୧୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ନିର୍ଯ୍ୟାତନା ଦେବା ଓ ବାପଘରକୁ ଯିବା ସମୟରେ ଘରୁ ବୋହୁ ୫ହଜାର ଟଙ୍କା ଚୋରି କରିନେବା ନେଇ ଶାଶୁ ଅଭିଯୋଗ କରିଛନ୍ତି। ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ସାବିତ୍ରୀ ସେଠୀ ଗୁରୁବାର ସ୍ଥାନୀୟ ଥାନାରେ ଏଭଳି ଅଭିଯୋଗ କରିଛନ୍ତି।ଅଭିଯୋଗକୁ ଭିତ୍ତିକରି ପୋଲିସ କେଶ ନଂ୪୯୯/୨୩ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି।ଅଭିଯୋଗ ପ୍ରକାରେ ତହଁର ଗ୍ରାମର ସାବିତ୍ରୀ ସେଠୀ ଓ ପରିବାର ସଦସ୍ୟଙ୍କୁ ତାଙ୍କ ବୋହୁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଓ ମିଥ୍ୟା କଥା କହି ହଇରାଣ ହରକତ କରି ପୋଲିସରେ ଅଭିଯୋଗ କରିଥିଲେ।
ପରେ ସରପଞ୍ଚ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଥାନାରେ ଉକ୍ତ ଅଭିଯୋଗର ଅପୋଷ ସମାଧାନ ହେଲା ପରେ ସାବିତ୍ରୀ ବୋହୂକୁ ଘରକୁ ଆଣିଥିଲେ।ଗତ ଏକ ମାସ ଧରି ସବୁକିଛି ଠିକ ଠାକ ଚାଲିଥିଲା ବେଳେ ଗତ ବୁଧବାର ବୋହୂର ବାପା ଓ ମା ଅଟୋ ନେଇ କାଞ୍ଜିଆମାରେ ପହଞ୍ଚି ଝିଅକୁ ନେବା ପାଇଁ ସାବିତ୍ରୀଙ୍କୁ କହିଥିଲେ।କିନ୍ତୁ ଉକ୍ତ ଦିନ ସାବିତ୍ରୀଙ୍କ ଦାଦା ଶଶୁରଙ୍କ ଦେହାନ୍ତ ହୋଇଥିବା ଯୋଗୁଁ ଅନ୍ୟ ସମୟରେ ଆସି ଝିଅକୁ ନେବା ପାଇଁ ସେ ସେମାନଙ୍କୁ କହିଥିଲେ।
ବ୍ୟାଗରେ କିଛି ଜିନିଷ ଧରି ଯିବା ବେଳେ କେଉଁ ଆଡେ ଯାଉଛୁ ବୋଲି ଶାଶୁ ପଚାରିଥିଲେ।କିନ୍ତୁ ବୋହୁ ଶାଶୁକୁ ଠେଲି ଦେଇ ଅଟୋରେ ବସି ବାପା,ମା ଙ୍କ ସହ ଶାଶୁଘରୁ ଚାଲି ଯାଇଥିଲା। ଶାଶୁ ସାବିତ୍ରୀ ଆହତ ହୋଇଥିବା ଅଭିଯୋଗ କରିଛନ୍ତି।ଘଟଣା ସମ୍ପର୍କରେ ସାବିତ୍ରୀ ଛତ୍ରପୁରରେ ରହୁଥିବା ପୁଅ ଗଣେଶକୁ ଜଣାଇ ଥିଲେ।ପରେ ଘରେ ଥିବା ୫ହଜାର ଟଙ୍କା ଚୋରି କରି ନେବା ସହ ବାରମ୍ବାର ବୋହୁର ଏଭଳି କାର୍ଯ୍ୟକଳାପ ସମ୍ପର୍କରେ ସାବିତ୍ରୀ ହିଞ୍ଜିଳିଥାନାରେ ଅଭିଯୋଗ କରିଛନ୍ତି।