ସୁନ୍ଦର ଆଲୋକ ସାଜସଜ୍ଜା ଲୋକଙ୍କ ମନକୁ ବେଶ ଆକୃଷ୍ଟ କରିପାରିଥିଲା । ଶ୍ରୀ ଶ୍ରୀ ଲକ୍ଷେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚନ୍ଦନ ଚାପ ଏବଂ ଯାତ୍ରା ମହୋତ୍ସବର ଶନିବାର ଥିଲା ପଞ୍ଚମ ଅନ୍ତିମ ଦିବସ । ଶେଷ ଦିନ ଅପରାହ୍ନରେ ଚନ୍ଦନ ଚାପ ପାଇଁ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମାକୁ ସୁଶୋଭିତ ବିମାନରେ ବସାଇ ଚନ୍ଦନ ଚାପ ଘାଟକୁ ଅଣାଯାଇଥିଲା । ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମା ଚନ୍ଦନ ଚାପ ଖେଳିବାକୁ ଯିବାର କାର୍ଯ୍ୟକ୍ରମ ଥିବାରୁ ସେବାୟତ ମାନେ ଲକ୍ଷେଶ୍ୱରଙ୍କ ସାନ୍ଧ୍ୟ ନିତିକାନ୍ତି ଶେଷ କରିଥିଲେ ।
ନିତିକାନ୍ତି ଶେଷ ହେବା ପରେ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ର ଶେଖରଙ୍କୁ ମନ୍ଦିରରୁ ବାହାର କରାଯାଇ ପୂର୍ବରୁ ଚନ୍ଦନ ଚାପ ପାଇଁ ପ୍ରସ୍ତୁତ ହୋଇ ରହିଥିବା ବିମାନରେ ବସାଇ ଚାପ ଖେଳ ହେଉଥିବା କୁଆଖାଇ ନଦୀ ଘଟକୁ ଚଳନ୍ତି ପ୍ରତିମା ବିମାନକୁ ବେହେରା ମାନେ କାନ୍ଧେଇ ପୁରୁଣା କାଚରାମାଳ ନିକଟସ୍ଥ କୁଆଖାଇ ନଦୀର ଚନ୍ଦନ ଘାଟ ମଣ୍ଡପକୁ ଆଣିଥିଲେ । ଚନ୍ଦନ ଘାଟ ମଣ୍ଡପରେ ବିମାନକୁ ଅବସ୍ଥାନ କରାଯାଇଥିଲା ।
ପରେ ପରେ ବିମାନରୁ ଚଳନ୍ତି ପ୍ରତିମା ଚନ୍ଦ୍ର ଶେଖରଙ୍କୁ ବାହାର କରାଯାଇ , ଚାପ ଖେଳିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ନୌକାରେ ବସାଇ, କୁଆଖାଇ ନଦୀରେ ପ୍ରଥମେ ଦିନ ଚାପ ଏବଂ ପରେପରେ ରାତି ଚାପଖେଳ ଅନୁଷ୍ଠିତ ହୋଇଥିଲା । ଚାପ ଶେଷ ହେବା ପରେ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମାକୁ ସେବାୟତ ମାନେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା, ମେଣ୍ଢା କୁଡିଆରେ ରଖି ଚନ୍ଦନ ପାଣିରେ ସ୍ନାନ କରାଇଥିଲେ । ଏହି ଦୃଶ୍ୟ ଦେଖିବା ପାଇଁ ଚନ୍ଦନ ଘାଟରେ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ମାନେ ଦେଖିବାର ସୁଯୋଗ ପାଇଥିଲେ ।
ପରେ ପରେ ଚନ୍ଦନ ଘାଟ ମଣ୍ଡପରେ ଚଳନ୍ତି ପ୍ରତିମାକୁ ବିମାନରେ ବସାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇ ଭୋଗ ଲାଗି କରାଯାଇଥିଲା । ଭୋଗ ଖାଇସାରିବା ପରେ ଲକ୍ଷେଶ୍ୱରଙ୍କ ବିମାନକୁ ବେହେରା ମାନେ କାନ୍ଧେଇ ବାଜା ବାଣ ରେଷଣୀ କରି ଯାତ୍ରା ପଡିଆକୁ ଅଣାଯାଇଥିଲା । ଏହି ଶୋଭାଯାତ୍ରା ଆସିବା ସମୟରେ ଗ୍ରାମର କେତେକ ବ୍ୟକ୍ତି ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମାକୁ ଭୋଗ ଲାଗି କରିଥିଲେ । ଭୋଗ ଖାଇସାରି ଚନ୍ଦନ ଯାତ୍ରା ପଡ଼ିଆକୁ ଫେରି ଯାତ୍ରା ପଡ଼ିଆ ମଣ୍ଡପରେ ଅବସ୍ଥାନ କରିଥିଲେ । ଏହି ଅବସରରେ କିଛି ସମୟ ପାଇଁ ପାରମ୍ପରିକ ସଂକୀର୍ତ୍ତନ କାର୍ଯ୍ୟକ୍ରମ କରାଯାଇଥିଲା ।
ଶେଷ ଦିନ ଲକ୍ଷେଶ୍ୱରଙ୍କୁ ପୁରୁଣା କାଚରାମାଳ ଗ୍ରାମର ଅରକ୍ଷିତ ମହାନ୍ତିଙ୍କ ପରିବାର ପକ୍ଷରୁ ପଙ୍କନ୍ତି ଭୋଗ ଲାଗି କରାଯାଇଥିଲା । ଏହି ଅବସରରେ ପୁରୁଣା କାଚରାମାଳ ଚନ୍ଦନ ଯାତ୍ରା କମିଟି ତରଫରୁ କମିଶନରେଟ ପୋଲିସ ଯୋନ-୪ ଏସିପି ଚନ୍ଦନ ଘଡେଇ, କଟକ ସଦର ଥାନାର ଆଇଆଇସି ରଶ୍କୀରଞନ ମହାପାତ୍ର, , ପାହାଳ ଥାନାର ଆଇଆଇସି ସୁଚିତ୍ରା ପରିଡ଼ା ,ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।
ଶେଷ ଚନ୍ଦନ ଚାପ ଅବସରରେ ଲକ୍ଷାଧିକ ଟଙ୍କାର ଆତସବାଜି ପ୍ରଦର୍ଶନ କରାଯାଇଥିଲା । ଏହାକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ପରେ ପରେ ଦର୍ଶକଙ୍କ ମନୋରଞ ପାଇଁ ଅପେରା ପରିବେଷଣ କରାଯାଇଥିଲା ।ପିଞ୍ଚ ଚନ୍ଦନ ଯାତ୍ରା ପରିଚାଳନା କମିଟିର ସଭାପତି ଭକ୍ତବ ବନ୍ଧୁ ବରାଳ ,ସଂପାଦକ ତଥା ପୂର୍ବତନ କର୍ପୋରେଟର ସୁକାନ୍ତ ଭୋଇ ଏବଂ କମିଟିର ସମସ୍ତ ସଦସ୍ୟ ଚାପ ଓ ଯାତ୍ରା ପରିଚାଳନା କରିଥିଲେ । ଏଥିରେ ଗ୍ରାମର ସମସ୍ତ ବୟଜ୍ୟେଷ୍ଠ ବ୍ୟକ୍ତି , ଯୁବକ ମାନେ ସହଯୋଗ କରିଥିଲେ ।

© 2023 Odisha Taza News.