No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁଲାଇ ରବିବାର /ପାରଳାଖେମୁଣ୍ଡି :- ମତିଲେ ଆଦିବାସୀ । ଫଳରେ ନଇଁଲା ପ୍ରଶାସନ । ଗଜପତି ଜିଲ୍ଲା ମୋହନା ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସୂଚନା ଅନୁଯାୟୀ, ମୋନହା ବ୍ଲକ ଅନ୍ତର୍ଗତ ଆଲିଗଣ୍ଡା ଗ୍ରାମ ପଞ୍ଚାୟତର ଆଦିବାସୀଙ୍କ ବହୁ ଅଭିଯୋଗ ରହିଥିଲା । ଏହାକୁ ନେଇ ଅଦିବାସୀ ଅଧିକାର ସୁରକ୍ଷା ମଞ୍ଚ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲା । ତେବେ ଏହି ସୂଚନା ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଆଦିବାସୀମାନଙ୍କ ସହ ଆଲୋଚନା କରିବା ପାଇଁ ତହସିଲଦାର କିଶୋର ଚନ୍ଦ୍ର ଦାସ ବ୍ୟବସ୍ଥା କରିଥିଲେ । ଫଳରେ ମୋହନାସ୍ଥିତ କଲ୍ୟାଣ ମଣ୍ଡପରେ ଉଭୟ ପକ୍ଷ ମଧ୍ୟର ବୈଠକ ହୋଇଥିଲା ।
ଏହି ଆଲୋଚନାରେ ଏସଡିପିଓ ଦିଲ୍ଲୀପ କୁମାରଙ୍କ ସମେତ ମୋହନା ଓ ଅଡ଼ବା ପୋଲିସ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଆଲିଗଣ୍ଡା ସରପଞ୍ଚ ଶ୍ରୀମତୀ ବୌଜନ୍ତୀ ମଲ୍ଲିକଙ୍କୁ ନେଇ ଅଦିବାସୀ ସଂଘ ବହୁ ଅଭିଯୋଗ ଆଣିଥିଲା । ଅଭିଯୋଗ ଅନୁଯାୟୀ, ୨୦୧୨ ପଞ୍ଚାୟତ ନିର୍ବାଚନ ସମୟରେ ବୌଜନ୍ତୀ ମଲ୍ଲିକ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବା ଆସନରେ ଆଦିବାସୀ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ତତକାଳୀନ ମୋହନା ତହସିଲଦାର ଯାଞ୍ଚ କରିବା ପରେ ବୌଜନ୍ତୀ ମଲ୍ଲିକ ପାଣ ଖ୍ରୀଷ୍ଟିଆନ ହୋଇଥିବା ଜାଣିବାକୁ ପାଇଥିଲେ ଫଳରେ ତାଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିଲା ।
ହେଲେ ଚଳିତ ବର୍ଷ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ବୌଜନ୍ତୀ ମଲ୍ଲିକ ପୁଣିଥରେ ଆଦିବାସୀ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରି ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ତେଣୁ ଏହା କିଭଳି ସମ୍ଭବ ହେଲା ବୋଲି ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚ ପ୍ରଶ୍ନ କରିଛି । ତେଣୁ ମଞ୍ଚ ପକ୍ଷରୁ ପ୍ରଶାସନ ନିକଟରେ ୪ଟି ଦାବି ଉପସ୍ଥାପନ କରାଯାଇଛି । ସେଗୁଡ଼ିକ ହେଉଛି ଆଲିଗଣ୍ଡା ସରପଞ୍ଚ ଶ୍ରୀମତୀ ବୌଜନ୍ତି ମଲ୍ଲିକଙ୍କ ମିଥ୍ୟା ଜାତି ପ୍ରମାଣପତ୍ର ତୁରନ୍ତ ଖାରଜ କରାଯାଉ । ସେ ହାତେଇ ଥିବା ଲିଜ୍ ବା ଅନ୍ୟ ସମସ୍ତ ଜମି ପଟ୍ଟା ଖାରଜ କିମ୍ବା ସଂଶୋଧନ କରାଯାଉ ।
ସେ ଶିକ୍ଷା ଗ୍ରହଣ କରିଥିବା ଆଲିଗଣ୍ଡା ମିଶନ ବିଦ୍ୟାଳୟରେ ତାଙ୍କ ତଥ୍ୟ ଯାଞ୍ଚ କରାଯାଉ । ଏହାସହ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ପଞ୍ଚାୟତ ନିର୍ବାଚନ ନୂଆ ନିୟମ ଆଇନ ଅନୁଯାୟୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇବାକୁ ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚ ଦାବି କରିଛି । ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ଦାବି ଉପରେ ବିଚାର କରାଯିବ ବୋଲି ଆଶ୍ୱାସନା ଦିଆଯାଇଛି ।

No Result
View All Result