥି ସହଯୋଗୀ ଓ ସମର୍ଥକଙ୍କୁ ସାଥିରେ ନେଇ ଦଳର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ଭୂମିକା ତୁଲେଇଥିଲେ ୨୦୧୯ ମସିହା ପର୍ଯ୍ୟନ୍ତ ରାଜ୍ୟ ନେତୃବର୍ଗଙ୍କ ନିର୍ଦ୍ଦେଶରେ । ଆଚରଣ ଓ ଉଚ୍ଚାରଣକୁ ଗୁରୁତ୍ୱ ଦେଉଥିବା ଯୁବ ସୁଲଭ ଚେହେରା ସିଦ୍ଧାର୍ଥ ପଣ୍ଡା ୨୦୧୯ ମସିହାରେ ସାଧାରଣ ନିର୍ବାଚନରେ କଡ଼ ଲେଉଟେଇଲେ । କାରଣ ପୁଣିଥରେ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହେଲେ ସେ । ରଣପୁର ବାସୀଙ୍କ ସେବା ଉଦ୍ଦେଶ୍ୟରେ ଦଳ ତରଫରୁ ବିଧାନସଭା ଟିକେଟ୍ ପାଇବାକୁ ଆଶା ରଖିଥିବା ରଣପୁର ଜନତା ନିରାଶ ହେଲେ ।
ଅସନ୍ତୋଷ ଭାବ ପ୍ରକାଶ କରି ଅଭିମାନରେ ଦୂରେଇ ଗଲେ ଦଳଠାରୁ ପୂର୍ବତନ ବିଧାୟକ ସ୍ୱର୍ଗତ ରମେଶ ଚନ୍ଦ୍ର ପଣ୍ଡାଙ୍କ ସୁପୁତ୍ର ସିଦ୍ଧାର୍ଥ । ମନଦୁଃଖ କଲେ ରଣପୁର ବିଜୁ ଜନତାର ତୃଣମୂଳ ସ୍ତରର କର୍ମୀ,ନେତା,ଯୁବନେତା, ମହିଳା ନେତ୍ରୀ ସର୍ବୋପରି ରାଜ୍ୟର ଶୀର୍ଷ ନେତୃତ୍ୱ । ଅଭିମାନରେ ସେ ନିରବ ରହିଲେ କିମ୍ବା ଅନ୍ୟ ଦଳକୁ ଚାଲିଗଲେ ମଧ୍ୟ ମନ କିନ୍ତୁ ତାଙ୍କର ବିଜୁ ଜନତା ଦଳରେ । କେମିତି ଭୁଲିଯିବେ ଯେ..? ଯିଏ ବିଜୁ ଆଦର୍ଶରେ ସମର୍ପିତ ! ଦଳର ସବୁ ବର୍ଗର ନେତୃତ୍ବଙ୍କ ସହ ଏବେ ବି ସୁ-ସମ୍ପର୍କ ରହିଛି । ଦଳକୁ ଫେରେଇ ଆଣିବା ପାଇଁ ରଣପୁର ବିଜୁ ଜନତା ଦଳର କର୍ମୀ ଠାରୁ ନେତା, ସଙ୍ଗଠକ ରୁ ସଙ୍ଗଠନ ଯାଏ ଯିଏ ଯେତେବେଳେ ବୁଝାଇଛନ୍ତି, କାହାକୁ ଏଡେଇ ଦେଇ ନାହାଁନ୍ତି ; ମୁରୁକି ହସା ଦେଇ ନିଜ ସାଥି, ସମର୍ଥକ ଓ ଶୁଭେଚ୍ଛୁଙ୍କୁ ଉତ୍ତର ଦିଅନ୍ତି ଅପେକ୍ଷା କେବଳ ସମୟକୁ ! ଏଇ ପରିପ୍ରେକ୍ଷୀରେ ରଣପୁର ବିଜୁ ଜନତା ଦଳ ଚାହିଁ ରହିଛନ୍ତି ସିଦ୍ଧାର୍ଥଙ୍କ ଫେରିବା ବାଟକୁ । ରଣପୁର ବାସୀ ଏଇୟା ହିଁ ଚାହାଁନ୍ତି ସିଦ୍ଧାର୍ଥ ପଣ୍ଡାଙ୍କ ଭଳି ନେତା ଆମକୁ ଦୃଢ଼ ନେତୃତ୍ୱ ଦେଇପାରି ରଣପୁର ରୂପରେଖ ବଦଳାଇବାରେ ସମର୍ଥ ହେବେ । ସେ ସୁଯୋଗ ସମୟ କେବେ ଦେବ ଏଇ ଭାବନା ନେଇ ରଣପୁର ବାସୀ ଚାହିଁ ରହିଛନ୍ତି ଆଗନ୍ତୁକ ସମୟକୁ…?
















