No Result
View All Result
୧୬ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଗତ ୧୩ ତାରିଖ ଦିନ ଢ଼େଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଠାରେ ଥିବା ଟାଟାଷ୍ଟିଲ ପ୍ଲାଂଟର ବ୍ଲାଷ୍ଟ ଫ୍ୟୁରାନ୍ସ ଦୁର୍ଘଟଣା ଯୋଗୁଁ ୧୯ ଜଣ ଶ୍ରମିକ ଗୁରୁତ୍ୱର ଭାବେ ଆହତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ତଦନ୍ତ ନିର୍ଦ୍ଦେଶ ନଦେବା ରାଜ୍ୟର ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଶ୍ରମିକମାନଙ୍କ ଏବଂ ତାଙ୍କ ପରିବାର ପ୍ରତି ଏକ କ୍ରୁର ଉପହାସ ବୋଲି କଂଗ୍ରେସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି । ପ୍ରଦେଶ କଂଗ୍ରେସ ଭବନରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଛନ୍ତି ଯେ ଦୀର୍ଘ ୫ ଦିନ ବିତିଗଲା ପରେ ମଧ୍ୟ ରାଜ୍ୟ ସରକାର ଏଭଳି ଏକ ମର୍ମତୁନ୍ଦ ଦୁର୍ଘଟଣାକୁ ସଂପୂର୍ଣ୍ଣ ଚାପିଦେବା ଏବଂ ତଦନ୍ତ ନିର୍ଦେଶ ନଦେବା ଅତ୍ୟନ୍ତ ଦୁଃଖ ଦାୟକ କଥା । ଏ ସରକାର ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ବେଳେ ଏହି ଘଟଣାରେ ଏତେ ଲୁଚକାଳି ଖେଳ କାହିଁକି ଓ କାହା ସ୍ୱାର୍ଥକୁ ରାଜ୍ୟ ସରକାର ଜଗିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।
ରାଜ୍ୟର ୧୯ଜଣ ଶ୍ରମିକ ଗୁରୁତ୍ୱର ଭାବରେ ଆହତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ଶ୍ରମ ବିଭାଗର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀ ସଂପୂର୍ଣ୍ଣ ନିରବ ରହିବାରୁ ବୁଝାପଡ଼ୁଛି ରାଜ୍ୟ ସରକାର ଶ୍ରମିକ ମାନଙ୍କ ସ୍ୱାର୍ଥ ରକ୍ଷା କରିବାପାଇଁ କାର୍ଯ୍ୟ କରିବା ପରିବର୍ତେ ଟାଟା କମ୍ପାନୀର ସ୍ୱାର୍ଥକୁ ରକ୍ଷା କରିବାପାଇଁ ଲାଗିପଡ଼ିଛନ୍ତି । ନିର୍ବାଚନ ପାଣ୍ଠି ଯୋଗାଡ଼ କରିବା ବିଜୁ ଜନତା ଦଳର ସରକାରର ଏକ ମାତ୍ର କାମ । ତେଣୁ ରାଜ୍ୟର ଶ୍ରମିକମାନେ ମଲେ ବା ବଂଚିଲେ ଏଥିର ସରକାରଙ୍କର କିଛି ଯାଏଆସେ ନାହିଁ । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଟାଟା କମ୍ପାନୀ ନିଜେହିଁ ନିଜ ଦୋଷର ତଦନ୍ତ କରୁଛି । ଏ ହେଉଛି ଏ ସରକାରଙ୍କର ଏ ରାଜ୍ୟର ଶ୍ରମିକଙ୍କ ପ୍ରତି ପ୍ରତିବଦ୍ଧତା ଓ ନିଷ୍ଠା । ରାଜ୍ୟ ସରକାର କୋଟି କୋଟି ଟଙ୍କା ଲେବର ସେସ୍ ଆକାରରେ ଆଦାୟ କରୁଥିଲା ବେଳେ କାହିଁକି ଶିଳ୍ପ ପ୍ରବଣ ଜିଲ୍ଲାମାନଙ୍କରେ ଉନ୍ନତ ଚିକିତ୍ସା ବ୍ୟବସ୍ଥା କରାଯାଉ ନାହିଁ ବା କରାଯିବା ପାଇଁ ନିଷ୍ଠ ମଧ୍ୟ ନାହିଁ ।
ଏପରିକି ଢ଼େଙ୍କାନାଳ ଓ ଅନୁଗୁଳ ଉଭୟ ଜିଲ୍ଲାରେ ବହୁ ଶିଳ୍ପ ଗଢ଼ିଉଠିଥିଲେ ମଧ୍ୟ ସେ ସବୁ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟ ସେବା ପ୍ରାୟତଃ ଠପ ହୋଇ ପଡ଼ିରହିଛି । ଏ ସରକାର ଫେକ୍ଟ୍ରି ଆଇନ ୧୯୪୮ ଧାରା ୮୮ ଉପଧାରା ୨କୁ ସଂପୂର୍ଣ୍ଣ ଉଲଙ୍ଘନ କରୁଛନ୍ତି । ଦୁର୍ଘଟଣାର ୪୮ ଘଂଟା ମଧ୍ୟରେ ରାଜ୍ୟ ସରକାର ଏହାର ତଦନ୍ତ ନେବା କଥା କିନ୍ତୁ ୫ ଦିନ ପରେ ମଧ୍ୟ ନିଦ ଭାଙ୍ଗୁନାହିଁ । ଏହି ଦୁର୍ଘଟଣାରେ ୨ ଜଣ ଶ୍ରମିକ ୭୫ ଭାଗରୁ ଅଧିକ ପୋଡ଼ି ଯାଇଛନ୍ତି ୭ ଜଣ ଶ୍ରମିକ ୪୦ ଭାଗରୁ ଅଧିକ ପୋଡ଼ି ଯାଇଛନ୍ତି । ୨ ଜଣ ଶ୍ରମିକଙ୍କର ହାତ ଓ ଗୋଡ଼ ଭାଙ୍ଗିଛି । ଏ ସମସ୍ତେ କଟକର ଏକ ପ୍ରାଇଭେଟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଟାଟା କମ୍ପାନୀ ଓଡ଼ିଶାରେ ସବୁ ବ୍ୟବସାୟ କରୁଛି କିନ୍ତୁ ନିଜର ଏତେବଡ଼ କାରାଖାନା ଭିତରେ ଗୋଟିଏ ହସ୍ପିଟାଲ ନକରିବା, ଦୁର୍ଘଟଣାର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇ ନ ଦେଇପାରିବା ଅତ୍ୟନ୍ତ ଚିନ୍ତାଜନକ ବିଷୟ ।
ଟାଟା କମ୍ପାନୀ ତାଙ୍କର କର୍ପୋରେଟ ସୋସିଆଲ ରେସପନସିବିଲିଟ ଥିବା ଅର୍ଥକୁ ସେ ଅଂଚଳର ବିକାଶ ପାଇଁ ମଧ୍ୟ ଖର୍ଚ୍ଚ କରୁନାହାନ୍ତି । ଅନ୍ୟତମ ମୁଖପାତ୍ର ଶ୍ରୀମତୀ ରଶ୍ମି ମହାପାତ୍ର ସାମ୍ବାଦିକ ମାନଙ୍କୁ ଉଦ୍ବୋଧନ ଦେଇ କହିଲେ ନବୀନ ବାବୁଙ୍କର ଟାଟା ପ୍ରୀତିଯୋଗୁଁ ଆଜି ରାଜ୍ୟର ଶ୍ରମିକମାନେ ଅକାରଣରେ ଗୁରୁତ୍ୱର ଆହତ ଓ ମୃତ୍ୟୁବରଣ କରୁଛନ୍ତି । ରାଜ୍ୟର ବିଭିନ୍ନ ଶିଳ୍ପାଂଚଳରେ ବହୁ ସମୟରେ ଦୁର୍ଘଟଣା ଘଟୁଛି । ଦୁର୍ଘଟଣାରେ ସଂପୂର୍ଣ୍ଣ ଭାବରେ ଶ୍ରମିକ ଓ କର୍ମଚାରୀ ମାନେ ଆହତ ବା ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ବଡ଼ ଆଶ୍ଚର୍ଯ୍ୟର କଥା ଏ ରାଜ୍ୟର ଶିଳ୍ପ ମନ୍ତ୍ରୀ, ଶ୍ରମ ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ଶିଳ୍ପକୁ ଗ୍ରସ୍ତକରି ନିରାପର୍ତା ଏବଂ କାର୍ଯ୍ୟକାରୀତା ବାବଦରେ ତଦାରଖ କରୁନାହାନ୍ତି ତାର ମୁଖ୍ୟ କାରଣ ହେଲା ଖୋଦ ମୁଖମନ୍ତ୍ରୀ ଟାଟାକୁ କୋଳରେ ବସାଇଛନ୍ତି ।
ପ୍ରଦେଶ କଂଗ୍ରେସ ଏହି ଘଟଣାର ନିରପେକ୍ଷ ତଦନ୍ତ ରାଜ୍ୟ ଶ୍ରମ ବିଭାଗ ତତ୍ ସହିତ ଫେକ୍ଟ୍ରି ଆଣ୍ଡ ବଏଲରର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା କରାଯିବାକୁ ଦାବି କରିଛି । ଆହତ ପରିବାରବର୍ଗଙ୍କୁ ଟାଟାଷ୍ଟିଲ ତରଫରୁ ପର୍ଯ୍ୟପ୍ତ ପରିମାଣର କ୍ଷତିପୂରଣ ରାଶି ଦେବା ସହିତ ସେମାନଙ୍କର ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ଚିକିତ୍ସା ଖର୍ଚ୍ଚ ଦାୟୀତ୍ୱ ନିଅନ୍ତୁ । ଯେଉଁମାନେ ସଂପୂର୍ଣ୍ଣରୂପେ ପୋଡ଼ି ଯାଇଛନ୍ତି ତାଙ୍କ ପରିବାରବର୍ଗଙ୍କୁ ସେଠାରେ ତୁରନ୍ତ ନିଯୁକ୍ତି ଦିଆଯାଉ । ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଟାଟା କମ୍ପାନୀକୁ ସଂପୂର୍ଣ୍ଣରୂପେ ଦାୟୀ କରାଯାଉ । ଏହି ସାମ୍ବାଦିକ ସମ୍ମିନଳୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଏବଂ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗର ମୁଖ୍ୟ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।


No Result
View All Result