No Result
View All Result
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀରେ ଜନତା ଶୌଚାଳୟରେ ଜନ ହନ୍ତସନ୍ତ : ପରିଷଦ, ହିଞ୍ଜିଳିକାଟୁ
ଦୈନିକ ହଜାର ହଜାର ଲୋକ ଏଠାକୁ ଆସୁଥିବା ବେଳେ ପାଖାପାଖି ୪ମାସ ଧରି ଶୌଚାଳୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ପ୍ରତ୍ୟହ ସକାଳ ୬ଟାରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବା ପାଇଁ ନିୟମ ରହିଥିଲେ ମଧ୍ୟ ଅନିୟମିତତା ଲାଗି ରହିଛି ।
ପୂର୍ବରୁ ପରିଷଦର ଜଣେ କର୍ମଚାରୀ ସଂପୃକ୍ତ ଶୌଚାଳୟରେ ନିୟୋଜିତ ରହିଥିବା ବେଳେ ବର୍ତ୍ତମାନ ଶୌଚାଳୟରେ କୌଣସି କର୍ମଚାରୀଙ୍କ ଦେଖା ମିଳୁନାହିଁ ।
୧୬ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ପରିଚିତ ଥିବା ହିଞ୍ଜିଳିକାଟୁ ସହର ଗତ ଅକ୍ଟୋବର ୨୦୧୮ରେ ପୌର ପରିଷଦ ଭାବେ ମାନ୍ୟତା ପାଇଲା । ଗଞ୍ଜାମ ଜିଲ୍ଲାର ଏକମାତ୍ର ପୌର ପରିଷଦ ଭାବେ ଖ୍ୟାତି ଲାଭ ହେବା ପରେ ଏହାର ଭୌଗଳିକ ପରିସୀମା ନବକଳେବର ଲାଗି କୋଟ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହେଲା । ବିଭିନ୍ନ ଉନ୍ନୟନ ପ୍ରକଳ୍ପ ମଧ୍ୟରେ ସାଧାରଣ ଲୋକଙ୍କ ଆବଶ୍ୟକତା ଲାଗି ଅବସ୍ଥାପିତ ହେଲା ଜନତା ଶୌଚାଳୟ । ସହରର ପ୍ରାଣକେନ୍ଦ୍ର ତଥା ବ୍ୟବସାୟର ପେଣ୍ଠସ୍ଥଳୀ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ନିକଟରେ ଜନତା ଶୌଚାଳୟ ରହିଛି । ବିଭିନ୍ନ ସମୟରେ ରଙ୍ଗ, ମରାମତି,ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ପୌର ପରିଷଦରୁ ଅଟକଳ କରାଯାଇ ଖର୍ଚ୍ଚ କରାଯାଉଛି ।
ପୌର ପରିଷଦ କାର୍ଯ୍ୟାଳୟ ଠାରୁ ମାତ୍ର୧୦୦ ମିଟର ଦୂରତାରେ ଏହା ରହିଥିଲେ ମଧ୍ୟ ବିଭିନ୍ନ ଅବ୍ୟବସ୍ଥା ଦେଇ ଶୌଚାଳୟଟି ପରିଚାଳିତ ହେଉଥିବା ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଛି । ଦୈନିକ ହଜାର ହଜାର ଲୋକ ଏଠାକୁ ଆସୁଥିବା ବେଳେ ପାଖାପାଖି ୪ମାସ ଧରି ଶୌଚାଳୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ପ୍ରତ୍ୟହ ସକାଳ ୬ଟାରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବା ପାଇଁ ନିୟମ ରହିଥିଲେ ମଧ୍ୟ ଅନିୟମିତତା ଲାଗି ରହିଛି । ପୂର୍ବରୁ ସ୍ନାନ ଓ ଶୌଚ ସକାଶେ ଜଣଙ୍କ ପିଛା ୫ ଟଙ୍କା ଆଦାୟ ଲେଖାଏଁ ଶୁଳ୍କ କରାଯାଉଥିବା ବେଳେ ପରିଷଦ ଏବାବଦକୁ ଦୈନିକ ୨ ହଜାରରୁ ୨୫ଶହ ଟଙ୍କା ଆଦାୟ କରୁଥିଲା ।
ସେତେବେଳେ ପର୍ଯ୍ୟପ୍ତ ପରିମାଣର ଜଳ ମହଜୁଦ ରହିବା ସହ ପରିଷ୍କାର, ପରିଛନ୍ନତାକୁ ଗୁରୁତ୍ୱ ଦିଆଯାଉଥିଲା । ଦୀର୍ଘ ବର୍ଷ ଧରି ଏହା ବଜାୟ ରହିବା ସହିତ ପଥଚାରୀ, ଦୂର ଦୂରାନ୍ତରରୁ ଆସୁଥିବା ଯାତ୍ରୀ ମାନେ ଉପଯୁକ୍ତ ସେବା ପାଇପାରୁଥିଲେ । ସେତେବେଳେ ଶୌଚ ସକାଶେ ତିଳେ ସୁଦ୍ଧା କୁଣ୍ଠାବୋଧ ନକରି ବେଶ ଆରାମରେ ଦୀନଚର୍ଯ୍ୟା କରିବାରେ ସୁବିଧା ମଣୁଥିଲେ । ମାତ୍ର ୫ଟଙ୍କାର ସୂଲଭ ଦରରେ ମୌଳିକ ସେବା ପାଇପାରି ପୌର ପରିଷଦର ସେବା ପ୍ରତି ବିଶ୍ୱାସ ଓ ଭରସା ଅତୁଟ ରଖିଥିଲେ । ବର୍ତ୍ତମାନ କିଛି ମାସ ଧରି ଜନତା ଶୌଚାଳୟରେ ମୌଳିକ ସେବା ପାଇବାରେ ବ୍ୟାହତ ହୋଇଛି ।
ପର୍ଯ୍ୟାପ୍ତ ଜଳର ଅଭାବ ହେତୁ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ଜଣାପଡିଛି । ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ପୃଥକ ଭାବେ ଶୌଚାଳୟ ଗୃହ ଉପଲବ୍ଧ ଥିବା ବେଳେ ଆବଶ୍ୟକ ସେବା ଯୋଗାଇ ଦେବା ନିୟମ ରହିଛି । ନିୟମିତ ବ୍ୟବଧାନରେ ପରିଷ୍କାର ପରିଚ୍ଛନ୍ନତା ଓ ବ୍ୟବହାର ଉପଯୋଗୀ ରଖିବା ପରିବର୍ତ୍ତେ ପରିଷଦ ପକ୍ଷରୁ ଏଥିପ୍ରତି ଦୃଷ୍ଟି ପଡୁନଥିବା ସାଧାରଣରେ ଅଭିଯୋଗ ହେଉଛି। ଶୌଚାଳୟ ଭିତର ପରିସର ଅସ୍ୱାସ୍ଥ୍ୟକର ପରିବେଶ ଲାଗି ରହିଥିବା ବେଳେ ଶୌଚାଳୟ ବ୍ୟବହାର କରିବା ପାଇଁ ଯାଉଥିବା ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କହିଲେ ନସରେ । ପାଣି ଅଭାବରୁ ଦୁର୍ବନ୍ଧ ଓ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ କାମ ସାରୁଥିବା ଜଣାପଡିଛି । ଏପରିକି ରାସ୍ତା ପ୍ବାର୍ଶରେ ରହିଥିବା ଲାଇନ୍ ପାଇପରୁ ବାଲଟି ଯୋଗେ ପାଣି ବୋହି କଷ୍ଟେମଷ୍ଟେ ସ୍ନାନ ଶୌଚ କରୁଥିବା ଦେଖିବାକୁ ମିଳିଛି ।
ପୂର୍ବରୁ ପରିଷଦର ଜଣେ କର୍ମଚାରୀ ସଂପୃକ୍ତ ଶୌଚାଳୟରେ ନିୟୋଜିତ ରହିଥିବା ବେଳେ ବର୍ତ୍ତମାନ ଶୌଚାଳୟରେ କୌଣସି କର୍ମଚାରୀଙ୍କ ଦେଖା ମିଳୁନାହିଁ । ବର୍ତ୍ତମାନ ନିଜ କାମ ନିଜେ କର ନ୍ୟାୟରେ ଜନତା ଶୌଚାଳୟକୁ ଆସୁଥିବା ଲୋକଙ୍କୁ ଏହା କରିବାକୁ ପଡୁଛି । ସରକାରଙ୍କ ଦ୍ବାରା ବ୍ୟବହାରକାରୀଙ୍କ ଲାଗି ନିଶୁଳ୍କ ସେବା ଘୋଷଣା ପରଠାରୁ ହିଞ୍ଜିଳିକାଟୁ ଜନତା ଶୌଚାଳୟରେ ଏଭଳି ବିଷମ ପରିସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଲୋକଙ୍କ ପାଇଁ ସରକାର ଅତ୍ୟାବଶ୍ୟକ ସେବା ବ୍ୟବସ୍ଥା କରୁଥିବା ବେଳେ ଅନ୍ୟପଟେ ଜନତା ଶୌଚାଳୟରେ ଏହା ଅଣଦେଖା ହୋଇଥିବା ଜଣାପଡିଛି । କାହା ସ୍ୱାର୍ଥରେ ଜନତା ଶୌଚାଳୟ ରହିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ (ସହରାଞ୍ଚଳ)ଏଥିପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି ।

No Result
View All Result