୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନ ଏକ ଐତିହାସିକ ଘଟଣା ା ପରାଧୀନ ଭାରତରେ ନୟାଗଡ଼ ଜିଲ୍ଲାର ରଣପୁର ମାଟିରେ ଜନ୍ମ ହୋଇଥିଲେ ଦୁଇ ଉଜ୍ଜ୍ୱଳ ନକ୍ଷତ୍ର ଶହୀଦ ରଘୁ- ଦିବାକର । ଅତ୍ୟାଚାରୀ ରାଜତନ୍ତ୍ର ଏବଂ ବ୍ରିଟିଶ ଶାସନ କବଳରୁ ରଣପୁରବାସୀଙ୍କୁ ମୁକ୍ତ କରାଇବା ପାଇଁ ଶହୀଦ ରଘୁ-ଦିବାକରଙ୍କ ବଳିଦାନ ଓ ଆତ୍ମୋତ୍ସର୍ଗ ଯୁଗ ଯୁଗ ସ୍ମରଣୀୟ ହୋଇ ରହିବ ବୋଲି ଅତିଥି ବକ୍ତାମାନେ ଉଲ୍ଲେଖ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ, ରାଜ୍ୟସ୍ତରୀୟ ଶହୀଦ ରଘୁ-ଦିବାକର ସ୍ମ;ୃତି କମିଟି ଏବଂ ରଣପୁର ସାଂସ୍କୃତିକ ପରିଷଦ,
ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଅମର ଶହୀଦ ରଘୁ- ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଣ୍ଡପଡ଼ା ବିଧାୟକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ ବୀର ମାଟି ରଣପୁରରେ ଦେଶ ସ୍ୱାଧୀନତାର ପୂର୍ବବର୍ତ୍ତୀ ସମୟରେ ରାଜତନ୍ତ୍ରର ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଗଣତାନ୍ତ୍ରିକ ମୂଲ୍ୟବୋଧର ସଂଗ୍ରାମ ହୋଇଥିଲା । ଏହି ସଂଗ୍ରାମର ନେତୃତ୍ୱ ନେଇଥିଲେ ଶହୀଦ ରଘୁ-ଦିବାକର । ଜଣେ ଶିକ୍ଷକଙ୍କ ପୁତ୍ର ଥିଲେ, ଅନ୍ୟ ଜଣେ ଲେଖାଲେଖି କରୁଥିଲେ । ଉଭୟେ ଜ୍ଞାନ ଓ ସାହିତ୍ୟର ଅନୁରାଗୀ ଥିଲେ । ସେ ସମୟରେ ସାହିତି୍ୟକ ଓ କବିମାନଙ୍କର ବିପ୍ଳବୀ ସୃଜନ ସଂଗ୍ରାମୀ ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିଲା ।
ଆଜି ତାହା ଦେଖିବାକୁ ମିଳୁନି ବୋଲି ବିଧାୟକ ଶ୍ରୀ ପଟ୍ଟନାୟକ କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ରଣପୁର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଶହୀଦ ରଘୁ-ଦିବାକରଙ୍କ ସାହସ ତଥା ବି୍ରଟିଶ ଶାସନର ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସେମାନଙ୍କର ସଂଗ୍ରାମ ଭାରତର ଅନ୍ୟ ସ୍ୱାଧୀନଚେତା ସଂଗ୍ରାମୀଙ୍କୁ ପ୍ରେରଣା ଦେଇଥିଲା ବୋଲି ଉଲ୍ଲେଖ କରିଥିଲେ । ଦୁଇ ଅମର ଶହୀଦଙ୍କ ତ୍ୟାଗ ଓ ଦେଶପ୍ରେମର ତୁଳନା ନାହିଁ ବୋଲି ମତପ୍ରକାଶ କରି ଶ୍ରୀ ପ୍ରଧାନ ସେମାନଙ୍କୁ ସାମାଜିକ ପରିବର୍ତ୍ତନର ଅଗ୍ରଦୂତ ବୋଲି ଅଭିହିତ କରିଥିଲେ ।
ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ଏବଂ ଐତିହାସିକ ଶ୍ରୀ ସତ୍ୟବାଦୀ ବଳିୟାରସିଂହ କହିଲେ ଯେ ଅତ୍ୟାଚାରୀ ଶାସନରୁ ମୁକ୍ତ ହୋଇ ସ୍ୱାଧୀନତାର ଆଶାରେ ରଣପୁରବାସୀ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ଆନ୍ଦୋଳନର ପୁରୋଧା ଭାବେ ଗ୍ରହଣ କରିଥିଲେ । ଏହି ଦୁଇ ଉଦୀୟମାନ ତରୁଣଙ୍କୁ ତତ୍କାଳୀନ ରଣପୁର ଗଡ଼ଜାତର ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ପରିସ୍ଥିତି ଘୋର ବ୍ୟଥିତ କରିଥିଲା । ରଘୁ-ଦିବାକରଙ୍କ ବଳିଷ୍ଠ ନେତୃତ୍ୱ, ସତ୍ୟାଗ୍ରହୀମାନଙ୍କ ଧୈର୍ଯ୍ୟ ଓ ମନୋବଳକୁ ସୁଦୃଢ଼ କରିବା ଦିଗରେ ପ୍ରେରଣା ଯୋଗାଇଥିଲା ।
ଅସୀମ ତ୍ୟାଗ ଓ ଦେଶପ୍ରେମ ପାଇଁ ଶହୀଦ ରଘୁ- ଦିବାକର ଚିରସ୍ମରଣୀୟ ହୋଇ ରହିବେ । ସେମାନଙ୍କର ଏହି ଆତ୍ମୋତ୍ସର୍ଗ ଯୁଗେ ଯୁଗେ ସମସ୍ତଙ୍କୁ ଅପୁପ୍ରାଣିତ କରୁଥିବ ବୋଲି ସେ ପ୍ରକାଶ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ବୈଷୟିକ ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ବି୍ରଟିଶ ସରକାରଙ୍କ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ରଣପୁରର ପ୍ରଜାମଣ୍ଡଳ ଆନ୍ଦୋଳନ ଏକ ଐତିହାସିକ ଘଟଣା ଏବଂ ରଘୁ-ଦିବାକରଙ୍କ ବଳିଷ୍ଠ ନେତୃତ୍ୱ ଓ ବଳିଦାନ ସତ୍ୟାଗ୍ରହୀମାନଙ୍କ ଧୈର୍ଯ୍ୟ ଓ ମନୋବଳକୁ ସୁଦୃଢ଼ କରିବା ଦିଗରେ ପ୍ରେରଣା ଯୋଗାଇଥିଲା ।
ପ୍ରାରମ୍ଭରେ ଅତିଥିମାନେ ଅମର ଶହୀଦ ରଘୁ- ଦିବାକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶହୀଦ ରଘୁ-ଦିବାକର ସ୍ମ;ୃତି କମିଟିର ସାଧାରଣ ସଂପାଦକ ଶ୍ରୀ ଗୌରାଙ୍ଗ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ା କାର୍ଯ୍ୟକ୍ରମ ଶେଷରେ ‘ସ୍ୱର ସୁଧାି’ ଅନୁଷ୍ଠାନ ଦ୍ୱାରା ଅମର ଶହୀଦ ରଘୁ-ଦିବାକର’ ନାଟକ ପରିବେଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

© 2023 Odisha Taza News.