୨୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ହିଞ୍ଜିଳିଥାନା ଅଞ୍ଚଳରେ ଅନ୍ଧାର ରାତିରେ ଋଷିକୂଲ୍ୟା ଓ ଘୋଡାହାଡ଼ ନଦୀ ପଠାର ବିଭିନ୍ନ ସ୍ଥାନରୁ ନିୟମିତ ଭାବେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ବାଲି ଚୋରା ଚାଲାଣ ଗତ କିଛି ଦିନ ଧରି ଚୋରା ବ୍ୟବସାୟୀଙ୍କ କୁଟୀର ଶିଳ୍ପ ପାଲଟିଛି । ଅନ୍ଧାର ରାତିରେ ନଦୀ ଗର୍ଭକୁ ବିଦାରୀ ବାଲି ଚୋରା ଚାଲାଣ ଏବେ ମାଫିଆଙ୍କ ଆୟର ମୁଖ୍ୟ ଉତ୍ସ ପାଲଟିଛି । ଅନ୍ଧାରୀ ବାଲି ଚୋରା ଚାଲାଣରୁ ଟ୍ରିପ ପିଛା ହଜାର ହଜାର ଟଙ୍କା ଆଦାୟ କରି ଚୋରା ବାଲି ମାଫିଆ ମାଲାମାଲ ହେଉଥିବା ବେଳେ କେଉଁଠି କେମିତି ସଜ ସୁବିଧା ଉପାୟରେ ହାତଗୁଂଜା ଦେଇ ପ୍ରଚୁର ପରିମାଣରେ ବାଲି ଠୁଳ କରିବା ଏବେ ନିତିଦିନିଆ ଘଟଣା ପାଲଟିଛି ।
ସବୁଠାରୁ ଉଲ୍ଲେଖ ଯୋଗ୍ୟ ପ୍ରସଙ୍ଗ ହେଲା ରାଜନୈତିକ ଛତ୍ରଛାୟା ତଳେ ରହି କିଛି ନିର୍ବାଚିତ ପ୍ରତିନିଧିଙ୍କ ସମ୍ପର୍କୀୟ ଓ ଅନୁଗତ ପରିବହନ ସରକାରୀ ନିୟମକୁ ମୋଡି ମକଚି ଚୋରା ଚାଲାଣରେ ଲିପ୍ତ ଥିବା ଜଣାପଡିଛି । ଏପରିକି ନମ୍ବର ବିହୀନ ଟ୍ରଲି ବ୍ୟବହାର କରି ବାଲି ଚୋରା ଚାଲାଣ ଉଦ୍ୟମ ବେଳେ ହିଞ୍ଜିଳି ଥାନା ପୋଲିସ ୨ ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ଘଟଣାରୁ ସ୍ପଷ୍ଟ ହୋଇଛି । ସୂଚନା ମୁତାବକ ହିଞ୍ଜିଳିଥାନା ସିଙ୍ଗିପୁର ନିକଟରେ ଥିବା ଘୋଡାହାଡ଼ ନଦୀ ପଠାରୁ ରାତ୍ର ପାଟ୍ରୋଲିଂ ବେଳେ ହିଞ୍ଜିଳି ପୋଲିସ ୨ ବାଲି ବୋଝେଇ ଟ୍ରାକର (ଓଡି ୦୭ ଏଏଚ ୩୩୭୦ ଏବଂ ଓଡି ୦୭ ଆର ୦୧୧୮)କୁ ଜବତ କରିଛି ।
ଜବତ ୨ ଟ୍ରାକ୍ଟର ଟ୍ରଲିର ନମ୍ବର ପ୍ଲେଟରେ ପରିବହନ ନମ୍ବର ନ ଥାଇ ଲଘୁଖଣିଜ ସମ୍ପଦ ଚୋରା ଚାଲାଣ ବେଳେ ପୋଲିସ ଜବତ କରିଛି । ପୋଲିସ ବାଲି ଚୋରା ଚାଲାଣ ସମ୍ପୃକ୍ତି ଥିବା ଅଭିଯୋଗ ଭିତ୍ତିରେ ଟ୍ରାକ୍ଟର ୨ ଟିକୁ ଜବତ କରି ୪୯୨,୪୯୩/୨୩ରେ ମାମଲା ରୁଜ୍ଜୁ ହୋଇଛି ବୋଲି ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି । ସ୍ଥାନୀୟ ପୋଲିସ ପକ୍ଷରୁ ରାତ୍ର ପାଟ୍ରୋଲିଂ ବେଳେ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ ଜାରି ରହିଥିବା ବେଳେ ଚୋରା ମାଫିଆଙ୍କ ମଧ୍ୟରେ ଭାଲେଣି ପଡିଛି ।ପ୍ରକାଶ ଥାଉକି ହିଞ୍ଜିଳିଥାନା ଅଞ୍ଚଳରେ ଥିବା ସଂଖ୍ୟାଧିକ ଟ୍ରାକ୍ଟର ଓ ଏହାର ଚାଳକ ପରିବହନ ବିଭାଗର ନିୟମକୁ ଉଲ୍ଲଂଘନ କରି ବେଧଢକ ଭାବେ ବାଲି,ପଥର,ଇଟା,ମାଟି ଚାଲାଣ ଓ ସାମଗ୍ରୀ ପରିବହନରେ ଲିପ୍ତଥିବା ଦେଖିବାକୁ ମିଳୁଛି । ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।














