ମହୁଲପାଳରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଜଗାବଳିଆ ଏସଏଚଜି ଗ୍ରୁପ : ମାନଙ୍କ ପାଇଁ ଆଦର୍ଶ ୫ ଜଣ ଚାଷୀ ଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଋଣ ବଣ୍ଟନ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା – ମହୁଲପାଳ ସେବା ସମବାୟ ସମିତି ପରିସରରେ ସମିତି ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଆୟୋଜିତ ହୋଇଯାଇଛି । ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ର ୧୨ ନମ୍ବର ଜୋନ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ , ଚାଷ ଓ ଚାଷୀ ଭାଇ ମାନଙ୍କ ଉନ୍ନତି ସକାଶେ ରାଜ୍ୟ ସରକାର ବିନା ସୁଧରେ ୧ ଲକ୍ଷ ଟଙ୍କା ଓ ଏସଏଚଜି ଗ୍ରୁପ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା କରିଛନ୍ତି । ଆପଣମାନେ ଏହାର ସୁଯୋଗ ନେବାକୁ ଆହ୍ୱାନ କରିଥିଲେ । ସମିତି ର ଗୋଦାମ ଗୃହ ପାଇଁ ୨୫ ଲକ୍ଷ ଟଙ୍କା ମଂଜୁର କରିଥିବା ସଂପର୍କରେ ଶ୍ରୀଯୁକ୍ତ ବେହେରା ସୂଚନା ଦେବାସହ ସେ ନିଜେ ମାର୍କଫେଡ ନିର୍ଦ୍ଦେଶକ ଥିବାରୁ ଠିକ ସମୟରେ ସାର , ବିହନ ,ଔଷଧ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ମୃଦଙ୍ଗା-ମହୁଲପାଳ ସେବା ସମବାୟ ସମିତି ସଭାପତି ମାନସ କୁମାର ଦାସ ଙ୍କ ସଭାପତିତ୍ୱ ଏବଂ ଦିଲ୍ଲୀପ ରାଉତ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ , ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ , କାମାକ୍ଷାନଗର ଏଆରସିଏସ ଅନିଲ କୁମାର ରଥ , ଭୂଷଳ ସେବା ସବାୟ ସମିତି ସଭାପତି ସହଦେବ ପରିଡା , ବ୍ୟାଙ୍କ ସୁପରଭାଇଜର କ୍ଷୀରୋଦ ଚନ୍ଦ୍ର ପାତ୍ର ଏବଂ ମୁଖ୍ୟବକ୍ତା ଭାବେ ଏୟୁସିସି ବ୍ୟାଙ୍କ , ଭୁବନ ଶାଖା ପରିଚାଳକ ଗଣେଶ୍ୱର ଖଟୁଆ ଯୋଗଦେଇ ରାଜ୍ୟ ସରକାରଙ୍କ କୃଷିଭିତିକ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଉକ୍ତ କର୍ମଶାଳାରେ ସମସ୍ତ ଋଣ ପରିଶୋଧ କରିଥିବାରୁ ଜଗାବଳିଆ ସ୍ୱୟଂ ସହାୟକ ଗୋଷ୍ଠି କୁ ସମ୍ବର୍ଦ୍ଧିତ କରାଯିବା ସହିତ ଏହି ଗ୍ରୁପ ସାରା ଜିଲ୍ଲାରେ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସମିତି ସଭାପତି ଙ୍କ ସମେତ ସମସ୍ତ ଡାଇରେକ୍ଟର ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ଥିଲେ ।