No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୭ ଜୁନ ସୋମବାର/ଭୁବନେଶ୍ୱର :- କଠିନ ଅଧ୍ୟବସାୟ, ସମୟର ସଦୁପଯୋଗ ଏବଂ ଦୃଢ଼ ଆତ୍ମବିଶ୍ବାସ ଇତ୍ୟାଦି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ଆଣିଦିଏ ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି । ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ ଏବଂ ବିଶ୍ବବିଦ୍ୟାଳୟର ଆଲୁମ୍ନି କନେକ୍ଟ ପକ୍ଷରୁ ମିଳିତ ଭାବେ ଆୟୋଜିତ ଦ୍ବାଦଶ ” ମିଟ୍ ଦ ଆଲୁମ୍ନି” କାର୍ଯ୍ୟକ୍ରମର ଅତିଥି ଥିଲେ ଖୋଦ୍ ପୁରାତନ ଛାତ୍ରସଂଘ ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ । ”
ଆଇଏଏସ ଏବଂ ତା’ପରେ: ମୋ ଜୀବନରୁ ଶିକ୍ଷା” ଶୀର୍ଷକ ବିଷୟବସ୍ତୁ ଉପରେ ନିଜର ଅଭିବ୍ୟକ୍ତି ରଖି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସମୟର ସଦୁପଯୋଗ, ଯୋଗାଯୋଗ ଦକ୍ଷତା, ବିଷୟବସ୍ତୁର ମୂଳତତ୍ତ୍ଵକୁ ବୁଝିବା, କଠିନ ପରିଶ୍ରମ କରି ନିଜର ଜ୍ଞାନ ବୃଦ୍ଧି କରିବା, ଦୃଢ଼ ଆତ୍ମବିଶ୍ବାସ ଏବଂ ଧୈର୍ଯ୍ୟ ବଳରେ ଛାତ୍ରଛାତ୍ରୀମାନେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିପାରିବେ ।
ଶ୍ରୀ ପଟ୍ଟନାୟକ ମଧ୍ୟ ନିଜ ଦୀର୍ଘ ଚାକିରି ଜୀବନର ସଫଳତା ଓ ବିଫଳତାର କିଛି ଉଦାହରଣ ଦେଇ ସଫଳତାରେ ଉତଫୁଲ୍ଲିତ ହେବା କିମ୍ବା ବିଫଳତାରେ ଭାଙ୍ଗି ନଯିବା ଉଚିତ ବୋଲି ଦର୍ଶାଇଥିଲେ।କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ପରିଷଦ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦୁର୍ଗାଶଙ୍କର ପଟ୍ଟନାୟକ ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ହାସଲ କରିବା ପାଇଁ ମନଯୋଗ ପୂର୍ବକ ପାଠ ପଢିବାକୁ ପରାମର୍ଶ ଦେଇଥିଲେ। ଆଲୁମ୍ନି କନେକ୍ଟ ସଂଯୋଜକ ପ୍ରଫେସର କୁଞ୍ଜବିହାରୀ ପଣ୍ଡା ଅତିଥିମାନଙ୍କ ବକ୍ତବ୍ୟର ଆଲୋଚନା କରି ଛାତ୍ରଛାତ୍ରୀମାନେ ଏହା ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ବିଶ୍ବବିଦ୍ୟାଳୟର ସଙ୍ଗୀତ ” ତୁଙ୍ଗ ଶିଖରୀ ଚୁଳ” ଗାନ ପରେ ପୁରାତନ ଛାତ୍ରସଂଘ ଯୁଗ୍ମ ସମ୍ପାଦକ ରଘୁନାଥ ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ। ପୁରାତନ ଛାତ୍ରସଂଘ କାର୍ଯ୍ୟକାରୀ କମିଟି ସଦସ୍ୟ ଡକ୍ଟର ପ୍ରଦୀପ କୁମାର ରଥ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବା ବେଳେ ଛାତ୍ରସଂଘ କାର୍ଯ୍ୟକାରୀ କମିଟି ସଦସ୍ୟ ରାମ ଶଙ୍କର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ପ୍ରମୋଦ କୁମାର ପଟ୍ଟନାୟକ, ଡକ୍ଟର ଅମିୟ କୁମାର ମହାନ୍ତି, ତପନ ଜେନା, ଡକ୍ଟର ନାରାୟଣ ତ୍ରିପାଠୀ, ରମେଶ ଚନ୍ଦ୍ର ଦାଶ, ନିତ୍ୟାନନ୍ଦ ଦାସ, ଶ୍ରୀମତୀ ନିରୁପମା ମହାପାତ୍ର, ବିଶ୍ବଜିତ ନାୟକ, ଏସ୍ ଏନ୍ ପାତ୍ର, ଏବଂ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଫେସର ଦାଶରଥି ସାହୁ, ପ୍ରଫେସର ସୀମା ମଲ୍ଲିକ, ପ୍ରଫେସର କାହ୍ନୁଚରଣ ଶତପଥୀ, ଡକ୍ଟର ସରିତ ପଣ୍ଡା, ଡକ୍ଟର ପ୍ରିୟଙ୍କା ଖୁରାନା ଏବଂ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

No Result
View All Result