ଓଡ଼ିଶା ତାଜା ନ୍ୟୁଜ୍ /୧୩ ମଇ ଶୁକ୍ରବାର /ଖୋର୍ଦ୍ଧା /ଭୁବନେଶ୍ୱର :- ଖୋର୍ଦ୍ଧା ଜିଲ୍ଲା ପ୍ରାକୃତିକ ବିପର୍ୟ୍ୟୟ କମିଟି ବୈଠକ ଆଜି ପୂର୍ବାହ୍ଣରେ ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବେଠକରେ ରାଜ୍ୟ ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ତଥା ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖୋର୍ଦ୍ଧା ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀରାଣୀ ଗୁମାନ ସିଂଙ୍କ ସମେତ ଜିଲ୍ଲା, ଉପଖଣ୍ଡ, ତହସିଲ ଓ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀ, ଜିଲ୍ଲାର ସମସ୍ତ ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଅନୂଜ କୁମାର ଦାସ ପଟ୍ଟନାୟକ ପ୍ରାକୃତିକ ବିପର୍ୟ୍ୟୟ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ ।
ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଲେ ଯେ, ବିଭିନ୍ନ ବିଭାଗର ଅଧିକାରୀମାନେ ଅତୀତରେ ଖୋର୍ଦ୍ଧା ଜିଲ୍ଲାରେ ସଫଳତାର ସହିତ ବାତ୍ୟା,ବନ୍ୟା ଭଳି ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା କରିଛନ୍ତି । ସେହି ଅଭିଜ୍ଞତାକୁ ପାଥେୟ କରି ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବାତ୍ୟା ବା ବନ୍ୟା ପରିପ୍ରେକ୍ଷୀରେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡାଙ୍କ ଉପସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମରେ ଡ୍ରେନେଜ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଏ ସଂପର୍କରେ ମନ୍ତ୍ରୀ ଶ୍ରୀ ପଣ୍ଡା ଅବଗତ ହେବା ସହିତ ଜାଗମରାରୁ ଗଙ୍ଗୁଆ ପର୍ୟ୍ୟନ୍ତ ବିଏମସିର ୪୯ ନଂ ଓ୍ୱାର୍ଡ ଏବଂ ପାଖାପାଖି ଅଂଚଳରେ ଡ୍ରେନେସ୍ ସମସ୍ୟାର ସମାଧାନକୁ ନେଇ ଗଙ୍ଗୁଆ ଆକ୍ସନ ପ୍ଲାନ୍ ପ୍ରସ୍ତୁତି ଓ ଏହାର କାର୍ୟ୍ୟକାରିତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଯୋଗଦେଇ ଖୋର୍ଦ୍ଧା ବିଧାୟକ ଶ୍ରୀ ମିତ୍ର କହିଲେ ଯେ ଜିଲ୍ଲାରେ ପ୍ରାକୃତିକ ଦୁର୍ବିପାକ ହେଲେ ସମସ୍ତ ଅଧିକାରୀମାନେ ତତ୍ପରତା ପ୍ରକାଶ କରିଥାନ୍ତି ।
ସେହି ଅନୁସାରେ ସମସ୍ତେ ପ୍ରସ୍ତୁତି କରିବାକୁ ସେ ଅନୁରୋଧ କରିବା ସହ ଖୋର୍ଦ୍ଧା ସହର ମଧ୍ୟରେ ବର୍ଷା ହେଲେ ଡ୍ରେନେଜ ସମସ୍ୟା ଉପୁଜୁଥିବାରୁ ଡ୍ରେନ୍ ଓ କଲଭର୍ଟ ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ମତ ରଖିଥିଲେ । ବେଗୁନିଆ ବିଧାୟକ ତଥାଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ସାହୁ ନିଜ ବକ୍ତବ୍ୟରେ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବିପର୍ୟ୍ୟୟ ପରିଚାଳନା ପାଇଁ ସବୁବେଳେ ଆଗୁଆ ପଦକ୍ଷେପ ନେଉଥିବାରୁ ଖୋର୍ଦ୍ଧା ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ବିପର୍ୟ୍ୟୟ ମୁକାବିଲା ସଫଳତାର ସହ ହୋଇପାରିଛି । ଏହି ଅବସରରେ ସେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଡ୍ରେନ୍ ନିର୍ମାଣ,ମରାମତି, ବହୁମୁଖୀ ଆଶ୍ରୟସ୍ଥଳ ନିର୍ମାଣ ସଂପର୍କରେ ଆଲୋକପାତ କରିଥିଲେ । ବାଣପୁର ପୌରାଂଚଳରେ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ପୂର୍ତ୍ତ ବିଭାଗ ଜରୁରୀକାଳୀନ ପଦକ୍ଷେପ ନେଇ ବ୍ୟବସ୍ଥାଗ୍ରହଣ କରିବାକୁ ସେ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ ।
ବୋଲଗଡରେ ନୂଆ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ସାହୁ ପ୍ରସ୍ତାବ ରଖିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମ୍ଭାବ୍ୟ ପ୍ରାକୃତିକ ବିପର୍ୟ୍ୟୟରେ ସମସ୍ତେ ମିଳିମିଶି ମୁକାବିଲା କରିବାକୁ ସମସ୍ତ ଅଧିକାରୀ ଓ ଜନପ୍ରତିନିଧିମାନଙ୍କ ସହଯୋଗ କାମନା କରିଥିଲେ । ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ୨୦୨୧ ମସିହାରେ ସଂଘଠିତ ‘ଜଓ୍ୱାଦ’ ବାତ୍ୟାରେ ଯେଉଁ ଚାଷୀମାନେ ଅଦ୍ୟାବଧି କ୍ଷତିପୂରଣ ପାଇନାହାଁନ୍ତି, ସେମାନଙ୍କୁ ଚଳିତ ମେ ମାସ ୨୫ ତାରିଖ ସୁଦ୍ଧା କ୍ଷତିପୂରଣ ପ୍ରାପ୍ୟ ଅର୍ଥ ପ୍ରଦାନ କରିବାକୁ ଜିଲ୍ଲାପାଳ ସଂପୃକ୍ତ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ‘ଫନୀ’ ବାତ୍ୟାରେ ପାନବରଜ କ୍ଷତିଗ୍ରସ୍ତ ହୋଇଥିବା ବହୁ ଚାଷୀ ଅଦ୍ୟାବଧି କ୍ଷତିପୂରଣ ପାଇନଥିବାରୁ ବିଭିନ୍ନ ବ୍ଲକରେ ଜନଶୁଣାଣି ବେଳେ ଚାଷୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ସଂପର୍କରେ ବିଷଦ୍ ଭାବେ ଅନୁଧ୍ୟାନ କରି ତୁରନ୍ତ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରିବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ଆଜିର ବୈଠକରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ବୈଠକର ନିଷ୍ପତ୍ତି ଅନୁସାରେ ଓଡିଶା ରିଲିଫ କୋଡ୍ ଅନୁଯାୟୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, ଜିଲ୍ଲା ଜରୁରୀ ବିଭାଗ, ଭୁବନେଶ୍ୱର ଓ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, ଜିଲ୍ଲାର ସମସ୍ତ ତହସିଲ ଓ ବ୍ଲକ କାର୍ୟ୍ୟାଳୟ, ଜିଲ୍ଲାରେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ନିୟନ୍ତ୍ରଣ କକ୍ଷ ଆସନ୍ତା ଜୁନ୍ ମାସ ପ୍ରଥମ ଦିବସରୁ ନଭେମ୍ବର ମାସ ଶେଷ ପର୍ୟ୍ୟନ୍ତ ଚବିଶ ଘଣ୍ଟିଆ କାର୍ୟ୍ୟକ୍ଷମ ହେବ । ସମ୍ଭାବ୍ୟ ପ୍ରାକୃତିକ ବିପର୍ୟ୍ୟୟକୁ ଦୃଷ୍ଟିରେ ରଖି ଆବଶ୍ୟକ ସଂଖ୍ୟକ ପଲିଥିନ୍ ମହଜୁଦ ରଖାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି । ଦୁର୍ବଳ ନଦୀ ଓ କେନାଲ ବନ୍ଧ ପ୍ରତି ନଜର ରଖି ତଦନୁସାରେ ପ୍ରସ୍ତୁତି ପାଇଁ ଜଳସେଚନ ବିଭାଗୀୟ ନିର୍ବାହୀଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଇତିମଧ୍ୟରେ ଜିଲ୍ଲା ଦେଇ ଯାଇଥିବା ବିଭିନ୍ନ ନଦୀର ନଦୀବନ୍ଧ ଉଚ୍ଚତା ବୃଦ୍ଧି କରାଯାଇଥିବା ସଂପୃକ୍ତ ନିର୍ବାହୀଯନ୍ତ୍ରୀମାନେ ପ୍ରକାଶ କରିଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନଦୀରେ ବନ୍ୟା ଜଳପ୍ରବାହ ବେଳେ ସ୍ଥିତି ଅନୁଧ୍ୟାନ କରି ତଦନୁସାରେ ପ୍ରସ୍ତୁତି ରହିଲେ ନଦୀରେ ଘାଇ ସୃଷ୍ଟିର ସମ୍ଭାବନା ହେବ ନାହିଁ ବୋଲି ବୈଠକରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।
ସମସ୍ତ ନଦୀବନ୍ଧର ଯୁଗ୍ମ ତନଖି କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଁଚିଛି । ଜଳସେଚନ ବିଭାଗର ସଂପୃକ୍ତ ଯନ୍ତ୍ରୀମାନେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବନ୍ୟା ପ୍ରସ୍ତୁତି ଉପକରଣ ମହଜୁଦ ପାଇଁ ନେଇଥିବା ଆଗୁଆ ପଦକ୍ଷେପ ସଂପର୍କରେ ପ୍ରକାଶ କରିଥିଲେ । ଖୋର୍ଦ୍ଧା ଜିଲ୍ଲାରେ ୧୯୫ ଗୋଟି ସ୍କୁଲ ଏବଂ ୫୦ ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି । ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ପୌରାଂଚଳର ନିର୍ବାହୀ ଅଧିକାରୀମାନେ ଏହାର ଅବସ୍ଥା ସମ୍ବନ୍ଧରେ ଅନୁଧ୍ୟାନ କରି ତୁରନ୍ତ ବିବରଣୀ ଜିଲ୍ଲା କାର୍ୟ୍ୟାଳୟକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଶ୍ରୟସ୍ଥଳୀଗୁଡିକୁ ଦିଆଯାଇଥିବା ଉପକରଣ ଯଥା ଆସ୍କା ଲାଇଟ୍, ଚେନ୍ କରତଗୁଡିକ ନିକଟସ୍ଥ ଅଗ୍ନିଶମ ବିଭାଗକୁ ହସ୍ତାନ୍ତର କରି ସେଗୁଡିକର ମରାମତି କରାଯିବା ନିମନ୍ତେ ପଦକ୍ଷେପ ନିଆଯାଇଛି । ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିରେ ଡଙ୍ଗା ବ୍ୟବସ୍ଥା ପାଇଁ ଆବଶ୍ୟକ ବ୍ୟବସ୍ଥାଗ୍ରହଣ କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ୮ ଗୋଟି ପାଓ୍ୱାର ବୋଟ୍ ମଧ୍ୟରୁ ୩ ଟି ବାଲିପାଟଣା, ୨ ଟି ବାଲିଅନ୍ତା , ୨ଟି ଖୋର୍ଦ୍ଧା ଏବଂ ୧ ଟି ଜଟଣୀ ବ୍ଲକରେ କାର୍ୟ୍ୟକ୍ଷମ ଅବସ୍ଥାରେ ରଖାଯାଇଛି । © 2023 Odisha Taza News.