୨ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :- ମଝି ରାସ୍ତାରେ ଚଳନ୍ତା ସ୍କୁଟି ଅଟକାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଭରତ ପ୍ରଧାନ ନାମକ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ବାଣପୁର ପୋଲିସ l ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଖଣତ ଗ୍ରାମର ପ୍ରକାଶ ଜେନାଙ୍କ ଠାରୁ ଭାପୁର ଗ୍ରାମର ଭରତ ପ୍ରଧାନ ଏକ ବର୍ଷ ପୂର୍ବେ ମଜୁରୀ ପ୍ରାପ୍ୟ ପାଞ୍ଚ ହଜାର ଟଙ୍କା ଠକି ନେଇଯାଇଥିଲେ l ଉକ୍ତ ଟଙ୍କା ମଗାକୁ କେନ୍ଦ୍ର କରି ୬ ମାସ ପୂର୍ବେ ଭାରତ ପ୍ରକାଶଙ୍କୁ ଧମକ ମଧ୍ୟ ଦେଇଥିଲେ l
ପୂର୍ବ ଶତ୍ରୁତାକୁ ନେଇ ଗତକାଲି ସନ୍ଧ୍ୟାରେ ପ୍ରକାଶ ତାଙ୍କର ମା ଏବଂ ଝିଅଙ୍କ ସାଥିରେ ଭାପୁର ସ୍ଥିତ ନିଜର ବନ୍ଧୁଙ୍କ ଘରୁ ନିଜ ସ୍କୁଟିରେ ଫେରୁଥିବା ବେଳେ ବାଣପୁର ଭେଟେଶ୍ୱର ରାସ୍ତାରେ ଭରତ ଏକ ପଲସର ଗାଡ଼ିରେ ଆସି ପ୍ରକାଶଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ମୋବାଇଲ ଓ ସ୍କୁଟି ଛଡାଇ ନେଇ ଫେରାର ହୋଇଯାଇଥିଲେ l ଫଳରେ ପ୍ରକାଶଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା l
ତାଙ୍କୁ ସଙ୍ଗେ ସଙ୍ଗେ ବାଣପୁର ଡାକ୍ତରଖାନରେ ଚିକିତ୍ସା କରାଯାଇଥିଲା l ଉକ୍ତ ଘଟଣାକୁ ନେଇ ପ୍ରକାଶଙ୍କ ମା ନିଶାମାଣି ଜେନା ଥାନାର ଦ୍ୱାରସ୍ତ ହେଲାପରେ ପୋଲିସ 257/23 ରେ ଏକ ମାମଲା ରୁଜୁ କରି ଆଜି ଭରତଙ୍କୁ ତାଙ୍କ ନିଜ ଘରୁ ଗିରଫ କରି କୋର୍ଟଚାଲାଣ କରିଛି l ତେବେ ଭରତଙ୍କ ଠାରୁ ସ୍କୁଟି ଜବତ ହୋଇଥିବା ବେଳେ ଅଦ୍ୟାବଧି ମୋବାଇଲ ମିଳିପାରିନାହିଁ l














