No Result
View All Result
୧୯ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ମା’ ଭଗବତୀ ପାଳିଲେ ସାବିତ୍ରୀ ବ୍ରତ । ଦକ୍ଷ କନ୍ୟା ସତୀ, ଦେବ ଦେବ ମହାଦେବଙ୍କୁ ପତି ଭାବରେ ବରଣ କରି ନିଜକୁ ଧନ୍ୟ ମନେ କରିଛନ୍ତି । ନିଜ ପତିଙ୍କ ପ୍ରତି ପିତାଙ୍କ ତାଛଲ୍ୟ, କଟୁକ୍ତିସହ୍ୟ କରି ନ ପାରି ଯଜ୍ଞକୁଣ୍ଡରେ ନିଜକୁ ଝାସ ଦେଇଥିଲେ । ସେହି ମା’ ଭଗବତୀ ପାର୍ବତୀ ରୂପରେ ଜନ୍ମ ନେଇ ପୁଣି ଦେବ ଦେବ ମହାଦେବଙ୍କୁ ପତି ଭାବରେ ପାଇବା ପାଇଁ ହିମାଳୟରେ କଠୋର ତପସ୍ୟା କରି ବରପ୍ରାପ୍ତ ହୋଇଥିଲେ ।
ପୌରାଣିକ ଉପାଖ୍ୟାନରେ ବର୍ଣ୍ଣିତ ଦେବୀ ଭଗବତୀ ଯିଏ ସମସ୍ତଙ୍କର ଆରାଧ୍ୟା ଦେବୀ ସେ ସତୀ ଏବଂ ସେ ପାର୍ବତୀ ବୋଲି ବିଶ୍ୱାସ ଅଛି ।
କିନ୍ତୁ କଳି ଯୁଗରେ ମା’ ମାନବୀୟ ଲୀଳାର ପ୍ରତୀକ ଭାବରେ ଦେବ ଦେବ ମହାଦେବଙ୍କ ଶୁଭ ମନାସି ସେ ନିଜେ ପାଳନ୍ତି ସାବିତ୍ରୀ ବ୍ରତ । କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ଏହି ନୀତିକାନ୍ତି ଓଡିଶାର ସମସ୍ତ ଶକ୍ତିପୀଠ ଠାରୁ ଅନନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଶୁକ୍ରବାର ପ୍ରତ୍ୟୁଷରୁ ଅଙ୍ଗରାଗ ମାଜଣା, ଅଂଳା ହଳଦୀ ଅଗୁରୁ ଚନ୍ଦନ କର୍ପୁର ମିଶ୍ରିତ ସୁବାଷିତ ଜଳରେ ମହାସ୍ନାନ, ବେଶ, ମହାପ୍ରସାଦ ସେବନ ,ବଲ୍ଲଭ ଆଳତୀ ପରେ ସର୍ବ ସାଧାରଣ ଦର୍ଶନ ବଢିଥିଲା ।
ପିତ୍ରାଳୟ ଦକ୍ଷ ପ୍ରଜାପତିଙ୍କ ମନ୍ଦିରରୁ ଦଣ୍ଡସେଣା ନେଇଥିଲେ ସାବିତ୍ରୀ ଭାର । ନୂଆ ଶାଢୀ, ଚୂଡ଼ି, ଅଳତା, ସିନ୍ଦୁର କଜ୍ୱଳ, ପାନିଆ,ଦର୍ପଣ, ସହ ମୁଗ, ଆମ୍ବ, ପଣସ, ନଡ଼ିଆ, ତାଳ ଖଜୁର ଇତ୍ୟାଦି ଫଳ ମୂଳ ।
ପାଳିଆ ମାଳି ମଧ୍ୟାହ୍ନରେ ପୁଣି ମା’ଙ୍କୁ ନୂଆ ଶାଢିରେ ବେଶ କରାଇ ସିନ୍ଧୁର କଜ୍ୱଳ ଓ ଚୁଡ଼ି ଆଦି ସମର୍ପଣ କରି ସୁନ୍ଦର ଭାବରେ ବେଶ କରିଥିଲେ । ପରିଚ୍ଛା ସାଆନ୍ତେ ବ୍ରତ ବିଧି ବଢାଇ ଆଳତୀ ବନ୍ଦାପନା ପରେ ଶଙ୍କୁଡ଼ି ଧୂପ ଲାଗି ହୋଇଥିଲା । ଘଣ୍ଟଘଣ୍ଟା କାହାଳୀ ବାଦ୍ୟହୁଳହୁଳି ଧୂନୀରେ ମନ୍ଦିର ବେଢା ଉଛୁଳି ପଡିଥିଲା । ପରେ ସର୍ବ ସାଧାରଣ ଦର୍ଶନ ପାଇଁ ସାହାଣମେଲା ହୋଇଥିଲା ।
ଓଡ଼ିଶାର ଏହି ପ୍ରସିଦ୍ଧ ସାବିତ୍ରୀ ବ୍ରତ କେବଳ ଓଡ଼ିଆଣି ମା’ ଭଉଣୀମାନେ ପାଳନ କରୁଥିବା ବେଳେ ବାଣପୁରର ଆରାଧ୍ୟା ଦେବୀ ଭଗବତୀ ମଧ୍ୟ ଏହି ବ୍ରତ ଓଷା ପାଳୁଥିବାର ପରମ୍ପରା ପ୍ରାଚୀନ କାଳରୁ ଚଳି ଆସୁଛି । ଦେବୋତ୍ତର କାର୍ଯ୍ୟାଳୟ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଠାରୁ ପ୍ରକାଶ ।
No Result
View All Result