ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ଭୁବନେଶ୍ୱର :- ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଆୟୋଜିତ ହୋଇଛି । ଏହି ଦ୍ୱିଦିବସୀୟ ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ମଇ ୨୩ ଓ ୨୪ ତାରିଖ ଦିନ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜନ କରାଯାଇଥିଲା । ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବରେ ଓଡ଼ିଶାର ୧୩ ପ୍ରକାରର ଆଦିମ ଜନଜାତିଙ୍କର ନୃତ୍ୟ ପରିବେଷଣ କରାଯାଇଥିଲା ।
ଆଜି ଦ୍ୱିତୀୟ ଦିବସରେ ଲାଞ୍ଜିଆ ସଉରାଙ୍କ ବେଣ୍ଟନୃତ୍ୟ ପରିବେଷିତ ହୋଇଥିଲା । ଏହି ନୃତ୍ୟରେ ପୁରୁଷ ଓ ମହିଳାମାନେ ଏକତ୍ର ବାଦ୍ୟ ଓ ସଂଗୀତର ତାଳେ ତାଳେ ନୃତ୍ୟ କରିଥିଲେ । ଲୋଧା ଜନଜାତିଙ୍କ ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ରହିଛି । ଆଜି ଏହି ଝୁମର ନୃତ୍ୟରେ କଳାକାରମାନେ ଝୁମ୍-ଝୁମ୍ ଶବ୍ଦ କରି ଅତି ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ ।
ସେହିପରି ଡଙ୍ଗରିଆ କନ୍ଧମାନଙ୍କର ଧାଙ୍ଗଡ଼ା-ଧାଙ୍ଗଡ଼ୀ ନୃତ୍ୟ, ଜୁଆଙ୍ଗ ଜନଜାତିଙ୍କ ଚାଙ୍ଗୁ ନୃତ୍ୟ, ପାଉଡ଼ି ଭୂୟାଁଙ୍କର ବିସ୍ରୀ ନୃତ୍ୟ, କୁଟିଆ କନ୍ଧଙ୍କ ଧାଙ୍ଗଡ଼ା- ଧାଙ୍ଗଡ଼ୀ ନୃତ୍ୟ, ଚନ୍ଦ୍ରଗିରିର ସଉରା ଜନଜାତିଙ୍କର ଚଇତି ନୃତ୍ୟ ପରିବେଷିତ ହୋଇଥିଲା । ପ୍ରତ୍ୟେକ ଜନଜାତି ନିଜସ୍ୱ ନୃତ୍ୟ, ସଂଗୀତ, ବାଦ୍ୟ, ପାରମ୍ପରିକ ସାଜସଜ୍ଜାରେ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟ ଶେଷରେ ଆଜି କଳାକାରମାନଙ୍କୁ ସ୍ମତିଫଳକ ଓ ପ୍ରମାଣପତ୍ର ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା ।














