୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଚଳିତ ଜୁନ ୯ ତାରିଖ ଶୁକ୍ରବାର ଦିନ ଭୁବନେଶ୍ୱର ଠାରେ ଫାର୍ମ୨ଫୋର୍କର ୯ମ ସଂସ୍କରଣର ଆୟୋଜନ କରାଯାଇଛି, ଯେଉଁଠାରେ କୃଷି ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶିଳ୍ପସଂସ୍ଥାଗୁଡ଼ିକୁ କୃଷକମାନଙ୍କୁ ସହାୟତା ଏବଂ ମାଗଦର୍ଶନ ପ୍ରଦାନ କରିବାକୁ ଆହ୍ୱାନ କରିଛନ୍ତି । ଏହି ସହାୟତା କୃଷକଙ୍କ ଆୟ ବୃଦ୍ଧି ତଥା ରାଜ୍ୟର ସାମଗ୍ରିକ ସମୃଦ୍ଧିରେ ସହାୟକ ହେବ ବୋଲି ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।
କର୍ଣ୍ଣାଟକର ଉଦାହରଣକୁ ଅନୁସରଣ କରି ଓଡ଼ିଶା କଫି ଏବଂ ମାଣ୍ଡିଆ ଚାଷରେ ଏକ ସମୃଦ୍ଧ ରାଜ୍ୟ ହେବା ଲାଗି ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜ ଇଚ୍ଛା ପ୍ରକାଶ କରିଛନ୍ତି । ଏହି କଫି ମିଶନକୁ ସମର୍ଥନ କରିବା ଏବଂ ଏହାର ବିଶ୍ୱସ୍ତରୀୟ ପହଂଚରେ ସହଯୋଗ କରିବା ପାଇଁ ସେ ଶିଳ୍ପକୁ ଅନୁରୋଧ କରିଛନ୍ତି । ଅନ୍ୟ ଅଂଚଳ ତୂଳନାରେ ରାଜ୍ୟର ଉତ୍କୃଷ୍ଟମାନର ସଂଯୋଗକୁ ଦୃଷ୍ଟିରେ ରଖି ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ କୃଷକମାନଙ୍କ ନୀକଟରେ ପହଂଚିବା ଏବଂ ସେମାନଙ୍କ ଉତ୍ପାଦକୁ ଫଳପ୍ରଦ ଭାବରେ ମାର୍କେଟିଙ୍ଗ କରିବା ପାଇଁ ଶିଳ୍ପଗୁଡ଼ିକ ଏହି ସୁବିଧାର ବ୍ୟବହାର କରିବା ଉଚିତ ।
ଏହି ଅବସରରେ ଭୁବନେଶ୍ୱର ମେୟର ଶ୍ରୀମତି ସୁଲୋଚନା ଦାସ ମଧ୍ୟ ନିଜର ବକ୍ତବ୍ୟ ରଖିଛନ୍ତି ଏବଂ କୃଷକଙ୍କ ପାଇଁ ମାଣ୍ଡିଆ ପ୍ରଦାନ କରୁଥିବା ପ୍ରଚୁର ସୁଯୋଗଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି । ସେହିପରି ସେ ବିଶେଷ କରି ଉପକୂଳବର୍ତୀ ଅଂଚଳଗୁଡ଼ିକରେ ସାମୁଦ୍ରିକ ଖାଦ୍ୟ କ୍ଷେତ୍ରର ବୃହତ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମେୟର ଶ୍ରୀମତୀ ଦାସ ସୋର୍ସିଂ ଏବଂ ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ମାର୍କେଟିଙ୍ଗ ଏବଂ ରପ୍ତାନୀ ପର୍ଯ୍ୟନ୍ତ ନିରନ୍ତର ସାମୁଦ୍ରିକ ଖାଦ୍ୟ ପ୍ରୋତ୍ସାହନ ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଛନ୍ତି । ସାମୁଦ୍ରିକ ଖାଦ୍ୟ କ୍ଷେତ୍ର ପାଇଁ ଅତ୍ୟାଧୁନିକ ସୁବିଧା ତଥା ପରୀକ୍ଷଣ ଲ୍ୟାବ ସ୍ଥାପନ କରିବାରେ ସେ ଶିଳ୍ପମାନଙ୍କର ସହଯୋଗ ଲୋଡ଼ିଛନ୍ତି ।
ନିଜର ସ୍ୱାଗତ ଅଭିଭାଷଣରେ ଓଡ଼ିଶା ରାଜ୍ୟ ପରିଷଦ ଅଧ୍ୟକ୍ଷ ଶ୍ରୀ ଶଶୀ ଶେଖର ମହାନ୍ତି କୃଷିକୁ ସ୍ଥାୟୀ କରିବା ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ସ୍ଥାୟୀ କୃଷି ଜୈବ ବିବିଧତା ସଂରକ୍ଷଣରେ ସାହାଯ୍ୟ କରିଥାଏ ଏବଂ ଜଳବାୟୁ ପରିବର୍ତନ ହ୍ରାସ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୂଲାଇଥାଏ । ଶ୍ରୀ ମହାନ୍ତି ଦୁବାଇ, ବ୍ୟାଙ୍ଗକକ୍ ଏବଂ ସିଙ୍ଗାପୁର ଭଳି ବିଶ୍ୱସ୍ତରୀୟ ସହରଗୁଡ଼ିକୁ ଓଡ଼ିଶାର ସିଧାସଳଖ ବାୟୁ ସଂଯୋଗ ଉପରେ ମଧ୍ୟ ଆଲୋକପାତ କରିଛନ୍ତି, ଯାହା କୃଷକମାନଙ୍କୁ ସେହି ସହରଗୁଡ଼ିକରେ ରହୁଥିବା ଓଡ଼ିଆ ପ୍ରବାସୀମାନଙ୍କ ନୀକଟରେ ସେମାନଙ୍କ ଉତ୍ପାଦଗୁଡ଼ିକର ମାର୍କେଟିଙ୍ଗ ପାଇଁ ବିଭିନ୍ନ ସୁଯୋଗ ପ୍ରଦାନ କରୁଛି ।

© 2023 Odisha Taza News.