୨୬ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ତରୀୟ ସୁଶାସନ ସପ୍ତାହ-ପ୍ରଶାସନ ଗାଁ କି ଓର’ କର୍ମଶାଳା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଦାଶ,ପୂର୍ବତନ ତଥା ଅବସରପ୍ରାପ୍ତ ଜିଲ୍ଲାପାଳ,ଗଜପତି ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ (ରାଜସ୍ଵ) ଓ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ସ୍ୱାସ୍ଥ୍ୟ, ଶିକ୍ଷା, ଶିଶୁ ବିକାଶ ଏବଂ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣାଣି ବିଷୟ ସମେତ ଜିଲ୍ଲାର ବିଭିନ୍ନ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ‘ସୁଶାସନ ସପ୍ତାହ ପ୍ରଶାସନ ଗାଁ କି ଓର’ କର୍ମଶାଳା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ତା ୧୯ ଡିସେମ୍ବର ଠାରୁ ତା ୨୫ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁରହିଛି ।
ଆଜି ଗଜପତି ଜିଲ୍ଲାରେ ମଧ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ନେଇ ସୁଶାସନ ସପ୍ତାହ ପ୍ରଶାସନ ଗାଁ କୁ ଓର କର୍ମଶାଳା ଆୟୋଜନ କରାଯାଇଥିଲା । ଏହି ପରିପେକ୍ଷୀରେ ଜନସାଧରଣଙ୍କ ବିଭିନ୍ନ ଅଭିଯୋଗ ଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ସମାଧାନ କରିବା ସହ ଜନସେବା ପ୍ରଦାନ କରିବା, CPGRAMS ର ବିଚାରଧୀନ ଜନସାଧାରଣଙ୍କ ଅଭିଯୋଗ ସମାଧାନ, ଅନଲାଇନ୍ ସେବା ପ୍ରଦାନ ଏବଂ ଜିଲ୍ଲାର ଜନସାଧାରଣଙ୍କ ଅଭିଯୋଗ ସମାଧାନ ହୋଇଥିବା ସଫଳତା କାହାଣୀ ଉପଲବ୍ଧ କରାଇବା ଓ ଜିଲ୍ଲାର ସମସ୍ତ କର୍ମଚାରୀ ନିଜ ନିଜ ବିଭାଗର ଅଭିଯୋଗକୁ ତୁରନ୍ତ ସମାଧାନ କରିବାକୁ ମୁଖ୍ୟ ଅତିଥି ତଥା ଅବସର ପ୍ରାପ୍ତ ଜିଲ୍ଲାପାଳ ଗଜପତି ଶ୍ରୀ ପ୍ରକାଶ କୁମାର ଦାସ କହିଥିଲେ । ଆଜିର ଏହି କର୍ମଶାଳାରେ ଡେପୁଟି କଲେକ୍ଟର ସୁଶ୍ରୀ ନର୍ମଦା ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ଗଣ ଉପସ୍ଥିତ ଥିଲେ ।














