No Result
View All Result
୧୫ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା/ଜଟଣୀ :- ଲେଭେଲ କ୍ରସିଙ୍ଗ ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଆନ୍ତର୍ଜାତୀୟ ଲେଭେଲ କ୍ରସିଙ୍ଗ ସଚେତନତା ଦିବସ ପାଳନ ଏକ ବିଶ୍ୱବ୍ୟାପୀ ପଦକ୍ଷେପ । ତେଣୁ, ଲେଭେଲ କ୍ରସିଙ୍ଗଠାରେ ଦୁର୍ଘଟଣାକୁ ଏଡ଼ାଇବା ଏବଂ ସଡ଼କ ବ୍ୟବହାର କାରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ଵାରା ୧୫ ଜୁନ୍ ୨୦୨୩ ରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଙ୍ଗ ସଚେତନତା ଦିବସ ପାଳନ କରାଯାଇଛି ।
କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ଖୋର୍ଦ୍ଧାରୋଡ଼ ମଣ୍ଡଳ, ହରିପୁରଗ୍ରାମ ଜଙ୍କସନ ରେଳ ଷ୍ଟେସନ ନିକଟ ଲେଭେଲ କ୍ରସିଙ୍ଗ ଗେଟ ସଂଖ୍ୟା କେପି-୨ ଠାରେ ଜନସାଧାରଣଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସଚେତନତା ପାଇଁ ଲେଭେଲ କ୍ରସିଙ୍ଗ ଗେଟ ଠାରେ ସୁରକ୍ଷା ସତର୍କତା ପାଇଁ ଜନ ପରାମର୍ଶ, ଲିଫ୍ଲେଟ ବଣ୍ଟନ, ବ୍ୟାନର ଓ ପୋଷ୍ଟର ପ୍ରଦର୍ଶନ ଏବଂ ସ୍ଲୋଗାନ ଇତ୍ୟାଦି ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୋଡ଼ ସିଭିଲ ଡିଫେନ୍ସ ସଂଗଠନର ସଦସ୍ୟ ମାନଙ୍କ ଦ୍ୱାରା ଏକ ପ୍ରଥପ୍ରାନ୍ତ ନାଟକ ମଧ୍ୟ ଆୟୋଜିତ ହୋଇଥିଲା ।
ଏହି ପ୍ରଥପ୍ରାନ୍ତ ନାଟକ ଦ୍ଵାରା ଜନସାଧାରଣଙ୍କୁ ଶିକ୍ଷିତ କରାଯାଇଥିଲା ଯେ ଟ୍ରେନ ଫାଟକ ଅତିକ୍ରମ କରିବା ପାଇଁ ମାତ୍ର କିଛି ସେକେଣ୍ଡ ସମୟ ନେଇଥାଏ,ତେଣୁ ଫାଟକ ବନ୍ଦ ଥିବା ସମୟରେ ଜନ ସାଧାରଣ ଧୈର୍ଯ୍ୟ ରଖନ୍ତୁ ଆଉ ଗେଟ୍ ବନ୍ଦ ଥିଲା ବେଳେ ରେଳ ଟ୍ରାକ ଅତିକ୍ରମ କରନ୍ତୁ ନାହିଁ । ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ସାଧାରଣ ଜନତାଙ୍କୁ ଅନୁରୋଧ କରି କହିଥିଲେ ଯେ, ସମସ୍ତଙ୍କ ଜୀବନ ଅମୂଲ୍ୟ ଏବଂ ଲେଭେଲ କ୍ରସିଙ୍ଗ ଫାଟକ ଅତିକ୍ରମ କରୁଥିବା ବେଳେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ।
ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଥିବା ସମସ୍ତ ମାନବ ବିହୀନ ଲେଭଲ୍ କ୍ରସିଂ ଗେଟ୍ ଗୁଡିକ ୨୦୧୮ ସୁଦ୍ଧା, ରୋଡ୍ ଅଣ୍ଡର ବ୍ରିଜ୍ (ଆର୍ ୟୁ ବି), ରୋଡ୍ ଓଭର ବ୍ରିଜ୍ (ଆର୍ ଓ ବି), ସୀମିତ ଉଚ୍ଚତା ସବୱେ (ଏଲ୍ ଏଚ ଏସ ) ଏବଂ ଡାଇଭର୍ସନ ରୋଡ୍, ନିର୍ମାଣ ଦ୍ୱାରା ହଟାଯାଇଥିଲା | ଖୋର୍ଦ୍ଧାରୋଡ଼ ମଣ୍ଡଳରେ,୨୦୧୯ ଠାରୁ ଅଦ୍ୟାବଧି କୌଣସି ଲେଭଲ୍ କ୍ରସିଂ ଦୁର୍ଘଟଣା ରେକର୍ଡ ହୋଇନାହିଁ | ଏହି ସଚେତନତା କାର୍ଯ୍ୟକ୍ରମରେ ଶ୍ରୀ ଏମ୍. ଏନ୍. ଏସ୍. ରମେଶ, ବରିଷ୍ଠ ମଣ୍ଡଳ ନିରାପତ୍ତା ଅଧିକାରୀ, ଖୋର୍ଦ୍ଧାରୋଡ଼, ଶ୍ରୀ ଡି.କେ. ମଲ୍ଲିକ, ଅତିରିକ୍ତ ମଣ୍ଡଳ ନିରାପତ୍ତା ଅଧିକାରୀ ଏବଂ ପୂର୍ବ ତଟ ରେଳ ବିଭାଗର ମୁଖ୍ୟ ଷ୍ଟାଷ୍ଟିଟିକାଲ୍ ଇନ୍ସପେକ୍ଟର ଶ୍ରୀ ମୃଣ୍ମୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


No Result
View All Result