୦୮ ମାର୍ଚ୍ଚ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ )ଭୁବନେଶ୍ୱର :- ଆପଣ ମୋର ବନ୍ଧୁ । ବନ୍ଧୁଙ୍କୁ ନିଜ ଅନୁଭବ ବା ବୋଧରେ ଅଂଶୀଦାର କରିବାକୁ ଶ୍ରଦ୍ଧା ଆସିଲା । ତେଣୁ ଜଣାଇଲି । ଏହି ପତ୍ରଟିକୁ ସାଦରେ ସ୍ବୀକାର ପାଇଁ ଅନୁରୋଧ ରଖିଲି । କିଛି ବର୍ଷ ତଳର କଥା । ହୋଲି ଦିନ କିଛି ବନ୍ଧୁ ଆମ ଭୁବନେଶ୍ବରର ଧ୍ୟାନକେନ୍ଦ୍ର ଆସନ୍ତି । ଖୁସିରେ କିଛି ଅବିର ରଙ୍ଗ ଲଗାଇ ଥାନ୍ତି । ସେମାନଙ୍କ ପାଇଁ ଅଙ୍ଗୁର ଓ ବେଲ ପଣାର ବ୍ୟବସ୍ଥା କରାଯାଇଥାଏ । ସେମାନଙ୍କୁ ଆପ୍ୟାୟିତ କରାଯାଏ । ରାତିକୁ ଆଧ୍ୟାତ୍ମିକ ଆଲଚନା ଚକ୍ର,ସତସଙ୍ଗ ଆଦି ହୁଏ । ପ୍ରାୟ ପ୍ରତ୍ୟେକ ବର୍ଷ ଏପରି କରାଯାଏ । ସେ ବର୍ଷ ଜଣେ ବନ୍ଧୁ ଦିନରେ ନ ଆସି ରାତିକୁ ଆସିଲେ । ଆମେ ପଚାରିଲୁ ଭାଇ ଆଜି ଆପଣ କାହିଁକି ଦିନ ବେଳା ଆସି ନଥିଲେ ?
ବନ୍ଧୁ ଜଣଙ୍କ ଯାହା ଉତ୍ତର ଦେଲେ ସେଥିରେ ଆମେ ସମସ୍ତେ ଚକିତ ହୋଇଗଲୁ । ସେ କହିଲେ ମୋ ଝିଅ ମୋତେ ଯାହା ଦେଖାଇ ଦେଲା ସେଥିରୁ ହୋଲି ଖେଳ ମୋ ଜୀବନରୁ ବିଦା ହୋଇଗଲା । ଆମେ ପଚାରିଲୁ କଥା କଣ ଥିଲା ? ସେ କହିଲେ ମୋତେ ମୋ ଝିଅ କହିଲା ” ବାପା,ଏ ରଙ୍ଗଖେଳ ଆମକୁ କିଛି କ୍ଷଣି ପାଇଁ ସୁଖ ଦିଏ । ବଦଳରେ ଆମର କଣ ହାନି କରାଏ ? ଗୋଟେ ବାଲ୍ଟି ପାଣି ବଦଳରେ ଆମେ ଦଶ ବାଲ୍ଟି ପାଣି ବ୍ୟବହାର କରୁ । ବାପା ମୁଁ ଯଦି ଏପରି କରିବି ତେବେ ମୋ କ୍ଲାସରେ ରଚନାରେ ଭୂତଳ ଜଳର ସଂରକ୍ଷଣ ବିଷୟରେ ମୁଁ କଣ ଲେଖିବି ?
ପିଲାଟି କହିଲା ବାପା ଆଜିକାଲି ରଙ୍ଗରେ ଯେଉଁ କେମିକାଲ ବ୍ୟବହାର ହେଉଛି ତାହା ଶରୀର ପାଇଁ କେତେ କ୍ଷତିକାରକ ଆପଣ ଜାଣିଛନ୍ତି । ଜାଣିକି ଯଦି ସେ ବିଷକୁ ମୁଁ ବ୍ୟବହାର କରିବି ମୁଁ କଣ ମୋ ଶରୀର ପାଇଁ ବହୁତ ଅପରାଧ କରିବି ? ଝିଅଟି ପୁଣି କହିଲା ବାପା ଆପଣ ହୋଲି ଖେଳରେ ଯେତେ ପଇସା ଖର୍ଚ୍ଚ କରୁଛନ୍ତି ଚାଲନ୍ତୁ ଆମେ ଗୋଟେ ଅନାଥ ଆଶ୍ରମ ଯିବା ଓ ଅସହାୟ ପିଲାମାନଙ୍କୁ ସେମାନଙ୍କୁ କିଛି ଗିଫ୍ଟ ଦେଇ ଆସିବା । ଏହା ଦ୍ବାରା ଆମର ଅର୍ଥ ଆଉ ସମୟର ସଦୁପଯୋଗ ହେବ । ହୋଲିକୁ ଯଦି ଆମେ ଏମିତି ପାଳନ କରିବା ଆମକୁ ବହୁତ ସୁଖ ମିଳିବ । ନା’ ବାପା କ’ଣ ଭାବୁଛନ୍ତି ?
“ସେ ବନ୍ଧୁ ଜଣଙ୍କ କହିଲେ ଝିଅର କଥା ଶୁଣି ମୁଁ କିଛି ସମୟ ନୀରବ ହୋଇଗଲି । ଆଉ ଦେଖିଲି ଖାଲି ସେତିକି ନୁହେଁ ଏହି ଖେଳରେ ଆମର ଯେତିକି ଲାଭ ମିଳୁଛି ତା ଠାରୁ ଅପୂରଣୀୟ କ୍ଷତି ହେଉଛି । ମଣିଷର ମନ ଉତ୍ତେଜିତ ହେଉଛି । ମଦ୍ୟ ପାନ,ନିରୀହ ଜୀବଙ୍କୁ ମାରି ମାଂସ ଭକ୍ଷଣ,ନିଶା ଗ୍ରସ୍ତ ହୋଇ ପରସ୍ପର ସହିତ କଳିଝଗଡା ଆଦି କଣ କଣ ଏ ସମାଜରେ ଘଟୁଛି ଯେ କଥା ଜଣେ ବିବେକୀ ମଣିଷ ସଠିକ୍ ଭାବେ ଅନୁଭବ କରି ପାରୁଥିବ । ଧର୍ମ ସହିତ ଯୋଡ଼ି ଦେଉଛି ଏବଂ ଯାହା ଚାହୁଁଛି ତାହା କରୁଛି । ବନ୍ଧୁ ଜଣଙ୍କ ଏ ସବୁ କଥା କହିଲେ ଓ ଚୁପ ହୋଇଗଲେ । ସେଠାରେ ଉପସ୍ଥିତ ସମସ୍ତ ବନ୍ଧୁମାନେ ମନ ଲଗାଇ ତାଙ୍କର ସବୁ କଥାକୁ ଶୁଣୁ ଥିଲେ । କିଛି ସମୟ ପାଇଁ ସମସ୍ତେ ନୀରବ ହୋଇଗଲେ ।
ଝିଅଟିର ପ୍ରତ୍ୟେକଟି କଥାର ମହତ୍ତ୍ଵକୁ ବୁଝି ନେଲୁ । ଝିଅଟି ଆମ ସମସ୍ତଙ୍କର ଆଖି ଖୋଲି ଦେଇ ଥିବାରୁ ତାକୁ ଅଶେଷ କୃତଜ୍ଞତା ଜଣାଇଲୁ । ସେହି ଦିନ ଠାରୁ ସେଠାରେ ଉପସ୍ଥିତ ସମସ୍ତ ବନ୍ଧୁଙ୍କ ଜୀବନରୁ ହୋଲିର ଯେଉଁ ଅଦରକାରୀ ଅଙ୍ଗ ଥିଲା ତାହା ଆମ ଠାରୁ ଦୂରେଇ ଗଲା । ଯେଉଁ କାମରେ ଆମର କ୍ଷତି ଓ ଅନ୍ୟର ଅମଙ୍ଗଳ ତାହା ଆମ ଜୀବନରୁ ବିଦା ହୋଇଗଲା । ତା’ରି ସ୍ଥାନରେ ଅନ୍ୟମାନଙ୍କୁ ସଦ୍ଦିଚ୍ଛା ଜଣାଇବା ଓ ସାମୁହିକ ମଙ୍ଗଳ ଭାଵନା କରିବା ହେଲା । ଆମକୁ ଖୁବ୍ ଖୁସି ଲାଗିଲା ।
ଯେଉଁ ବନ୍ଧୁମାନେ ବୁଝିଗଲେ ଏହି ଦିବସର ଅବସରରେ ଅସହାୟ ବନ୍ଧୁ ମାନଙ୍କୁ ପାଇଁ ଦାନ ଦେବା,ସେବା କରିବା, ଜଳ ଦାନ ଦେବା ଆଦି ପୁଣ୍ୟ କର୍ମ କରିବା ଆରମ୍ଭ କଲେ। ସତକଥା ହେଲା ସବୁ ଉତ୍ସବରେ ବହୁତ ଉପାଦେୟ ଦିଗ ରହିଛି । ତାକୁ ଜାଣି,ବୁଝି ଓ ତାର ସତ୍ୟାସତ୍ୟକୁ ଉପଲବ୍ଧି କରି ଯିଏ ବଞ୍ଚି ପାରିବେ ତାଙ୍କର ମଙ୍ଗଳ ହେବା ସହ ଦେଶ ଦୁନିଆର ବହୁତ ହିତ ସାଧନ ହୋଇ ପାରିବ । ପବିତ୍ର ହୋଲି ଉତ୍ସବରେ ପ୍ରାର୍ଥନା କରୁଛୁ ଆପଣଙ୍କର ଖୁବ୍ ମଙ୍ଗଳ ହେଉ,ଜୀବନ ବୋଧପୁର୍ଣ୍ଣ ହେଉ,ଖୁବ୍ ସରସ ସୁନ୍ଦର ହେଉ । 

© 2023 Odisha Taza News.