ବାବା ଆଖଣ୍ଡଳମଣିଙ୍କ ଶିବ ବିବାହ ପାଇଁ ସରିଲା ଦେବ ନିମନ୍ତ୍ରଣ : ବାହାଘର

ଆସନ୍ତା ବୁଧବାର ବିବାହ ମଣ୍ଡପରେ ଅନୁଷ୍ଠିତ ହେବ ଦେବଦମ୍ପତ୍ତିଙ୍କ ଶୁଭ ପରିଣୟ ।

ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଆରଡି :- ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶିବ ବିବାହ ଉତ୍ସବ ପାଇଁ ପୀଠରେ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି । ଅନ୍ୟପଟେ ଗତ ଗୁରୁବାର ଠାରୁ ଦେବ ନିମନ୍ତ୍ରଣ ନିମନ୍ତେ ବାହାରିଥିବା ରଥ ସୋମବାର ପୀଠରେ ପହଞ୍ଚିଛି । ଏହାସହ ପୀଠ ସମେତ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଦେବାଦେବୀଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ଓ ମଙ୍ଗୁଳା ଗୁଆ ବଣ୍ଟନ କରାଯାଇଛି । ମଙ୍ଗଳବାର ଦେବଦମ୍ପତ୍ତିଙ୍କର ମଙ୍ଗଳକୃତ୍ୟ ଅନୁଷ୍ଠିତ ହେବା ସହ ଆସନ୍ତା ବୁଧବାର ବିବାହ ମଣ୍ଡପରେ ଅନୁଷ୍ଠିତ ହେବ ଦେବଦମ୍ପତ୍ତିଙ୍କ ଶୁଭ ପରିଣୟ ।ଏହି ବିବାହ ଉତ୍ସବରେ ରାଜ୍ୟ ଓ ପଡୋଶୀ ରାଜ୍ୟରୁ ବିଭିନ୍ନ ସାଂସ୍କୃତିକ ବାଦ୍ୟକାରଙ୍କ ସହ ନୃତ୍ୟଶିଳ୍ପୀ ଯୋଗ ଦେବେ । ଏଥିପାଇଁ ପୀଠରେ ସରିଛି ସମସ୍ତ ପ୍ରସ୍ତୁତି । ବିଶେଷକରି ଭଦ୍ରକ ପୀରାହାଟର ପ୍ରଦେଶ ସେବା ସଂଘଠନ ସହେଯାଗରେ ଚିତ୍ରକାର ସେବାକାରୀଙ୍କ ପକ୍ଷରୁ ରଙ୍ଗକାର‌୍ୟ୍ୟ ଓ ମାଙ୍ଗଳିକ ଲିଖନୀ ସରିଥିବା ବେଳେ ତୋରଣ ନିର୍ମାଣ, ଆଲୋକ ସଜ୍ଜା ଆଦି ଚୂଡାନ୍ତ ପର‌୍ୟ୍ୟାୟରେ ପହଞ୍ଚିଛି । ପୀଠ ରଙ୍ଗିନ ଆଲୋକମାଳାରେ ଝଲସି ଉଠିବା ସହ ବାଜାବାଣ ରୋଷଣୀରେ ପ୍ରକମ୍ପିତ ହେବ । ଏହି ବିବାହ ଉତ୍ସବ ଦେଖିବା ପାଇଁ ପୀଠକୁ ଏବେଠାରୁ ଭକ୍ତମାନଙ୍କର ଆଗମନ ହେବାରେ ଲାଗିଛି । ଅନ୍ୟପଟେ ମଙ୍ଗଳକୃତ୍ୟ ନୀତି ନିମନ୍ତେ ମଙ୍ଗଳବାର ଭୋର ମନ୍ଦିର ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ଆଦି ସମସ୍ତ ସକାଳ ନୀତିକାନ୍ତି ୧୦ଟା ସୁଧା ସରିବା ପରେ ବରପିତା ପ୍ରମୋଦ ପାଢୀ ଓ କନ୍ୟାପିତା ଗଦା ପାଢୀ ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଓ ପାର୍ବତୀଙ୍କ ଚଳନ୍ତି ପ୍ରତିମା ଗୈାରିଙ୍କୁ ନିଜ ନିଜର ବାସଭବନକୁ ବିଜେ କରାଇବେ । ସେଠାରେ ବୈଦିକ ରୀତିନିତି ଓ ଲୋକା ଚାରରେ ମହିଳା ସେବାକାରିଙ୍କ ଦ୍ୱାରା ମଙ୍ଗଳକୃତ୍ୟ ନୀତିକାନ୍ତି ସମାପନ କରାଯିବ ବୋଲି ଉଭୟ ,ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ପ୍ରକାଶ ପାଇଛି ।