୨୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ୨୯ଜଣ ବରିଷ୍ଠ,ଯୁବ, ମହିଳା ଓ ଦଳୀୟ ସଂଗଠକଙ୍କୁ ବିଜେଡି ଗଞ୍ଜାମ ଜିଲ୍ଲା ନିମନ୍ତେ ବିଭିନ୍ନ ପଦବୀରେ ନିଯୁକ୍ତି ମିଳିଛି।ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ସୁସଂଗଠିତ,ସୁଦୃଢ ଓ ଶକ୍ତିଶାଳୀ ତଥା ସାଧାରଣ ଜନତାଙ୍କ ଅଧିକ ନିକଟତର ହେବା ଲକ୍ଷ୍ୟ ରଖି ବିଜେଡ଼ି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛି । ଅଞ୍ଚଳରେ ରାଜନୈତିକ,ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି,ସାଙ୍ଗଠନିକ ଦକ୍ଷତା ସମ୍ପନ୍ନ କର୍ମୀ ଓ ଅନୁଭବି ଦଳୀୟ ନେତାଙ୍କୁ ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ଓ ଶେରଗଡ଼ ବ୍ଲକରେ ବେଶ ଜଣାଶୁଣା ନେତା ତଥା ପିତଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅନୀଲ କୁମାର ମହାପାତ୍ରଙ୍କୁ ବିଜେଡ଼ି ପକ୍ଷରୁ ଜିଲ୍ଲା ସ୍ତରରେ ସ୍ଥାନ ମିଳିଛି । ପୂର୍ବତନ ସରପଞ୍ଚ ତଥା ରାଧାକୃଷ୍ଣ ପରିବା ବଜାର ସଂଘ ସଭାପତି ଅନୀଲ କୁମାର ମହାପାତ୍ରଙ୍କ ବଳିଷ୍ଠ ନେତୃତ୍ୱ ଓ ଦୃଢ଼ ସାଙ୍ଗଠନିକ ଦକ୍ଷତା ଉପରେ ଗଭୀର ଆସ୍ଥା ଓ ଭରସା ରଖି ବିଜେଡି ସୁପ୍ରିମୋ ତାଙ୍କୁ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ଅବସରରେ ମଙ୍ଗଳବାର ରାଧାକୃଷ୍ଣ ପରିବା ବଜାର ସଂଘ ପକ୍ଷରୁ ଭବ୍ୟ ମନ୍ଦିର ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଉପ ସଭାପତି କୃଷ୍ଣଚନ୍ଦ୍ର ଗୌଡ଼ଙ୍କ ସଂଯୋଜନାରେ ନବ ନିଯୁକ୍ତ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଅନୀଲ କୁମାର ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସଂଘ ସଦସ୍ୟ ମାନେ ସମ୍ବର୍ଦ୍ଧିତ କରି ସଫଳତା କାମନା କରିଥିଲେ।ପୂର୍ବରୁ ଜଣେ ନିଷ୍ଠାପର ସମାଜସେବୀ ଓ ଜନପ୍ରିୟ ନେତା ଭାବେ ସବୁ ମହଲରେ ପରିଚିତ ଥିବା ଅନୀଲଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିବା ପରେ ଦଳୀୟ କର୍ମୀ, ନେତା, ଶୁଭେଚ୍ଛୁ ଓ ରାଧାକୃଷ୍ଣ ପରିବା ବଜାର ସଂଘ ମହଲରେ ଉତ୍ସାହ ବୃଦ୍ଧି ପାଇଛି ।
ଜିଲ୍ଲା ସାଧାରଣ ସମ୍ପାଦକ ଅନୀଲଙ୍କ ନେତୃତ୍ୱରେ ଦଳ ତୃଣମୂଳ ସ୍ତରରେ ଅଧିକ ସୁସଂଗଠିତ,ସୁଦୃଢ ଓ ଶକ୍ତିଶାଳୀ ହେବ ବୋଲି ସଂଘ ସଦସ୍ୟ ଆଶା ପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ସମ୍ବର୍ଦ୍ଧନା ବେଳେ ଡମ୍ବୁରୁଧର ନାହାକ,ବିଜୟ ଚନ୍ଦ୍ର ପାତ୍ର,ଅନ୍ତର୍ଯ୍ୟାମୀ ପଣ୍ଡା, ଅଭିରାମ ପାତ୍ର,ହୀନ ବାଡ଼ତ୍ୟା,ସନ୍ତୋଷ କୁମାର ପାଣିଗ୍ରାହୀ, ବିପିନ କୁମାର ସାହୁ ଓ ମୁନା ମୁନୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।














