୧୮ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :– ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଶୁକ୍ରବାର ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ତରଫରୁ ‘ଶିଶୁ ଓ ମହିଳା ଅନୁକୂଳ ଗ୍ରାମପଞ୍ଚାୟତ ଗଠନ’ ପ୍ରସଙ୍ଗ ଉପରେ ଆୟୋଜିତ ତିନିଦିନିଆ ରାଷ୍ଟ୍ରୀୟ କର୍ମଶାଳାର ଉଦଘାଟନ ସମାରୋହରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ସହ ରାଜ୍ୟ ସରକାର ଓ ପଞ୍ଚାୟତ ସ୍ତରର ଜନପ୍ରତିନିଧି ମାନଙ୍କୁ ମୋଟ ୮ଟି ପ୍ରସ୍ତାବ ଓ ପରାମର୍ଶ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାରରେ ଦେଶରେ ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ମଜଭୂତ କରିବା ପାଇଁ ପଞ୍ଚଦଶ ଅର୍ଥ କମିଶନରେ ଅର୍ଥ ବ୍ୟୟବରାଦ ପାଞ୍ଚ ଗୁଣା ବୃଦ୍ଧି ପାଇଁ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପଞ୍ଚାୟତିରାଜ ସହ ସଂଶ୍ଲିଷ୍ଟ ଅନୁଷ୍ଠାନ ଗୁଡିକ ମଜଭୂତ୍ କରିବା ପାଇଁ ଏହି ଅର୍ଥ ଦିଆଯାଉଛି । କିନ୍ତୁ ରାଜ୍ୟ ସରକାର କନଭରଜେନ୍ସ ନାଁରେ ପଞ୍ଚାୟତକୁ ଆସୁଥିବା ଅର୍ଥ ଉଠାଉଥିବା ଖବର ଆସୁଛି । ଓଡ଼ିଶାରେ ଅର୍ଥର ଅଭାବ ନ ଥିବା ବେଳେ ରାଜ୍ୟ ସରକାର ପଞ୍ଚାୟତକୁ ଆସୁଥିବା ଅର୍ଥ ଉଠାଇବା ଅନୁଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ରାଜ୍ୟରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଏହି ଯୋଜନାରେ ଓଡ଼ିଶାକୁ ୮୦୦ଟି ସ୍କୁଲ ଆସିବ ଏବଂ ୧୬୦୦ କୋଟି ଟଙ୍କା ମିଳିବ । ମାତ୍ର ରାଜ୍ୟ ସରକାର ଏଥିପାଇଁ ଏମଓୟୁ କରିନାହାନ୍ତି । ତେଣୁ ରାଜ୍ୟରେ ଏହି ଯୋଜନାକୁ ଲାଗୁ କରିବା ପାଇଁ ଜାତୀୟ ସ୍ତରରେ ଆଲୋଚନା କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ତୃତୀୟତଃ ଓଡ଼ିଶାରେ ନବଜାତ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ତଥ୍ୟରୁ ଜଣାପଡିଛି । ଏନଏଫଏଚଏସ ସର୍ଭେ ଅନୁଯାୟୀ, ଓଡ଼ିଶାର ୧୯% ନବଜାତ ଶିଶୁଙ୍କର କମ ଓଜନ ରହିଥିବା ବେଳେ ୩୧% ଶିଶୁ ପୁଷ୍ଟିହୀନର ଶୀକାର ଅଛନ୍ତି । ୧୮% ଉଚ୍ଚତା କମ୍ ଓ ୬୦%ରୁ ଉର୍ଦ୍ଧ୍ୱ ଶିଶୁ ଓ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡିତ, ଯାହା ଚିନ୍ତାଜନକ ।
୧୩ବର୍ଷ ପରେ ଓଡ଼ିଶା ଭାଷାଭିତ୍ତିକରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ ଓ ୨୫ ବର୍ଷ ପରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏହି ସମୟରେ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଧ୍ୟାନ ନଦେଲେ ଓଡିଶା ସମୃଦ୍ଧଶାଳୀ ହେବ ନାହିଁ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ଶିଶୁ ଓ ମହିଳାଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ହ୍ରାସ କରିବା ପାଇଁ ହେଉଥିବା ଯୋଜନାକୁ ସଠିକ୍ କ୍ରିୟାନ୍ୱୟନର ଦାୟିତ୍ୱ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାବ୍ୟତିତ ଜିଲ୍ଲା ସ୍ତରରେ ସ୍କିଲ୍ ମ୍ୟାପିଂ କରିବାରେ ସରପଞ୍ଚ, ବ୍ଲକ ଚେୟାରମ୍ୟାନ ଓ ଜିଲ୍ଲା ପରିଷଦର ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି । ଦେଶ ସ୍ୱାଧୀନତା ପର ଠାରୁ ଏବେ ୮୦ ପ୍ରତିଶତ ସାକ୍ଷର ଓ ୨୦ ପ୍ରତିଶତ ନିରକ୍ଷଣ ଅଛନ୍ତି । ଏହି ସମୟରେ ରାଜ୍ୟର ପଞ୍ଚାୟତ ସ୍ତରରେ ଥିବା ନିରକ୍ଷରଙ୍କୁ ସାକ୍ଷରତା କରିବା ପାଇଁ ପଡିବ ।
ଏହା ଦ୍ୱାରା ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସଡିଜି) ପୂରଣ ହୋଇପାରିବ । ଓଡ଼ିଶାରେ ସ୍କୁଲରେ ପଢୁଥିବା ପିଲା ମାନଙ୍କ ସଂଖ୍ୟା ଶତପ୍ରତିଶତ । ମାତ୍ର ଦ୍ୱାଦଶ ପର୍ଯ୍ୟନ୍ତ ଏହି ସଂଖ୍ୟା କ୍ରମାଗତ ହ୍ରାସ ପାଉଛି । ଛାତ୍ରଛାତ୍ରୀଙ୍କ ନାମଲେଖା ବଢାଇବା ତଥା ଡ୍ରପ ଆଉଟ କମାଇବା ପାଇଁ ଦାୟିତ୍ୱ ନେବାକୁ ହେବ । ଅନୁରୂପ ଭାବରେ ଛାତ୍ରଛାତ୍ରୀମାନେ କେବଳ ସ୍କୁଲ ଗଲେ ହେବ ନାହିଁ ବରଂ ପଞ୍ଚାୟତ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ମଧ୍ୟାହ୍ନ ଭୋଜନ ଦେଖିବା ଦିଗରେ ପଞ୍ଚାୟତ ସ୍ତରର ନେତୃତ୍ୱମାନେ ଅନୁଧ୍ୟାନ କରିବା ପାଇଁ ଅଭିଭାବକର ଦାୟିତ୍ୱ ନେବା ଦରକାର । ଚଳିତ କେନ୍ଦ୍ର ବଜେଟରେ ମିଶନ ଶକ୍ତିର ଭଉଣୀଙ୍କ ପାଇଁ କ୍ଲଷ୍ଟର ଯୋଜନା ହୋଇଛି । ରାଜ୍ୟ ସରକାର ଏଥିରେ ସହଯୋଗୀ ହେବା ତଥା ସେମାନଙ୍କୁ ଇ-ବଜାର ସହ ଯୋଡିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।

© 2023 Odisha Taza News.