ସ୍ବର୍ଗତଃ ପ୍ରଫେସର ଶରତ କୁମାର ନାୟକଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ )  କଟକ/ଭୁବନେଶ୍ୱର :- ରେଭେନ୍ସା ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ଓ ପ୍ରାଧ୍ୟାପକ ସ୍ବର୍ଗତଃ ଶରତ କୁମାର ନାୟକଙ୍କୁ ନିକଟରେ ଭବ୍ୟ ଓ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। କଟକ କ୍ଲବ ଠାରେ ଆୟୋଜିତ ଏକ ସ୍ମୃତି ସଭାରେ ଯୋଗ ଦେଇ ପ୍ରଫେସର ନାୟକଙ୍କର ଶତାଧିକ ଛାତ୍ରଛାତ୍ରୀ, ସହକର୍ମୀ, ପରିବାରବର୍ଗ, ସମ୍ପର୍କୀୟ ଏବଂ ଶୁଭଚିନ୍ତକ ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସାଙ୍ଗକୁ ତାଙ୍କ ସହ ବିତାଇ ଥିବା ସୁଖଦ ଅନୁଭୂତି ଗୁଡ଼ିକୁ ବର୍ଣ୍ଣନା କରିଥିଲେ। ଓଡ଼ିଶାରେ ଶିକ୍ଷାର ବିକାଶ କ୍ଷେତ୍ରରେ ପ୍ରଫେସର ନାୟକଙ୍କର ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ସେମାନେ ଆଲୋକପାତ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଫେସର ନାୟକଙ୍କର ୭୩ ବର୍ଷ ବୟସରେ ଦୋଳ ପୂର୍ଣ୍ଣିମାର ପବିତ୍ର ତିଥିରେ ଗତ ମାର୍ଚ୍ଚ ୮ ତାରିଖରେ ପରଲୋକ ଘଟିଥିଲା। ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବହୁ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ସକ୍ରୀୟଭାବେ ସମ୍ପୃକ୍ତ ଥିଲେ। ସେ ରେଭେନ୍ସା-୭୦ ପୁରାତନ ଛାତ୍ର ସଂଘର ସମ୍ପାଦକ ଥିଲେ।ଜଣେ ଉଚ୍ଚକୋଟୀର ଅର୍ଥନୀତିଜ୍ଞ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଫେସର ନାୟକଙ୍କର କେନ୍ଦ୍ର ଓ ରାଜ୍ୟ ବଜେଟ ଉପରେ ସ୍ଵତନ୍ତ୍ର ବିଶ୍ଳେଷଣ ସମ୍ବାଦପତ୍ର ମାନଙ୍କର ଶିରୋନାମା ମଣ୍ଡନ କରୁଥିଲା। ପ୍ରାର୍ଥନା ସମାବେଶରେ ଉପସ୍ଥିତ ରହି ପ୍ରଫେସର ନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ରାଜ୍ୟର ଖାଦ୍ୟ, ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଚାରପତି ବିମଳ ପ୍ରସାଦ ଦାସ, ସମ୍ବାଦ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ପ୍ରାକ୍ତନ କୁଳପତି ହରେକଷ୍ଣ ଶତପଥୀ, ପ୍ରତିଷ୍ଠିତ ସାହିତ୍ୟିକ ଡଃ ଗୋବିନ୍ଦ ଭୂୟାଁ, ଡଃ ନବଘନ ପରିଡ଼ା, ନଟବର ଖୁଣ୍ଟିଆ, ଡଃ ନଟବର ଶତପଥୀ, ସୁଶୃତ ଚିକିତ୍ସାଳୟର ସିଇଓ ଚିଦତ୍ମିକା ଖଟୁଆ, ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା, ଡଃ ଧୀରେନ୍ଦ୍ର କୁମାର ଦାସ, ଯାହାବାନନ୍ଦ ମହାରଣା, ସୁଶାନ୍ତ କୁମାର ଦାସ, ନିଶିକାନ୍ତ ମିଶ୍ର, ବରିଷ୍ଠ ପ୍ରଶାସକ କୁଳମଣି ରାଉତ, ସୁବାସ ଚନ୍ଦ୍ର ସ୍ବାଇଁ, ଡଃ ମଳୟ କୁମାର ମହାନ୍ତି ଓ ଡଃ ଜୟନ୍ତ କୁମାର ପଣ୍ଡା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଏହି ଅବସରରେ ଅତିଥିଗଣ ପ୍ରଫେସର ନାୟକଙ୍କର ସ୍ମୃତିଚାରଣ ଉଦ୍ଦେଶ୍ୟରେ ପ୍ରକାଶିତ ‘ସ୍ମୃତିରେ ଶରତ’ ଶୀର୍ଷକ ସ୍ମରଣିକାକୁ ଉନ୍ମୋଚନ କରିଥିଲେ। ପ୍ରସିଦ୍ଧ ଗାୟିକା ଅନିନ୍ଦୀତା ଦାସ ସୁମଧୁର ଭଜନ ପରିବେଷଣ କରି ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଶୋକସଭାକୁ ପ୍ରଫେସର ଡ଼ଃ ସଞ୍ଜୟ କୁମାର ସାମନ୍ତରାୟ ସୁଚାରୁ ରୁପେ ସଞ୍ଚାଳନା କରିଥିଲେ।ପ୍ରଫେସର ନାୟକଙ୍କର ବିୟୋଗରେ ଶୋକ ପ୍ରକାଶ କରିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀ, ୟୁକେ ଓଡ଼ିଶା ସମାଜର ସାଧାରଣ ସମ୍ପାଦକ ଶିବ ରଂଜନ ବିଶ୍ଵାଳ, ମହାକାଂକ୍ଷା ପ୍ରତିଷ୍ଠାନର ପ୍ରତିଷ୍ଠାତ୍ରୀ ପୁଷ୍ପାଞ୍ଜଳି ବାରିକ ଓ ବିଜୟନୀ ପ୍ରତିଷ୍ଠାନର ସଭାପତି ରୀତା ପାତ୍ର ପ୍ରମୁଖ ସାମିଲ ଥିଲେ। ସ୍ୱର୍ଗଦ୍ୱାରଠାରେ ଶବଦାହ, ବିଭିନ୍ନ କର୍ମକାଣ୍ଡ ଏବଂ ସ୍ମୃତିସଭା ସମେତ ସମଗ୍ର ଆୟୋଜନକୁ ସଫଳତାର ସହିତ ସମ୍ପାଦନା କରିବାରେ ପରିବାର ସଦସ୍ୟ ଓ ଆତ୍ମୀୟସୁଜନଙ୍କ ମଧ୍ୟରେ ପ୍ରଫେସର ନାୟକଙ୍କର ଧର୍ମପତ୍ନୀ ଭାରତୀ ନାୟକ, ଦୁଇ ଝିଅ ବନୋଜିନୀ ନାୟକ ଓ ତପସ୍ୱିନୀ ନାୟକ, ବଡ଼ ଜ୍ୱାଇଁ ଚିରଞ୍ଜିବୀ ସ୍ବାଇଁ, ସାନ ଜ୍ୱାଇଁ ଅଂଶୁମାନ ଖୁଣ୍ଟିଆ, ଦୁଇ ଭାଇ ପ୍ରଭାକର ନାୟକ ଏବଂ ଅନ୍ତର୍ଯ୍ୟାମୀ ନାୟକ, ପୁତୁରା ଡଃ ଅମରେନ୍ଦ୍ର ନାୟକ, ଡଃ ବିକାଶ ଚନ୍ଦ୍ର ନାୟକ, ସଲିଳ ଭଦ୍ର, ସାଗର ଭଦ୍ର ତଥା ନାତୁଣୀ ଆୟୀଶା ସ୍ବାଇଁ ପ୍ରମୁଖଙ୍କର ଭୂମିକା ବିଶେଷ ଉଲ୍ଲେଖଯୋଗ୍ୟ ଥିଲା।