ଫ୍ଲୋରାଇଡ଼ ନିୟନ୍ତ୍ରଣ ଓ ପ୍ରତିରୋଧ ଜିଲ୍ଲା ସ୍ତରୀୟ ସଚେତନତା ସଭା

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ଫ୍ଲୋରାଇଡ଼ ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ଜିଲ୍ଲା ମୁଖ୍ୟ ଚିକିସ୍ଥାଳୟ ସଭାଗୃହରେ ଜିଲ୍ଲା ସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ମକରନ୍ଦ ବେଉରାଙ୍କ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିୟମିତ ପାଣିର ପରୀକ୍ଷା, ତତ ଜନିତ ସୃଷ୍ଠି ହେଉଥିବା ରୋଗ, ତାହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବୁଝାଇ ଥିଲେ । ଫ୍ଲୋରୋସିସ୍ ସୃଷ୍ଟି କରୁଥିବା ସମସ୍ୟାର ସମାଧାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ବିଶେଷ କରି ସ୍ଥାୟୀ ପରିବର୍ତ୍ତନ ଘଟିବା ପରେ ଫ୍ଲୋରୋସିସ୍ ଚିକିତ୍ସା କରିବା କଷ୍ଟସାଧ୍ୟ ଅଟେ । ଫ୍ଲୋରୋସିସ୍ ରୋଗର ନିରାକରଣ ଏବଂ ପରିଚାଳନା ଦକ୍ଷତା ବୃଦ୍ଧି ଏହି ସଭାର ଉଦେଶ୍ୟ ବୋଲି ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୁତିଲତା ବିଶ୍ୱାଳ କହିଥିଲେ । ପ୍ରକାଶ ଥାଉ କି ପାନୀୟ ଜଳ ଏବଂ ପରିମଳ ମନ୍ତ୍ରଣାଳୟର ଫ୍ଲୋରୋସିସ୍ ର ବେସଲାଇନ ସର୍ଭେ ତଥ୍ୟ ସଂଗ୍ରହ, ମୂଲ୍ୟାଙ୍କନ ଅନୁସାରେ ନୟାଗଡ ଜିଲ୍ଲାର ଅଳ୍ପ କିଛି ଅଞ୍ଚଳର ପାଣିରେ ଫ୍ଲୋରାଇଡ଼ର ମାତ୍ରା ଅଧିକ ଥିବାରୁ ଏହି କାର୍ଯ୍ୟକ୍ରମଟି ଗୁରୁତ୍ଵ ବହନ କରେ । ମନୋନୀତ ଅଞ୍ଚଳରେ ଫ୍ଲୋରୋସିସ୍ ର ବ୍ୟାପକ ପରିଚାଳନା ସୁବିଧାଗୁଡ଼ିକର ବିଶ୍ଳେଷଣ ଏବଂ ଉକ୍ତ ଗ୍ୟାପ୍ ଗୁଡିକ ଦୂର କରି ସଠିକ ପଦକ୍ଷେପ ନେବା ସମ୍ପର୍କରେ ଆଲୋଚନା ହୋଇଥିଲା । ତେଣୁ ଗୋଷ୍ଠୀ ସ୍ତରରେ ଏହି ବିଷୟକୁ ନେଇ ସଚେତନ କରାଯିବା ଉପରେ ଗୁରୁତ୍ଵ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଉପସ୍ଥିତ ଥିଲେ ।