୦୧ ଡିସେମ୍ବର ଗୁରୁବାର (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :- ଗର୍ଜିଲେ ବ୍ଳକ ଗ୍ରାଣ୍ଟ ଶିକ୍ଷକ ।ନର୍ଲା ବ୍ଲକର ବ୍ଳକ ଗ୍ରାଣ୍ଟ ଶିକ୍ଷକ କର୍ମଚାରୀଙ୍କ ଆନ୍ଦୋଳନ ପ୍ରସ୍ତୁତି ବୈଠକ ନର୍ଲା ବ୍ଳକର ବାଗପୁର ଉଚ୍ଚ ବିଦ୍ୟାଳୟରେ ବ୍ଳକର ସମସ୍ତ ୧୪ଟି ବ୍ଳକ ଗ୍ରାଣ୍ଟ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ପ୍ରାୟ ୫୦ ଶିକ୍ଷକ କର୍ମଚାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ବ୍ଳକ ଗ୍ରାଣ୍ଟ ଶିକ୍ଷକ କର୍ମଚାରୀଙ୍କ ନ୍ୟାୟ ୭ମ ବେତନ ତଥା ଅବସରକାଳୀନ ସୁବିଧା ସୁଯୋଗ ଦାବିରେ ଶିକ୍ଷକମାନେ ଗର୍ଜିଥିଲେ। ସରକାରଙ୍କ ଟାଲଟୁଲ ନୀତିର ପ୍ରତିବାଦରେ ଶିକ୍ଷକମାନେ ଆଗାମୀ ଡ଼ିସେମ୍ବର ୩ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ଦାବି ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ କର୍ମଚାରୀ ଯୋଗ ଦେବା ଲାଗି ବୈଠକରେ ବକ୍ତାମାନେ ଆହ୍ବାନ ଦେଇଥିଲେ।
ଆନୁପାତିକ ହାରରେ ସମସ୍ତ ବିଦ୍ୟାଳୟକୁ ଅବିକଳ ୭ମ ବେତନ ପିଇଟି ହିନ୍ଦୀ ଶିକ୍ଷକ ମାନଙ୍କର ଗ୍ରେଡ ପେ ବୈଷମ୍ୟ ଉଚ୍ଛେଦ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କୁ ତୁରନ୍ତ ପେନସନ ପ୍ରଦାନ ଭଳି ବିଭିନ୍ନ ଦାବି ସମ୍ବନ୍ଧରେ ଆଲୋଚନା ହୋଇଥିଲା। ବ୍ଳକ ଗ୍ରାଣ୍ଟ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ କର୍ମଚାରୀ ସଙ୍ଗଠନ ମାଧ୍ୟମରେ ଆଗାମୀ ଦିନରେ ତିବ୍ର ଆନ୍ଦୋଳନ ଆରମ୍ଭ କରାଯିବା ଲାଗି ସରକାରଙ୍କୁ ଚେତାଇ ଦିଆଯାଇଥିଲା । ଏହି ବୈଠକରେ ଆବାହକ ବାଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ମହାନ୍ତି ସ୍ବାଗତ ଭାଷଣ ସହ ଅଧ୍ୟକ୍ଷତା କରିଥିଲେ।
ରାଜ୍ୟ କାର୍ଯ୍ୟକାରିଣୀର କାର୍ଯ୍ୟକାରୀ ସଭାପତି ଶ୍ରୀ ଗଙ୍ଗା ନାରାୟଣ ଦାସ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ। ବ୍ଳକ ସମ୍ପାଦକ ଶ୍ରୀ ସୁଦାମ ଚରଣ ମିଶ୍ର ସଙ୍ଗଠନର ଆହ୍ବାନ ଓ ଭବିଷ୍ୟତ କାର୍ଯ୍ୟ ଯୋଜନା ଉପରେ ବିଷଦ ଆଲୋଚନା କରି ସମସ୍ତଙ୍କର ସହଯୋଗ କାମନା କରିଥିଲେ। ୧୪ବିଦ୍ୟାଳୟର ଜଣେ ଜଣେ ଶିକ୍ଷକ କର୍ମଚାରୀଙ୍କୁ ନେଇ ବ୍ଳକ କାର୍ଯ୍ୟକାରିଣୀ ଗଠିତ ହୋଇଥିଲା। ଜିଲ୍ଲା ସଂଯୋଜକ ଶ୍ରୀ ବିନୟ କିଶୋର ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।














