No Result
View All Result
୧୬ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ପୁରୀ :- ପୌଷ ମାସର ଶୀତ ଦିନରେ ଧନୁ ସଂକ୍ରାନ୍ତିର ଅବସରରେ ଧନୁ ମୁଆଁର ଆଦର ଓଡ଼ିଆଙ୍କ ଘରେ ଘରେ ରହିଥାଏ । କେବଳ ଗୁଡ଼ିଆ ଘର ପ୍ରସ୍ତୁତ ଖଇ ଓ ଗୁଡ଼ର ଧନୁ ମୁଆଁ ନୁହେଁ ଆଜିକାଲି ଗୁଡ଼ ବା ଚିନି ପ୍ରସ୍ତୁତ ଧନୁ ମୁଆଁ ସମସ୍ତଙ୍କର ପସନ୍ଦ । ଧନୁ ସଂକ୍ରାନ୍ତିର ପବିତ୍ର ଅବସରରେ ଓଡ଼ିଆ ଚଳଣୀର ଘରେ ଘରେ ବେଶ ଆଦର ଥିବା ମୁଆଁର ଶ୍ରଦ୍ଧା ବେଶ୍ ନିଆରା । କୃଷିଭିତ୍ତିକ ଉକ୍ରଳୀୟ ସଭ୍ୟତାରେ ପର୍ବପର୍ବାଣୀର ସ୍ଥାନ ସ୍ୱତନ୍ତ୍ର । ମାର୍ଗଶୀର ମାସରେ ଲକ୍ଷ୍ମୀପୂଜା ବା ମାଣବସା ଅବସରପରେ ପୌଷମାସର ଆରମ୍ଭରେ ଚାଷୀମାନେ ପରମ ଆନନ୍ଦରେ ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଖଳାବାଡ଼ିରୁ ଆଦରକରି ଗୃହ ପ୍ରାଙ୍ଗଣକୁ ନେଇଥାନ୍ତି ।
ସଂଯୋଗ ବଶତଃ ଏହି ସମୟରେ ଆଖୁ ଅମଳ ମଧ୍ୟ ସରିଥାଏ । ତେଣୁ ସର୍କରାଯୁକ୍ତ ମିଶ୍ରିତ ପ୍ରସାଦରେ ତିଆରି ହୋଇଥିବା ମୁଆଁ ବା ଉଖୁଡ଼ା ଗୃହର ଆରଧ୍ୟଦେବତା ଓ ଧନଲକ୍ଷ୍ମୀଙ୍କ ପାଖରେ ନୈବେଦ୍ୟ ଅର୍ପଣ କରାଯାଇଥାଏ । ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କଳାର କ୍ଷୟ ବୃଦ୍ଧି ସହିତ ଚାନ୍ଦ୍ରମାନ ଓ ସଂକ୍ରାନ୍ତି କଳାରେ ଓ ସୌରମାନ ମାସ ଆମର ପଞ୍ଜିକାରେ ଅନ୍ତର୍ଭୁକ୍ତ । ଧନୁ ବା ପୌଷ ମାସରେ ଧନୁ ମୁଆଁ ଖାଇବା ସତେ ଯେପରି ଏକ ବୈଧାନିକ ବ୍ୟବସ୍ଥା ପୁଷ ମାସରେ ଧାନ ଅମଳ ପରେ “ଉଖୁଡ଼ା’ ବା “ମୁଆଁ’ର ପ୍ରସ୍ତୁତି ଓଡ଼ିଶୀ ଚଳଣିର ଏକ ବିଶେଷତ୍ୱ ଧନୁ ସଂକ୍ରାନ୍ତୀର ପ୍ରସିଦ୍ଧ ମୁଆଁ ଭୋଗ ପାଇଁ ।ଏହି ଦିବସଠାରୁ ପୁରୀ ଶ୍ରୀମନ୍ଦିରେ ଶ୍ରୀ ଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ ।
କେବଳ ସେତିକି ନୁହେଁ, ପୌଷମାସର ଶୀତ ପ୍ରଭାତରେ ପ୍ରଭାତୀ ଧୂପ ଖେଚୁଡ଼ୀର ବ୍ୟବସ୍ଥା କେବଳ ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିର କାହିଁକି, କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ବଳଦେବଜୀଉ ଓ ଅନ୍ୟାନ୍ୟ ଦେବମନ୍ଦିର ତଥା ମଠବାଡ଼ି ମାନଙ୍କରେ ଖଞ୍ଜା ଯାଇଛି । ଜଗନ୍ନାଥ ତ ଆମ ଓଡ଼ିଶୀ ସଂସ୍କୃତିର ପ୍ରତୀକ । ସେ ବଡ଼ ଭୋଗଲାଳସୀ । ପ୍ରସାଦର ଉପଭୋଗକୁ ଆମେ “ଭୋଗ’ କହିଥାଉଁ । ଏହି ଖାଦ୍ୟଦ୍ରବ୍ୟ ପ୍ରତି ଗୁରୁତ୍ୱ ଦେବା ମୂଳରେ ଉପନିଷଦର “ଅନ୍ନ ହିଁ ବ୍ରହ୍ମ’ ବାଣୀ ଯେ ଉଦ୍ଘୋଷିତ ଏଥିରେ ସନ୍ଦେହ ନାହିଁ । ଧନୁମୁଆଁର ଗୁରୁତ୍ୱ ବର୍ଷକ ମଧ୍ୟରେ ଧନୁସଂକ୍ରାନ୍ତିକୁ ହିଁ ସ୍ମରଣୀୟ କରି ରଖିଅଛି । କେବଳ ଧନୁ ସଂକ୍ରାନ୍ତି ଅବସରରେ ଯାହା ଲୋକ ରୀତିନୀତିର ପ୍ରଚଳିତ ଧନୁ ମୁଆଁ ସ୍ୱତନ୍ତ୍ର ରହିଥିଲେ ବି ମୁଆଁକୁ ପସନ୍ଦ କରୁନଥିବା ପିଲା ଠାରୁ ବୁଢ଼ାଙ୍କ ସଂଖ୍ୟା ଖୁବ୍ କ୍ୱଚିତ୍ ଥିବେ ।
ମୁଆଁ ତିଆରିରେ ନଡ଼ିଆ ସହ ଜୁଆଣୀ ରହୁଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ । ତେବେ ଓଡ଼ିଆଙ୍କର ବାରମାସର ତେର ପରବ ଭିତରେ ଯେଉଁ ରୀତିନୀତିକୁ ନେଇ ଓଡ଼ିଆଣୀ ବେଶ୍ ଗର୍ବିତ ମନେ କରିଥାନ୍ତି ସେ ସବୁ ପ୍ରସ୍ତୁତି ଭିତରେ ଧନୁ ମୁଆଁ ସମସ୍ତଙ୍କର ପ୍ରିୟ ଜିନିଷଟିଏ । ଧନୀ ହେଉ ବା ଗରିବ ମଫସଲ ହେଉ ବା ସହର, ମଠ ମନ୍ଦିର ସବୁଠି ଧନୁ ସଂକ୍ରାନ୍ତିର ଅପୂର୍ବ ମହନୀୟତା ମୁଆଁ ସହିତ ସମ୍ପର୍କିତ ହୋଇଥାଏ । ଆଜିର ପାଶ୍ଚାତ୍ୟ ବିପଣୀର ପସରା ବା ଚାଇନା ବଜାରର ଇନ୍ଦ୍ରଜାଲର ଭେଳିକି ସଉଦା ଭିତରେ ଧନୁ ମୁଆଁ କିନ୍ତୁ ହଜି ଯାଉନାହିଁ । ଧନୁ ସଂକ୍ରାନ୍ତିର ପବିତ୍ର ଅବସର ଆମ ପ୍ରିୟ ଓଡ଼ିଆ ଘରର ପାଟି ସୁଆଦ ମୁଆଁଟିକୁ ଯେ ନ ହଜାଇ ବରଂ ଆମ ପୂର୍ବସୁରୀଙ୍କ ହାତ ପ୍ରସ୍ତୁତି ସହ ସେମାନଙ୍କ ଅପୂର୍ବ ଖାଦ୍ୟ ପ୍ରସ୍ତୁତିର ପରିପାଟିକୁ ଯେ ଉଜ୍ଜୀବିତ କରୁଛି ଏହା ବେଶ୍ ଆନନ୍ଦର କଥା ।
ଶ୍ରୀମନ୍ଦିର ରେ ପହିଲି ଭୋଗ- ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ସକଳ ପ୍ରକାର ନୀତି,ପର୍ବ ପର୍ବାଣି,ଉତ୍ସବ ଇତ୍ୟାଦି ବର୍ଷ ର ବିଭିନ୍ନ ସମୟ ରେ ପାଳିତ ହେବା ସଂଗେ ସଂଗେ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇ ରତ୍ନସିଂହାସନ ରେ ଅଧିଷ୍ଠିତ ମହାପ୍ରଭୁଙ୍କୁ ସମର୍ପିତ ହୋଇଥାଏ। ପୌରାଣିକ ମତ ଅନୁଯାୟୀ ଭାରତ ର ଚାରିଧାମ ମଧ୍ୟରୁ ‘ଶ୍ରୀକ୍ଷେତ୍ର’ ପରଂବ୍ରହ୍ମଙ୍କର ଭୋଜନ ଧାମ ଭାବରେ ସୁବିଦିତ। ଏହି କ୍ଷେତ୍ର ରେ ଭୋଗ ର ପ୍ରାଧାନ୍ୟ ରହିଛି। ବିଭିନ୍ନ ଯାନିଯାତ୍ରା ରେ ସ୍ୱତନ୍ତ୍ର ଭୋଗ ର ବ୍ୟବସ୍ଥା ମଧ୍ୟ ରହିଛି। ଶ୍ରୀ ଜଗନ୍ନାଥଙ୍କ ସେବା ରେ ଶୃଙ୍ଗାର, ବୀର,ବାତ୍ସଲ୍ୟାଦି ସମସ୍ତ ରସ ର ସେବା ଭାବ ରହିଥାଏ। ତନ୍ମଧ୍ୟରୁ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବାତ୍ସଲ୍ୟ ରସ ଉପାସନା ର କାଳ।ଶ୍ରୀଜଗନ୍ନାଥ ଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳ ର ଗୋପଲବଲ୍ଲଭ ଭୋଗ ସହିତ ‘ପହିଲିଭୋଗ’ ଅନୁଷ୍ଠିତ ହୋଇଥାଏ।
ଏହି ଦିନ ମାନଙ୍କରେ ରାତ୍ର ଦୁଇଘଡି ଥାଇ ଦ୍ୱାରଫିଟା,ଆଳତି,ଅବକାଶ ହୁଏ।ତାହା ପରେ ଘୋଡ ଓ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଏ। ତତ୍ପରେ ଭିତର ବାହାର ଶୋଧ ହୋଇ ଅଣସରପିଣ୍ଡି ଠାରେ ପରଖମାନଙ୍କରେ ବଲ୍ଲଭ ବଢାଯାଇଥାଏ। ଏହାପରେ ଅହ୍ମୁଣିଆ ପାଣି ପଡିବା ଉତ୍ତାରୁ ପହିଲିଭୋଗ ଛେକ ଆସିବା ପାଇଁ ଭୋଗ ଡାକିଯାଏ। ଏ ଭୋଗ ରେ ବିରି ଓ ଗହମ ରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାର ରେ ପୂଜା କରାଯାଇଥାଏ। ପହିଲିଭୋଗ ରେ ଲାଗୁଥିବା ପିଠା ଗୁଡିକ ହେଉଛି ବଡ଼ ଝିଲି,ଦରସୁଆ ବଡି,ଦରସୁଆ ଝିଲି,ବଡ଼ ବଡ଼ା,କାକେରି,ସାନ ଅମାଲୁ,ନଳୀ,କାକେରା, ଆରିସା,ମୁଗେଇ,ଏଣ୍ଡୁରି,ନଡୁ,ଗଜା,ଖଇର ଚୁଳ,ମଣ୍ଡା,ଚୁଡା ପୁଆ,ବଡ଼ି,କଣ୍ଟେଇ ପ୍ରଭୃତି। ଶ୍ରୀ ମନ୍ଦିର ସ୍ୱତ୍ତ୍ୱଲିପି ରେ ଏହାର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି।
No Result
View All Result