୧୩ ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :- ବୁଧୁବାର ମଧ୍ୟ ରାତ୍ରୀରେ ବାଣପୁର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଯାଇଛି । ଜଣେ ମାନସିକ ବିକୃତ ମହିଳାଙ୍କୁ ଜଣେ ଦୁର୍ବୃତ୍ତ ଅତି ବିଭତ୍ସ ଭାବେ ଖଣ୍ଡାରେ ହାଣି ହତ୍ୟା କରିଛି । ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ରାସ୍ତା ପାର୍ଶ୍ୱର ଅଳିଆ ଗଦାରେ ପଡ଼ି ରହିଥିବା ବେଳେ ହତ୍ୟାକାଣ୍ଡର ସମସ୍ତ ଦୃଶ୍ୟ ନିକଟରେ ଥିବା ଏକ ସିସିଟିଭିରେ ରେକଡିଙ୍ଗ ହୋଇଛି । ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତ ଚଳାଇଛି । ଏ’ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗୁରୁବାର ସକାଳୁ ବାଣପୁର ଗାଲୁଆ ଛକ ନିକଟରେ ଥିବା ଏକ ଅଳିଆ ଗଦାରେ ଜଣେ ଅଜଣା ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ି ରହିଥିଲା । ମୃତ ଶରୀରର ବେକରେ ଏବଂ ଅନ୍ୟାନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ମାରି ଏଠାରେ ଫୋପାଡ଼ି ଦେଇଥିବାର ଅନୁମାନ କରାଯାଇଥିଲା ।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିଲା । ମହିଳା ଜଣଙ୍କର ପରିଚୟ ମିଳି ନଥିବା ବେଳେ କିଛି ଦିନ ହେବ ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଲୋକମାନେ କହିଛନ୍ତି । ନିକଟସ୍ଥ ଲୋକଙ୍କ ଠାରୁ ମାଗି ଯାଚି ମହିଳା ଜଣଙ୍କ ଖାଦ୍ୟ ଖାଉଥିଲେ । ତେବେ ମହିଳାଙ୍କ ହାବ ଭାବରୁ ତାଙ୍କର ମସ୍ତିଷ୍କ ବିକୃତି ରହିଥିବା ଅନୁମାନ କରାଯାଇଛି । ମୃତଦେହ ପଞ୍ଚନାମା କରିବା ପରେ ହତ୍ୟାକାଣ୍ଡ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ପୁଲିସ ଆଖ ପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରିଥିଲା । ଫୁଟେଜ ଯାଞ୍ଚ କରିବାରେ ପୁଲିସକୁ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଥିଲା ।
ସିସିଟିଭ ଫୁଟେଜରେ ଦେଖାଯାଉଥିବା ଭିଡ଼ିଓରେ ମହିଳାଜଣଙ୍କୁ କେହି ଜଣେ ଦୁର୍ବୃତ୍ତ ପଛ ପଟୁ ଖଣ୍ଡାରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା । ମହିଳାଜଣଙ୍କ ଅଳିଆ ଗଦାରୁ ରାତ୍ରି ପ୍ରାୟ ୧.୧୯ ଟା ସମୟରେ କିଛି ଖାଦ୍ୟ ଖାଉଥିବା ବେଳେ ଦୁର୍ବୃତ୍ତଜଣଙ୍କ ଏକ ଖଣ୍ଡା ସାହାଯ୍ୟରେ ପଛ ପଟୁ ଆକ୍ରମଣ କରୁଥିବା ଦୃଶ୍ୟ ଦେଖାଯାଉଥିଲା । ତେଣୁ ଏହା ଏକ ହତ୍ୟାକାଣ୍ଡ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ମହିଳାଜଣଙ୍କ ଜଣେ ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ତାକୁ କିଏ ଏବଂ କାହିଁକି ହତ୍ୟା କରିଲା ସେ’ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହତ୍ୟାକାଣ୍ଡର କାରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ ପୁଲିସ ତଦନ୍ତ ପରେ ହତ୍ୟା ରହସ୍ୟରୁ ପର୍ଦ୍ଦା ଉଠିବା ସହ ହତ୍ୟାକାଣ୍ଡର ସଠିକ କାରଣ ଜଣାପଡିବ ।














