୨୩ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-ସୁଦୃଢ଼ ଭିତ୍ତିଭୂମି,ଅତ୍ୟାଧୁନିକ ଯନ୍ତ୍ରପାତି ଓ ଗୁଣାତ୍ମକ ଚିକିତ୍ସା ସେବା ପାଇଁ ପରିଚିତ ତଥା ହିଞ୍ଜିଳିକାଟୁ ବ୍ଲକରେ ପ୍ରତିଷ୍ଠିତ ଥିବା ଘରୋଇ ହସ୍ପିଟାଲ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନାଁ ରେ ସଙ୍ଗୀନ ଅଭିଯୋଗ ହୋଇଛି ।ଜଣେ ଚକ୍ଷୁବାଧିତ ରୋଗୀଙ୍କ ଠାରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଓ ଚିକିତ୍ସାରେ ଅବହେଳା ସହ ଆର୍ଥିକ ଯାତନା,ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅସହଯୋଗ ମନୋଭାବ ଯୋଗୁଁ ଧନହାନୀ ଓ ପ୍ରାଣପୀଡ଼ା ଭଳି ଦୁଃଖ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ପୀଡ଼ିତ ଜଣକ ଅଭିଯୋଗ କରିଛନ୍ତି।ଏଣେ ପୂର୍ବପରି ନିଜ ଦୃଷ୍ଟିଶକ୍ତି ଫେରି ପାଇବା ଆଶା ରଖି ଏ ହସ୍ପିଟାଲରୁ ସେ ହସ୍ପିଟାଲ ପର୍ଯ୍ୟନ୍ତ ଦଉଡି ଦଉଡି ଅଧିକ ଖର୍ଚ୍ଚାନ୍ତ ଓ ନୟାନ୍ତ ହେଲା ପରେ ଅନାନ୍ୟୋପାୟ ହୋଇ ଶେଷରେ ନ୍ୟାୟ ପାଇବା ଲକ୍ଷ୍ୟରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ନାଁ ରେ ପୀଡିତ ରୋଗୀ ଜଣଜ ଗୁରୁବାର ହିଞ୍ଜିଳି ଥାନାରେ ଏତଲା ଦାୟର କରିଛନ୍ତି।

ଅଭିଯୋଗକାରୀ ଜଣକ ହେଲେ ହିଞ୍ଜିଳି ଥାନା ତଥା ପୋୖରାଞ୍ଚଳ ଥାନା ତୋଟା ସାହି ନେହେରୁ ମାର୍ଗ ୭ମ ଲାଇନର ଯୁବ ଆଇନଜୀବୀ ନିରଞ୍ଜନ ସାହୁ।ପୀଡ଼ିତ ନିରଞ୍ଜନ ହିଞ୍ଜିଳିଥାନା ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଏଭଳି ବିଷମ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବୋଲି ସଙ୍ଗୀନ ଅଭିଯୋଗ କରିଛନ୍ତି। ଏଣେ ଏତଲାର ସେହି କପି ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ବେଳେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଗୁମର କଥା ଦାଣ୍ଡରେ ପଡି ହାଟରେ ଗଡୁଥିବା ଜଣାପଡିଛି।ଏତଲାରେ ଅଭିଯୋଗ ମୁତାବକ ହିଞ୍ଜିଳିକାଟୁର ଯୁବ ଆଇନଜୀବୀ ତଥା ଦୃଷ୍ଟିବାଧିତ ନିରଞ୍ଜନଙ୍କ ଡାହାଣ ପଟ ଆଖିକୁ ଅସ୍ପଷ୍ଟ ଦେଖାଯିବା ଅନୁଭବ କରିଥିଲେ। ଫଳରେ ଗତ ବର୍ଷ ନଭେମ୍ବର ୭ ତାରିଖରେ ସେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟରେ ଡ଼ାକ୍ତରଙ୍କ ସହ ପରାମର୍ଶ କରିଥିଲେ।ସେଠାରେ ସେ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କ ଡାହାଣ ପଟ ଆଖି ରେଟିନାରେ ଛୋଟିଆ କଣା ଥିବା ତାଙ୍କୁ ଡାକ୍ତର ଜଣକ କହିଥିଲେ।ଡାକ୍ତରଙ୍କ ପରାମର୍ଶ କ୍ରମେ ଚଳିତ ବର୍ଷ ଫେବୃଆରୀ ୧୭ ତାରିଖରେ ନିରଞ୍ଜନ ଅସ୍ତ୍ରୋପଚାର ଖର୍ଚ୍ଚ ବାବଦକୁ ନିର୍ଦ୍ଧାରିତ ଦେୟ ନଗଦ ୨୫ ହଜାର ଟଙ୍କା ପଇଠ କରିଥିଲେ।ସେଠାରେ କାର୍ଯ୍ୟରତ ଥିବା ଚକ୍ଷୁ ଡାକ୍ତର ଅନୁଜା ମହାନ୍ତିଙ୍କ ଦ୍ଵାରା ତାଙ୍କ ଡାହାଣ ପଟ ଆଖିର ଅସ୍ତ୍ରୋପଚାର ହୋଇଥିଲା।

ଏକ ମାସ ବ୍ୟବଧାନ ପରେ ପୁଣି ଥରେ ତାଙ୍କୁ ଅସ୍ତ୍ରୋପଚାର କରିଥିବା ଡାକ୍ତର ଶ୍ରୀମତୀ ମହାନ୍ତି ଆଖିର ସ୍କାନ କରିବା ପାଇଁ ବ୍ରହ୍ମପୁର ଓ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଘରୋଇ ଚକ୍ଷୁ ଚିକିତ୍ସାଳୟକୁ ଯିବା ଲାଗି ପରାମର୍ଶ ଦେଇଥିଲେ। ଉଭୟ ଡାକ୍ତରଖାନାରୁ ସ୍କାନ ରିପୋର୍ଟ ଆଣିବା ପରେ ନିରଞ୍ଜନ ଶଙ୍କର ଚକ୍ଷୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ମାତ୍ର ତାଙ୍କୁ ଅସ୍ତ୍ରୋପଚାର କରିଥିବା ଡାକ୍ତର ଜଣକ ଛୁଟିରେ ଯାଇଥିବା କୁହାଯାଇଥିଲା।ଏଣେ ଡାହାଣ ଆଖିକୁ କିଛି ଦେଖା ନ ଯିବାରୁ ନିରଞ୍ଜନ ବ୍ୟସ୍ତ ବିବ୍ରତ ହୋଇ ସମ୍ପୃକ୍ତ ଚିକିତ୍ସାଳୟର ଅନ୍ୟ ଜଣେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ ।କିନ୍ତୁ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇ ନ ଥିବା ଡାକ୍ତର ଜଣକ କହିଥିଲେ। ପୁଣି ସେହି ଡାକ୍ତରଙ୍କ ପରାମର୍ଶ କ୍ରମେ ମାଡ୍ରାସରୁ ଚିକିତ୍ସାଳୟକୁ ଆସିଥିବା ଅନ୍ୟ ଜଣେ ଅଭିଜ୍ଞ ଡାକ୍ତର ପରୀକ୍ଷା ନିରୀକ୍ଷା କରି ସେହି ସମାନ କଥାକୁ ଦୋହରାଇ ଥିଲେ।ଗତ ଫେବୃୟାରୀ ୧୭ ତାରିଖ ଅସ୍ତ୍ରୋପଚାର ଦିନ ଠାରୁ ତାଙ୍କ ପୂର୍ବ ଦୃଷ୍ଟିଶକ୍ତି ହ୍ରାସ ପାଇଥିବା ସେ ଅନୁଭବ କରିଥିଲେ।ଏହାପରେ ସେ ସମ୍ପୃକ୍ତ ହସ୍ପିଟାଲର ଆଇନ ପରାମର୍ଶଦାତା ବି. ଶ୍ରୀନିବାସନଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ।ଏଭଳି ସମସ୍ୟାର ଆପୋଷ ବୁଝାମଣା ପାଇଁ ଆଇନ ପରାମର୍ଶଦାତା ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

କିନ୍ତୁ ଦିନ ପରେ ଦିନ ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ ଚକ୍ଷୁ ଚିକିତ୍ସାଳୟ ତରଫରୁ ତାଙ୍କୁ କୌଣସି ସହଯୋଗ ମିଳି ପାରି ନ ଥିଲା। ଘଟଣାର ଦୀର୍ଘ ୫ ମାସ ଅତିକ୍ରାନ୍ତ ହେଲା ପରେ ତାଙ୍କୁ ଅସ୍ତ୍ରୋପଚାର କରିଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଇନଜୀବୀ ନିରଞ୍ଜନ ଶେଷରେ ହିଞ୍ଜିଳି ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପରେ ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ ଘଟଣା ସମ୍ପର୍କରେ ତଦନ୍ତ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରିଥିବା କହିଛନ୍ତି।ଏଭଳି ଏକ ସାଙ୍ଘାତିକ ଘଟଣା ପଦାକୁ ଆସିବା ପରେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ସମ୍ପୃକ୍ତ ଚିକିତ୍ସାଳୟକୁ ଆସୁଥିବା ଚକ୍ଷୁ ବାଧିତ ରୋଗୀ କିଭଳି ସମସ୍ୟାର ସମ୍ମୁଖୀନ ହେଉଥିବେ ତାହା ଆଇନଜୀବୀଙ୍କ ଘଟଣାରୁ ସହଜେ ଅନୁମେୟ। ଘଟଣା ପ୍ରଘଟ ହେବା ପରେ ସମ୍ପୃକ୍ତ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସମ୍ପର୍କୀୟ ଚାପ ଓ ଦ୍ଵନ୍ଦରେ ଥିବା ଚର୍ଚ୍ଚା ଧରିଛି।ଏଣେ ଆଧ୍ୟାତ୍ମିକ ଚେତନାର ନାରା ଦେଇ ସମ୍ପୃକ୍ତ ଚକ୍ଷୁ ଚିକିତ୍ସାଳୟ ଗଞ୍ଜାମ ଜିଲ୍ଲାରେ କାୟା ବିସ୍ତାର କରି ଏବେ ପ୍ରତିପତିଶାଳୀ ସଂସ୍ଥା ଭାବେ ଉଭା ହୋଇଥିବା ବିଭିନ୍ନ ଆଲୋଚନାରୁ ଶୁଣିବାକୁ ମିଳୁଛି।ଘଟଣାର ପ୍ରକୃତ ତଦନ୍ତ କେଉଁ ଦିଗକୁ ଗତି କରିବ ତା’ଉପରେ ଏବେ ସମସ୍ତଙ୍କ ନଜର ରହିଛି।















