ଆଜିଠାରୁ ଏପ୍ରିଲ ୨୫ ଯାଏଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ଓ ଦକ୍ଷତା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ହେବ । ଏପ୍ରିଲ ୨୬ରେ ‘ଭବିଷ୍ୟତର କାର୍ଯ୍ୟ’ ଉପରେ ସେମିନାର ଏବଂ ପ୍ରଦର୍ଶନୀ,୨୭ରୁ ୨୯ ପର୍ଯ୍ୟନ୍ତ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକ,୨୮ରେ ପ୍ରତିନିଧି ମଣ୍ଡଳୀଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଜି-୨୦ ଦେଶ ସମୂହର ପ୍ରତିନିଧିଙ୍କ ସହ ଯୋଗଦେବେ ଅନେକ ଶିଳ୍ପ ସଂସ୍ଥା ଏବଂ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରର ୭୫ଟି ଅନୁଷ୍ଠାନ ।
ଏଥିରେ ଜି-୨୦ ସମୂହ ଦେଶର ପ୍ରତିନିଧିମଣ୍ଡଳୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଳ୍ପନା ଏବଂ ମାର୍ଗଦର୍ଶନରେ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ।ନିର୍ଦ୍ଧାରିତ ହୋଇଥିବା ବିଷୟବସ୍ତୁ ଉପରେ ଚର୍ଚ୍ଚା ସହ ଦେଶର ଯୁବବର୍ଗଙ୍କ ନିକଟରେ ଏ ସବୁକୁ ପହଞ୍ଚାଇବା ପାଇଁ ପ୍ରୟାସ କରାଯିବ । ଓଡ଼ିଶାରେ କଥାବସ୍ତୁ ‘ଭବିଷ୍ୟତର କାର୍ଯ୍ୟ’ ରହିଥିବା ବେଳେ ଜିଲ୍ଲା ଗୁଡ଼ିକରେ ଉଭା ହେଉଥିବା କୌଶଳ ଆବଶ୍ୟକତା ଓ ନିରନ୍ତର ଦକ୍ଷତା ବିକାଶ,ରି ସ୍କିଲିଂ ଏବଂ ଅପ ସ୍କିଲିଂର ଆବଶ୍ୟକତା ଉପରେ ବ୍ୟାପକ ବିଚାର ବିମର୍ଷ କରି ସବୁଠି ପହଞ୍ଚାଇବା ପାଇଁ ଯୋଜନା କରିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ପଷ୍ଟ କଳ୍ପନା ରହିଛି ।
ଏହାବ୍ୟତିତ ଏପ୍ରିଲ ୨୩ରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ଜି-୨୦କୁ ନେଇ ପୃଥକ ପ୍ରଦର୍ଶନୀ ଅନୁଷ୍ଠିତ ହେବ।ଜି-୨୦ ଦେଶ ସମୂହ, ଶିଳ୍ପ,ସରକାରୀ ସଂସ୍ଥା, ଆଇଟି କମ୍ପାନୀ ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଭଳି ୭୫ଟି ଅନୁଷ୍ଠାନ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ,ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ସମୂହଙ୍କୁ ଯୋଡିବା ମୁଖ୍ୟ ଉଦ୍ଦେଶ୍ୟ ରହିବ ଓ ଷ୍ଟାଟ ଅପ୍ ତଥା ଯୁବ ଉଦ୍ୟୋଗୀଙ୍କୁ ବିଶେଷ ଭାବରେ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବ ଉଦ୍ୟୋଗୀ ଓ ଷ୍ଟାର୍ଟଅପକୁ ଭବିଷ୍ୟତର କୃଷି ଉପରେ ନିଜର ଅଭିଜ୍ଞତା ପ୍ରକାଶ କରିବେ ।
ମାସ ବ୍ୟାପୀ ରାଜ୍ୟର ସମସ୍ତ ଜିଲ୍ଲାରେ ଓଡ଼ିଶାର ୩୫ରୁ ଉର୍ଦ୍ଧ୍ୱ ଅନୁଷ୍ଠାନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର ଆୟୋଜନ କରାଯିବ । ଏହାସହ ପ୍ରଶ୍ନୋତ୍ତର ପ୍ରତିଯୋଗିତା,ରଚନା, ବକ୍ତୃତା,ମକ୍ ଜି-୨୦ ଏବଂ ଯୁବ ସମ୍ବାଦ ଭଳି ଭାରତର ଜି -୨୦ ଅଧ୍ୟକ୍ଷତା ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜନ କରାଯିବ । ଏହି ସମସ୍ତ କାର୍ଯ୍ୟକ୍ରମର ଗୁରୁ ଦାୟିତ୍ୱ ଯୁବ ଏବଂ ମହିଳାଙ୍କୁ ଦିଆଯିବ । ଜି ୨୦ର ବିଭିନ୍ନ ବୈଠକ ଓ କାର୍ଯ୍ୟକ୍ରମରେ ଓଡ଼ିଶାର ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ପ୍ରଦର୍ଶିତ କରିବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଆଇ ଆଇ ଟି ନିର୍ଦ୍ଦେଶକ ଶ୍ରୀପଦ କରମଲକର ଙ୍କ ସୂତ୍ରରୁ ପ୍ରକାଶ ।

© 2023 Odisha Taza News.