ବାଚସ୍ପତି ଭାବେ ମୁଁ ନିଷ୍ଠାର ସହିତ କାର୍ଯ୍ୟକରିବାକୁ ଚେଷ୍ଟା କରିଛି । ଆଗକୁ ମଧ୍ୟ ରାଜନୈତିକ ଜୀବନରେ ନିଷ୍ଠାର ସହ କାମ କରିବି ବୋଲି ଶ୍ରୀ ଆରୁଖ ସାମ୍ବାଦିକମାନଙ୍କୁ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବିକ୍ରମ କେଶରୀ କହିଛନ୍ତି ଯେ ଦଳ ମୋତେ ଯେଉଁ ଦାୟିତ୍ୱ ଦେଲେ ବି ମୁଁ ତାହାକୁ ଆନ୍ତରିକତାର ସହିତ ସମ୍ପନ୍ନ କରିବି । ଉଲ୍ଲେଖ ଥାଉ କି ଗତ ଜୁନ, ୨୦୨୨ ମସିହାରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଏକ ବଡ ପରିବର୍ତ୍ତନ ହୋଇଥିଲା । ସେତେବେଳେ ସବୁମନ୍ତ୍ରୀ ଇସ୍ତଫା ଦେଇଥିଲେ ଓ ବାଚସ୍ପତି ଥିବା ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଇସ୍ତଫା ଦେଇଥିଲେ ।
ଏଥିରେ ଅନେକ ନୂଆ ମୁହଁକୁ ସାମିଲ କରାଯାଇଥିବାବେଳେ ବିକ୍ରମ କେଶରୀଙ୍କୁ ବାଚସ୍ପତି କରାଯାଇଥିଲା । ତେବେ ଆସନ୍ତାକାଲି ଝାରସୁଗୁଡା ଉପନିର୍ବାଚନର ଫଳାଫଳ ଆସିବାକୁ ଥିବାବେଳେ ଅପରାହ୍ନ ୧ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରୁ ଫେରିବେ । ତେବେ ମୁଖ୍ୟମନ୍ତ୍ରୀ ଫେରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି । ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ୧୯୯୫ରୁ ନିର୍ବାଚିତ ହୋଇଆସୁଛନ୍ତି । ସେ ଏହା ପୂର୍ବରୁ ସଂସଦୀୟ ବ୍ୟାପାର ବିଭାଗର ମନ୍ତ୍ରୀ ଥିଲେ । ବିଜୁ ଜନତା ଦଳର ଦକ୍ଷିଣ ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ଶ୍ରୀ ଆରୁଖ ୨୦୦୯ ମସିହା ପରଠାରୁ ନବୀନ ମନ୍ତ୍ରିମଣ୍ଡଳରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହି ଆସିଛନ୍ତି ।

© 2023 Odisha Taza News.