୨୨ ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଗ୍ରାମର ଜଣେ ଦଳିତ ଯୁବକର ମୃତ ଦେହକୁ, ଶନିବାର ଦିନ ସକାଳେ କଟକ ସଦର ପୋଲିସ ହନୁମାନ ଛକ ନିକଟରେ ଥିବା ହେମନ୍ତ ପଣ୍ଡାଙ୍କ ଦୋକାନ ଘରୁ ଉଦ୍ଧାର କରି, ବ୍ୟବଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ଖବର ନେବାରେ ଜଣାପଡିଛି ଯେ, ମୃତ ଦଳିତ ଯୁବକର ନାମ ଶମ୍ଭୁନାଥ ଭୋଇ ୨୬ ବର୍ଷ ।
ତାଙ୍କ ଘର ସୁଭଦ୍ରାପୁର ଗ୍ରାମରେ ବୋଲି ଜଣାପଡିଛି । ଶମ୍ଭୁ ଉକ୍ତ ଦୋକାନରେ ରାତିରେ ଶୋଏ । ଶୁକ୍ରବାର ରାତିରେ ଘରୁ ଦୋକାନକୁ ଶୋଇବାକୁ ଆସିଥିଲା । ସକାଳେ ଦୋକାନକୁ ସଉଦା ନେବାକୁ ଆସିଥିବା ଲୋକେ ଦୋକାନ ଭିତରେ ଝୁଲନ୍ତା ଅବସ୍ଥାରେ କିଏ ଜଣେ ଝୁଲୁଛି ଦେଖିବାକୁ ପାଇଥିଲେ । ଏହି ଖବର ପ୍ରଚାରିତ ହୋଇ ଯିବାରୁ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ଏନେଇ କଟକ ସଦର ଥାନାକୁ ଖବର ଦିଆ ଯାଇଥିଲା ।
କଟକ ସଦର ଥାନାର ଏସ ଆଇ ଚତ୍ତ ରଞ୍ଜନ ସାହୁ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଦୋକାନର ଭିତରପଟୁ ବନ୍ଦ ରହିଥିବା ବେଳେ ଦଳିତ ଯୁବକ ବେକରେ ଗାମୁଛା ବାନ୍ଧା ଅବସ୍ଥାରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ପୋଲିସ ଦୋକାନୀକୁ ଡାକି ତାଙ୍କ ଉପସ୍ଥିତରେ କବାଟ ଫିଟାଇ ଥିଲେ । ପୋଲିସ ସାଇଣ୍ଟିଫିକ୍ ଟିମକୁ ଡାକି ସେମାନଙ୍କ ଉପସ୍ଥିତରେ ମୃତ ଯୁବକର ଶରୀରକୁ ତଳକୁ ଓହ୍ଲାଇ ବ୍ୟବଛେଦ ପାଇଁ ପଠାଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପୋଷ୍ଟ ମଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କେଶର ଆଇଓ କହିଛନ୍ତି ।