୨୬ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ସମ୍ମାନଜନକ ରାଜଧାନୀ ପୁସ୍ତକ ମେଳା ପୁରସ୍କାର – ୨୦୨୦ ପ୍ରଦାନ କରାଯାଇଛି । ବିଂଶତିତମ ରାଜଧାନୀ ପୁସ୍ତକ ମେଳା ପୁରସ୍କାର ପ୍ରଦାନ ଉତ୍ସବ ରବିବାର ଭୁବନେଶ୍ୱର ଗୀତଗୋବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଖ୍ୟାତନାମା ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ତାଙ୍କ ଲିଖିତ ଶିଶୁ ଗଳ୍ପ ପୁସ୍ତକ ” ଫେରିଆ ମୋ ସୁନାଚଢ଼େଇ ” ପାଇଁ ରାଜଧାନୀ ପୁସ୍ତକମେଳା ପୁରସ୍କାର – ୨୦୨୦ ” ପ୍ରଦାନ କରାଯାଇଥିଲା । 
ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ , ବିଧାୟକ ଡଃ ଅରୁଣ କୁମାର ସାହୁ , ସମାଜସେବୀ ଡଃ ବଦ୍ରିନାଥ ପଟ୍ଟନାୟକ , ପୁସ୍ତକମେଳା ସଭାପତି ଉପେନ୍ଦ୍ର କୁମାର ଜେନା , ସଂପାଦକ ବିଧୁଭୂଷଣ ପଟ୍ଟନାୟକ , ଆବାହକ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଶ୍ରୀ ପୃଷ୍ଟିଙ୍କୁ ଉପାୟନ , ମାନପତ୍ର ଓ ପଦକ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ ।
୩୦ ଗୋଟି ଶିଶୁ ପୁସ୍ତକର ସ୍ରଷ୍ଟା ଶ୍ରୀ ପୃଷ୍ଟିଙ୍କୁ ନିକଟରେ ଏହି ପୁସ୍ତକ ପାଇଁ ଜଗତସିଂହପୁର ସାହିତ୍ୟ ପରିଷଦ ତରଫରୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।ଅନୁଗୁଳ ଜିଲ୍ଲା କିଶୋର ନଗର ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକତା କରୁଥିବା ଶ୍ରୀ ପୃଷ୍ଟି ସଂପ୍ରତି ଓଡ଼ିଶା ସାହିତ୍ୟ ଏକାଡେମୀର ଅନଗୁଳ ଜିଲ୍ଲା ସଦସ୍ୟ ଅଛନ୍ତି ।















