୨୬ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) କଟକ :- କଟକ ସିଏମସି ୫୬ ନମ୍ବର ୱ।ର୍ଡ଼ ସୁଭଦ୍ରାପୁର ଗ୍ରାମର ସ୍ୱପ୍ନେଶ୍ୱରଙ୍କ ମନ୍ଦିର ପରିସରରେ ତିନିଦିନ ଧରି ଚାଲିଥିବା ରାମଲୀଳା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ସୁଭଦ୍ରାପୁର ସ୍ୱପ୍ନେଶ୍ୱର ସାଂସ୍କୃତିକ ପରିଷଦର ସଭାପତି କିର୍ତ୍ତୀ ଚନ୍ଦ୍ର ବିଶୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ, ପ୍ରତେକ ଦିନ ରାତିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଆୟୋଜିତ ଉତ୍ସବରେ ଉପସଭାପତି ସତ୍ୟ ରଞ୍ଜନ ଦାସ, ସଂପାଦକ ବିବେକା ନନ୍ଦ ଦାସ, ୪୮ସଂକୀର୍ତ୍ତନ ମଣ୍ଡଳୀର ମହନ୍ତ ବନମାଳୀ ଦାସଙ୍କ ନେତୃତ୍ୱରେ ଉକ୍ତ ରାମଲୀଳା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଗ୍ରାମର ସମସ୍ତ ଯୁବକ ବୟଜ୍ୟେଷ୍ଠ ବ୍ୟକ୍ତି ସହଯୋଗ କରିଥିଲେ । ଗ୍ରାମବାସୀଙ୍କ ମଧ୍ୟରେ ଏକ ଖୁସିର ମାହୋଲ ଦେଖିବାକୁ ମିଳିଥିଲା ।
ସ୍ୱପ୍ନେଶ୍ୱର ସାଂସ୍କୃତିକ ପରିଷଦର କଳାକାରମାନେ ସୋମନାଥ ବିଶୋଇଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ହନୁହାତେ ହତ ପାତାଳ ଦୈତ୍ୟ ରାମଲୀଳା ପରିବେଷଣ କରିଥିଲେ। ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଲେଖକ ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ମହାରଣା ଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜୟମଙ୍ଗଳା ରାମଲୀଳା ପ୍ରଚାର ସମିତି ଓ କାମେଶ୍ୱର ନାଟ୍ୟ ସଂଘ ତାଙ୍କର ଲୀଳା ପରିବେଷଣ କରିଥିଲେ । ସେହିପରି ନୂତନ ହନୁମାନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ କାର୍ଯ୍ୟ କରାଯାଇଥିଲା ।
ମନ୍ଦିର ପରିସରରେ ନିର୍ମିତ ନୂତନ ଗୃହକୁ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଶେଷରେ ପଣ୍ଡିତ ଶେଷଦେବ ଷଡ଼ଙ୍ଗୀ ଯୁବକ ମାନଙ୍କୁ ରାମଙ୍କ ବାଣୀ ଗାନକରି ଶୁଣାଇଥିଲେ । ତିନି ଦିନ ଧରି ପରିବେଷିତ ହୋଇଥିବା ରାମଲୀଳା ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଲାଗିଥିଲା ।

© 2023 Odisha Taza News.