୧୬ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ୨୦୨୨-୨୩ ଶିକ୍ଷା ବର୍ଷରେ ସେମାନଙ୍କର ଆନ୍ତରିକ ପ୍ରୟାସ ଓ ଚମତ୍କାର ସଫଳତା ପାଇଁ ପ୍ରଶଂସିତ ଓ ପୁରସ୍କୃତ କରିବା ଲାଗି ମଦର୍ସ ପବ୍ଲିକ୍ ସ୍କୁଲ୍, ୟୁନିଟ୍-୧ ଭୁବନେଶ୍ୱର ପକ୍ଷରୁ ଏହାର ପରିସରରେ ଗତ ଜୁଲାଇ ୧୫ ତାରିଖ ୨୦୨୩ରେ ‘ଆନୁଆଲ ଗ୍ଲୋରୀ ଡେ’ର ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ପକ୍ଷରୁ ଶିକ୍ଷା ଓ ଶିକ୍ଷା ସହ ଜଡିତ କ୍ଷେତ୍ରରେ ଚମତ୍କାର ସଫଳତା ହାସଲ କରିଥିବା ଏହାର ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି ।

ବିଦ୍ୟାଳୟର ଅଧ୍ୟକ୍ଷା ଓ ପରାମର୍ଶଦାତା ଶ୍ରୀମତି ପଲି ପଟ୍ଟନାୟକ, ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶକ ଶ୍ରୀଜିତ୍ ପଟ୍ଟନାୟକ, ମୁଖ୍ୟ ଅତିଥି ପ୍ରଣିତା ଦାସ (ଆଇଏଏସ୍), ସୌମ୍ୟ ରଞ୍ଜନ ଦାସ (ଆଇଏଏସ୍), ଉପାଧ୍ୟକ୍ଷ ଟି. ଆର୍. ଆଶା, ପ୍ରଧାନଶିକ୍ଷକ ସନ୍ତୋଷୀ ମହାପାତ୍ର, ଏକାଡେମିକ୍ ସୁପର୍ଭାଇଜର ଅମ୍ରିତା ଚୌଧୁରୀ, ଏକପର୍ଣ୍ଣା ଚାଟାର୍ଜୀ ଆଦି ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ । ଏହି ଅବସରରେ ଦର୍ଶକଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଏହାଛଡା ବିଗତ ବର୍ଷଗୁଡିକରେ ବିଦ୍ୟାଳୟର ସ୍ମରଣୀୟ କାର୍ଯ୍ୟକ୍ରମ ଓ ସଫଳତାର ଝଲକକୁ ଦେଖାଇଥିବା ଏକ ଫିଲ୍ମ ପ୍ରଦର୍ଶିତ ହୋଇଥିଲା । କୃତି ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି, ମେଡାଲ ଓ ସାର୍ଟିଫିକେଟ୍ ଦିଆଯାଇଥିଲା । ଟପର୍ଙ୍କ ମଧ୍ୟରେ ସୀତାଂଶୁ ମହାପାତ୍ର ଏଆଇଏସ୍ଏସ୍ସିଇ- ୨୦୨୨-୨୩ରେ ୯୮% ମାର୍କ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତାଙ୍କ ପରେ ସୂର୍ଯ୍ୟଜ୍ୟୋତି ମହାପାତ୍ର ୯୬.୮୦% ମାର୍କ ରଖି ୨ୟ ସ୍ଥାନ ହାସଲ କରିଥିବା ବେଳେ ଅର୍ଣ୍ଣବ୍ ଜେନା ୯୬.୬୦% ମାର୍କ ରଖି ୩ୟ ସ୍ଥାନରେ ରହିଛନ୍ତି । ସୀତାଂଶୁ ମହାପାତ୍ର ଓ ଅର୍ଣ୍ଣବ ଜେନାଙ୍କୁ ଏଆଇଏସ୍ଏସ୍ସିଇ, ୨୦୨୩ରେ ଫିଜିକ୍ସରେ ସର୍ବାଧିକ ମାର୍କ ରଖିଥିବାରୁ ୧୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଛି ।

ସ୍ୱର୍ଗତଃ ଶିଶିର ଜେନା ଓ ସ୍ୱର୍ଗତଃ ଦଶରଥୀ ଜେନାଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହାବ୍ୟତୀତ ସ୍ୱର୍ଗତଃ ପ୍ରସନ୍ନ ଜେନାଙ୍କ ସ୍ମୃତିରେ ପଲିଟିକାଲ ସାଇନ୍ସରେ ସର୍ବାଧିକ ମାର୍କ ରଖିଥିବା ତିସ୍ୟା ମହାନ୍ତିଙ୍କୁ ୨୦୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ପଲି ପଟ୍ଟନାୟକ ସଫଳ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଥିଲେ ଏବଂ ଏଭଳି ଏକ ସଫଳତା ବିଦ୍ୟାଳୟର ମଙ୍ଗଳ ପାଇଁ କାର୍ଯ୍ୟ କରୁଥିବା ଟିମ୍ର ପ୍ରତ୍ୟେକ ସଦସ୍ୟଙ୍କ ମିଳିତ ପ୍ରୟାସର ଫଳାଫଳ ବୋଲି କହିଥିଲେ ।















