ଓଡ଼ିଶା ପର୍ବର ଦ୍ୱିତୀୟ ଦିନରେ ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟରେ ଝୁମିଲେ ଦର୍ଶକ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଦିଲ୍ଲୀ :- ଓଡ଼ିଶା ପର୍ବର ଦ୍ୱିତୀୟ ଦିନ ସନ୍ଧ୍ୟାରେ ମଧ୍ୟ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ନୃତ୍ୟ ଓ ସଙ୍ଗୀତର ପ୍ରଦର୍ଶନ ଜାରି ରହିଛି ଦିଲ୍ଲୀ ଦରବାରରେ । ଲୋକପ୍ରିୟ ଗାୟକ ମଌକ୍ଷଗ୍ଧ;ୁ ଛୁରିଆଙ୍କ ସମ୍ବଲପୁରୀ ଗୀତ ଏବଂ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀଙ୍କ ସମ୍ବଲପୁରୀ ଠୁମ୍‌କାରେ ଝୁମି ଉଠିଛନ୍ତି ଦିଲ୍ଲୀବାସୀ । ପାରମ୍ପରିକ ଲୋକବାଦ୍ୟ ଉତ୍ସବର ସନ୍ଧ୍ୟାକୁ କରିଥିଲା ଅଧିକ ଆକର୍ଷଣୀୟ । ସାଂସ୍କୃତିକ ମଞ୍ଚ ହେଉ କି ହସ୍ତତନ୍ତ ଷ୍ଟଲ ଅଥବା ଫୁଡ ଷ୍ଟଲ ସବୁଠି ଦେଖିବାକୁ ମିଳିଥିଲା ଲୋକଙ୍କ ଭିଡ଼ । ମାନ୍ୟବର କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀଯୁକ୍ତ ଅନୁରାଗ ଠାକୁର ମୁଖ୍ୟଅତିଥି ସମ୍ମାନତି ଅତିଥି ପଦ୍ମବିଭୂଷଣ ଶ୍ରୀମତି ସୋନାଲ ମାନସିଂ, ସାଂସଦ, ରାଜ୍ୟସଭା ଏବଂ ଓଡ଼ିଆ ସମାଜ ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ, ଶ୍ରୀଯୁକ୍ତ ସନ୍ଦୀପ ମହାପାତ୍ର, ଟ୍ରଷ୍ଟି, ଓଡ଼ିଆ ସମାଜ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ । ଜୟ ଜଗନ୍ନାଥରୁ ନିଜର ବକ୍ତବ୍ୟ ଆରମ୍ଭ କରି ଓଡ଼ିଶାର ସ୍ୟାଣ୍ଡଷ୍ଟୋନର କାରୁକାର୍ଯ୍ୟର ପ୍ରଂଶସା କରିଥିଲେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀଯୁକ୍ତ ଅନୁରାଗ ଠାକୁର । କରୋନା ମହାମାରୀ ପରେ ରାଜଧାନୀ ଦିଲ୍ଲୀରେ ଏହିପରି ଭବ୍ୟ ଆୟୋଜନ କରିପାରି ଥିବାରୁ ଡ଼ିଆ ସମାଜକୁ ଧନ୍ୟବାଦ ଜଣାଇଥିଲେ । କୌଣସି ରାଜ୍ୟର କଳା, ସଂସ୍କୃତିକୁ ଆଗକୁ ଆଣି ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ହେଲେ ଏହିଭଳି ଉତ୍ସବ ଓ ସମାରୋହର ଆବଶ୍ୟକତା ରହିଥିବା ବେଳେ ଓଡ଼ିଆ ସମାଜର ଏହିଭଳି ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ସାଂସଦ ପଦ୍ମବିଭୂଷଣ ଶ୍ରୀମତି ସୋନାଲ ମାନସିଂ କହିଥିଲେ ଯେ, ଓଡ଼ିଶା ହେଉଛି କଳା, ସଂସ୍କୃତି, ସାହିତ୍ୟ ଓ ଶିଳ୍ପର ଜନନୀ ଓ ଏହିଭଳି ଏକ ରାଜ୍ୟରେ ଜନ୍ମ ହୋଇଥିବାରୁ ସେ ଶତ ଶତ ପ୍ରଣାମ ଜଣାଇଛନ୍ତି । ତେବେ ଓଡ଼ିଆ ସମାଜକୁ ଅନୁରୋଧ କରି ସେ କହିଥିଲେ ଯେ, ଓଡ଼ିଶାର ପ୍ରତିଷ୍ଠା, ସୁନ୍ଦରତା, ମହାନତା, ଭୋଜନକୁ ଅନ୍ୟ ରାଜ୍ୟରେ ପରିଚିତ କରାଇବା ପାଇଁ ଏହି ଓଡ଼ିଶା ପର୍ବକୁ କେବଳ ଦିଲ୍ଲୀରେ ନୁହେଁ, ମୁମ୍ବାଇ ଓ ଚେନ୍ନାଇ ପରି ସହରରେ ମଧ୍ୟ ଆୟୋଜନ କରିବା ଉଚିତ । ଉତ୍ସବ ଶେଷରେ ଓଡ଼ିଆ ସମାଜ, ନୂଆଦିଲ୍ଲୀ ଟ୍ରଷ୍ଟି ଶ୍ରୀ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ‘ଅନନ୍ୟ ଓଡ଼ିଶା’ ଥିମ୍ ଉପରେ ଆଧାରିତ ଚଳିତ ବର୍ଷର ଓଡ଼ିଶା ପର୍ବର ଦ୍ୱିତୀୟ ଦିନରେ ‘ଓଡ଼ିଆ ସ୍ୱାଭିମାନ’ ଥିଲା କନ୍‌କ୍ଲେଭ ଆଲୋଚନାର ବିଷୟବସ୍ତୁ । ଆଲୋଚନାରେ ପୂର୍ବତନ ଭାରତୀୟ କ୍ରିକେଟର ଶ୍ରୀ ସତ୍ୟରଞ୍ଜନ ଶତପଥୀ, ସାମ୍ବାଦିକ ଶାନ୍ତାକାର ଚେଲାପିଲା, ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଗବେଷକ ସୂର୍ଯ୍ୟ ଦେଓ, ସୌମ୍ୟ ରଞ୍ଜନ ବିଶ୍ୱାଳ, ଅୟସକାନ୍ତ ମହାନ୍ତି, ସିଦ୍ଧାର୍ଥ ମିଶ୍ର, ଶ୍ରୀ ସ୍ୱସ୍ତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାର ବଳିଷ୍ଠ ସ୍ୱାଭିମାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂଙ୍କ ଝିଅ ଇତିଶ୍ରୀ ମୁର୍ମୂ ଓଡ଼ିଶା ପର୍ବ ୨୦୨୩ ବୁଲି ଦେଖିଛନ୍ତି । ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ଷ୍ଟଲ ବୁଲି ଦେଖିବା ସହ ସିଲ୍‌ଭର ଫିଲିଗ୍ରି ଏବଂ ହ୍ୟାଣ୍ଡଲୁମ ଶାଢି କିଣିଥିଲେ । ଏଥିସହ ଲାଗିଥିବା ଫୁଡଷ୍ଟଲରେ ଓଡ଼ିଶାର ବିଭିନ୍ନ ପାରମ୍ପରିକ ଖାଦ୍ୟ ଓ ଗୁପଚୁପର ମଜା ନେଇଛନ୍ତି । ଦ୍ୱିତୀୟ ଦିନ ମଞ୍ଚରେ ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର ଏବଂ ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା ପରିବେଷିତ ଯାଦୁକାରୀ ‘ଚିତ୍ର-ଭିତ୍‌ନାମ’ରେ ଦର୍ଶକ ହୋଇଥିଲେ ବିମୁଗ୍ଧ । ପରେ ପରେ ଓଡ଼ିଶାର ପ୍ରଥମ ଲୋକ ସଙ୍ଗୀତ ବ୍ୟାଣ୍ଡ “ଆଦିବାଦ୍ୟ” ଦ୍ୱାରା ଗୌରବମୟ ଆଦିବାସୀ ନୃତ୍ୟ ଓ ଲୋକବାଦ୍ୟ “ସ୍ୱର ମୂର୍ଚ୍ଛନା” ମଞ୍ଚକୁ କରିଥିଲା ମହିମା ମଣ୍ଡିତ । ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଗୁରୁ ଶ୍ରୀ ଶାଶ୍ୱତ ଯୋଶୀ ଏବଂ ତାଙ୍କ ଶିଷ୍ୟମାନେ ପ୍ରକୃତ ଲୋକଧ୍ୱନି ଓ ପ୍ରକୃତ ଓଡ଼ିଶା ଆଧାରିତ ‘ତିକିତା କିତା’ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା । ଶେଷରେ ଲୋକପ୍ରିୟ ଯୁବ ସମ୍ବଲପୁରୀ ଗାୟକ ମ’ଛୁରିଆଙ୍କ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ଅତୁଲ୍ୟ ପରମ୍ପରା’ ଦର୍ଶକଙ୍କୁ ଝୁମେଇ ଦେଇଥିଲା । ଏତଦ୍‌ବ୍ୟତୀତ ଓଡ଼ିଶା ପର୍ବକୁ ବୁଲିବାକୁ ଆସିଥିବା ପ୍ରତିଟି ଆଗନ୍ତୁକଙ୍କ ମନ ଛୁଇଁଛି ମଞ୍ଚ ତଳେ ଦିନ ତମାମ ଜାରି ରହିଥିବା ଓଡ଼ିଶାର ଲୋକନୃତ୍ୟ । ଯେଉଁଥିରେ ରଙ୍ଗୀନ ପୋଷାକ ପରିହିତ, ବିଭିନ୍ନ ପଶୁନୃତ୍ୟ ମୁଖାଧାରୀ ଏବଂ ଆଦିମ ଜନଜାତିଙ୍କ ଲୁପ୍ତପ୍ରାୟ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା ା ଗଞ୍ଜାମ ଜିଲାର ଶଙ୍ଖଧ୍ୱନି ଓ ରଣପା, ଆଦିବାସୀ ବହୁଳ ମାଲକାନଗିରିର ପ୍ରାଚୀନ ବଣ୍ଡା ଓ ସୁନ୍ଦରଗଡ଼ର ଓରାମ ନୃତ୍ୟ, ଗଞ୍ଜାମ ଜିଲାର ପଶୁମୁଖା ନୃତ୍ୟ ଓ ଦଣ୍ଡ ନାଚ, ପୁରୀର ସାହିଯାତ ଓ ଘୋଡ଼ାନାଚ, ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ, ଖୋର୍ଦ୍ଧା ଜିଲାର ମାର୍ଶଲ ଆର୍ଟ ଓ ପାଇକ ନାଚ ଆଦି ପରିବେଷିତ ହେଉଛି ।